Below header

ଜୁନାଗଡ଼: ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ମାମଲାରେ ନୂଆମୋଡ଼, ମୁଖ୍ୟ ଖଳନାୟକ ବସ୍‌ ଡ୍ରାଇଭର

କଳାହାଣ୍ଡି(କେନ୍ୟୁଜ୍): ଜୁନାଗଡ଼ ଥାନା ଜାରିଂରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ମାମଲାରେ ନୂଆମୋଡ଼। ବସ୍‌ ଡ୍ରାଇଭର ଲଳିତେନ୍ଦ୍ର ଶବର ହିଁ ମୁଖ୍ୟ ଖଳନାୟକ ବୋଲି କହିଛନ୍ତି ପୀଡିତା। ଏନେଇ ପୀଡ଼ିତା ଏକ ୱେବ ଚ୍ୟାନେଲକୁ ସୂଚନା ଦେଇଛନ୍ତି। ଏ ସଂପର୍କିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦେବାକୁ ସେ ଦାବି କରିଛନ୍ତି। ନଚେତ୍‌ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ପୀଡ଼ିତା । ଗତ ୧୪ ତାରିଖରେ ଜାରିଂରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ମାମଲାରେ ପୋଲିସ ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଅଛି । ୪ଜଣଙ୍କୁ ଦୁଷ୍କର୍ମ ଅଭିଯୁକ୍ତ ଭାବେ ଓ ୩ ଜଣଙ୍କୁ ଭିଡ଼ିଓ ଭାଇରାଲ ପାଇଁ ଗିରଫ କରାଯାଇଛି।

ନିକଟରେ ଏକ ଗଣମାଧ୍ୟମକୁ ପୀଡ଼ିତା କହିଛନ୍ତି, ରାଜସାକ୍ଷୀ ପାଲଟିଥିବା ଲଳିତେନ୍ଦ୍ର ଶବର ଘଟଣାଦିନ ତାଙ୍କୁ ବାଇକରେ ଲିଫ୍ଟ ଦେଇଥିଲା । ବାଟରେ ଜଙ୍ଗଲ ରାସ୍ତାରେ ସେ ବାଇକ ଅଟକାଇବାରୁ ୬ ଜଣ ଯୁବକ ଆସି ତାଙ୍କୁ ଉଠାଇନେଇଥିଲେ । ପ୍ରଥମେ ଲଳିତେନ୍ଦ୍ର ଓ ପରେ ଅନ୍ୟ ୬ ଜଣ ଯୁବକ ତାଙ୍କୁ ଦୁଷ୍କର୍ମ କରିବା ସହ ଭିଡିଓ ଉତ୍ତୋଳନ କରିଥିଲେ । ହେଲେ ଏଯାଏ ଲଳିତେନ୍ଦ୍ରକୁ ଗିରଫ କରା ନଯିବାକୁ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି । ସେପଟେ ଜୁନାଗଡ଼ ଥାନା ଆଇଆଇସି କହିଛନ୍ତି, ଡ୍ରାଇଭର ଲଳିତେନ୍ଦ୍ର ନାଁ ଦୁଷ୍କର୍ମ କରିଥିବା ନେଇ ପୀଡ଼ିତା ଏତଲାରେ ଲେଖିନଥିଲେ । ବୟାନ ରେକର୍ଡ ବେଳେ ମଧ୍ୟ ଏବାବଦରେ କିଛି କହିନଥିଲେ । ଏଥିପାଇଁ ତାକୁ ରାଜସାକ୍ଷୀ କରାଯାଇଥିଲା । ହେଲେ ଏବେ ପୀଡ଼ିତା ଭିନ୍ନ ଅଭିଯୋଗ ଆଣୁଥିବାରୁ ଏହାର ସତ୍ୟତା ଅନୁଧ୍ୟାନ କରି ପୋଲିସ ପଦକ୍ଷେପ ନେବ ବୋଲି ସେ କହିଛନ୍ତି । ସେପଟେ ଏହି ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଦୋଷୀ ଯିଏବି ହେଉ କାହାକୁ ଛ଼ଡାଯିବ ନାହିଁ ବୋଲି ବୋଲି ସେ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.