ସୁବର୍ଣ୍ଣପୁର: ଧରିବାକୁ କହି ନବଜାତ ଶିଶୁ କନ୍ୟାକୁ ମେଡିକାଲରୁ ଚୋରି କରିନେଲା ଅଜଣା ମହିଳା, ପୋଲିସ କରୁଛି ତଦନ୍ତ

ସୁବର୍ଣ୍ଣପୁର(କେନ୍ୟୁଜ୍): ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡରୁ ନବଜାତ ଶିଶୁ ଚୋରୀ ହୋଇଥିବା  ଅଭିଯୋଗ ହୋଇଛି ।ଗତକାଲି ବୀରମହାରାଜପୁର ଉପଖଣ୍ଡ ଷଣ୍ଢା ଗାଁର ଗଜେନ୍ଦ୍ର ତାଣ୍ଡି ନିଜ ପତ୍ନୀ ସନ୍ତୋଷିନୀଙ୍କୁ ପ୍ରସୂତି କାଳୀନ କଷ୍ଟ ହେବାରୁ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରିଥିଲେ । ତେବେ ଗତକାଲି ସକାଳ ୯ଟା ୧୫ ମିନିଟରେ ସନ୍ତୋଷିନୀ ଏକ ଶିଶୁ କନ୍ଯାକୁ ଜନ୍ମ ଦେଇଥିଲେ। ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଶଯ୍ଯା ଅଭାବରୁ ମା ଓ ଶିଶୁ ଉଭୟେ ପ୍ରସୂତି ୱାର୍ଡର ବାରଣ୍ଡାରେ ଆଶ୍ରୟ ନେଇ ଚିକିତ୍ସିତ ହେଉଥିଲେ । ସନ୍ତୋଷିନୀଙ୍କ ସହିତ ତାଙ୍କ ଶାଶୁ ମଧ୍ୟ ରହିଥିଲେ ।

ଆଜି ସନ୍ତୋଷିନୀ ଶୌଚ ହେବା ପାଇଁ ଯିବା ସମୟରେ ତାଙ୍କ ଶାଶୁ ଶିଶୁ କନ୍ଯାଟିକୁ ଧରିଥିଲେ ।ଜଣେ ମହିଳା ତାଙ୍କ ପାଖକୁ ଆସି କନ୍ଯାସନ୍ତାନଟିକୁ ଧରିବା ପାଇଁ କହି ସନ୍ତୋଷିନୀଙ୍କ ଶାଶୁଙ୍କ କୋଳରୁ ନେଇ ଯାଇଥିଲେ ।ତେବେ ଅଳ୍ପ ସମୟ ଭିତରେ କନ୍ଯା ସନ୍ତାନଟିକୁ ଧରି ମହିଳା ଜଣକ କୁଆଡେ ଫେରାର ମାରିଥିଲେ ବୋଲି ମୁଖ୍ଯ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗ ହୋଇଛି । ଶିଶୁ ଚୋରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଥମ ଘଟଣା ହୋଇଥିବା ବେଳେ ଶିଶୁ କନ୍ଯାର ଖୋଜ ଖବର ପାଇଁ ଚିକିତ୍ସାଳୟ କର୍ତ୍ତୃପକ୍ଷ ସଦର ଟାଉନ ଥାନାରେ ରିପୋର୍ଟ କରିଥିବା ଜଣା ପଡିଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.