Below header

ବିଚ୍ଛିନ୍ନାଞ୍ଚଳକୁ ଫିଟିଲା ବାଟ: ଉଦ୍‌ଘାଟିତ ହେଲା ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ

ମାଲକାନଗିରି :  ବିଚ୍ଛିନ୍ନାଞ୍ଚଳକୁ ଫିଟିଲା ବାଟ । ଉଦ୍‌ଘାଟିତ ହେଲା ମାଲକାନଗିରି ଜିଲ୍ଲାର ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେତୁର ଉଦ୍‌ଘାଟନ କରି ପରିଦର୍ଶନ କରିଛନ୍ତି । ବିଛିନ୍ନାଞ୍ଚଳର ୧୦ଟି ପଞ୍ଚାୟତକୁ ଏହି ସମ୍ପର୍କର ସେତୁ ଯୋଡିଛି । ମୁଖ୍ୟମନ୍ତ୍ରୀ ଚିତ୍ରକୋଣ୍ଡାର ଜାନବାଇ ଘାଟିରେ ପହଞ୍ଚିବା ପରେ ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ଯାଇଥିଲେ ଉଦ୍‌ଘାଟନ ସ୍ଥଳ । ୧୭୨ କୋଟି ଟଙ୍କାରେ ନିର୍ମାଣ ହୋଇଛି ୯୧୦ ମିଟର ଲମ୍ବର ଗୁରୁପ୍ରିୟା ସେତୁ । ଏହି ସେତୁ ଦ୍ୱାରା ଉପକୃତ ହେବେ ବିଚ୍ଛିନ୍ନାଞ୍ଚଳର ୧୫୧ଟି ଗାଁର ୨୦ ହଜାରରୁ ଅଧିକ ଲୋକ । ୭୦ କିଲୋମିଟରରୁ ଅଧିକ ବିସ୍ତୀର୍ଣ୍ଣ ଜଳରାଶି ଉପରେ ବିଚ୍ଛିନ୍ନାଞ୍ଚଳର ଲୋକ ମଟର ଲଞ୍ଚ ଓ ଦେଶୀ ଡଙ୍ଗା ଉପରେ ନିର୍ଭର କରନ୍ତି । ଚିତ୍ରକୋଣ୍ଡାକୁ ଯାଆସ କରନ୍ତି । ଏବେ ଗୁରୁପ୍ରିୟା ସେତୁ ବିଚ୍ଛିନ୍ନାଞ୍ଚଳ ବାସୀଙ୍କ ଦୁଃଖ ଦୂର କରିବ । ଏଥିସହ ମାଓ ଦମନ ପାଇଁ ସୁରକ୍ଷାବାହିନୀର ଚଳପ୍ରଚଳ ମଧ୍ୟ ସୁଗମ ହୋଇପାରିବ ।

ଗୁରୁପ୍ରିୟା ସେତୁ ପ୍ରଗତିଶୀଳ ଓଡ଼ିଶାର ପ୍ରତୀକ । ୫ ଦଶନ୍ଧି ଧରି ବିଚ୍ଛିନ୍ନାଞ୍ଚଳରେ ଥିବା ୧୫୧ଟି ଗାଁ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିବ । ଉଦଘାଟନ ପରେ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ଗୁରୁପ୍ରିୟା କେବଳ ଏକ ସେତୁ ନୁହଁ । ଏହା ମାଲକାନଗିରିର ପରିଚୟ ଓ ସ୍ୱାଭିମାନ । ଗୁରୁପ୍ରିୟା ସେତୁ ଜାତୀୟ ଗର୍ବ ଏବଂ ଶାନ୍ତି, ସହଯୋଗ ଓ ଉନ୍ନତିର ପ୍ରତୀକ । ଓଡ଼ିଶାର ସବୁ ଅଞ୍ଚଳକୁ ଯୋଡ଼ିବା ନେଇ ଆମେ ପ୍ରତିଶ୍ରୁତିବଦ୍ଧ । ଗୁରୁପ୍ରିୟା ସେତୁ ଏହାର ଏକ ପ୍ରମାଣ । ଏବେ ସ୍ୱପ୍ନ ସାକାର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏହି ସେତୁ ପାଇଁ ଯେଉଁମାନେ ବଳିଦାନ ଦେଇଛନ୍ତି, ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ନବୀନ । କହିଛନ୍ତି, ପ୍ରଗତି ପାଇଁ ଶାନ୍ତି ଜରୁରୀ । ଗୁରୁପ୍ରିୟା ସେତୁ ଶାନ୍ତିର ବାର୍ତ୍ତା ବହନ କରୁଛି । ତେଣୁ ହିଂସା ଛାଡ଼ି ବିକାଶ ପଥ ଗ୍ରହଣ କରିବାକୁ ମାଓବାଦୀଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇଛନ୍ତି । ବହୁ ବାଧାବିଘ୍ନ ଭିତରେ ୪ ବର୍ଷର ରେକର୍ଡ ସମୟରେ ସେତୁ ନିର୍ମାଣ ସରିଛି । ଆଜିର ଐତିହାସିକ ଦିନଠାରୁ ଇତିହାସ ହୋଇଯିବ ବିଚ୍ଛିନ୍ନାଞ୍ଚଳ ଶବ୍ଦ । ଆଜିଠାରୁ ଏହା ସ୍ୱାଭିମାନର ଅଞ୍ଚଳ ହେଲା ବୋଲି ନବୀନ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.