ନିଜ ନାବାଳିକା ପତ୍ନୀର ଗାଲକୁ କାମୁଡ଼ି ଛିଣ୍ଡାଇ ଦେଲେ ଯୁବକ, ଏବେ ଭୋଗିବେ ୧୧ ମାସର ଜେଲଦଣ୍ଡ

ନାବାଳିକା ବିବାହକୁ ରୋକିବା ପାଇଁ ସରକାରଙ୍କ ଦ୍ୱାରା ଅନେକ ପଦକ୍ଷେପ ନିଆଯାଉଛି। କିନ୍ତୁ ଏବେ ବି ଦେଶର ଅନେକ ସ୍ଥାନରେ ଏପରି ଘଟଣା ସାମ୍ନାକୁ ଆସୁଛି। ଏହା କେବଳ ଯେ କମ୍‌ ବୟସର ପିଲାମାନଙ୍କ ଜୀବନକୁ ନଷ୍ଟ କରିଦିଏ ତା’ନୁହେଁ, ବରଂ ବିଭିନ୍ନ ପ୍ରକାର ଆପରାଧିକ କାଯ୍ୟର୍କଳାପକୁ ମଧ୍ୟ ଜନ୍ମ ଦେଇଥାଏ। ଏମିତି ଏକ ଘଟଣାରେ ଜଣେ ଯୁବକ ନିଜ ନାବାଳିକା ବଧୂର ଗାଲକୁ ଜୋର୍‌ରେ କାମୁଡ଼ି ଦେବାରୁ ପ୍ରବଳ ରକ୍ତସ୍ରାବ ହୋଇଛି। ଏହାପରେ କୋର୍ଟଙ୍କ ଦ୍ୱାରା ଯୁବକ ଜଣଙ୍କୁ ୧୧ ମାସର ଜେଲ୍‌ ଦଣ୍ଡାଦେଶ ଶୁଣାଯାଇଛି।

୨୦୧୮ ଅକ୍ଟୋବରରେ ଏହି ଯୁବକ ୧୭ ବର୍ଷୀୟା ଜଣେ ନାବାଳିକାଙ୍କ ଗାଲକୁ ଜୋର୍‌ରେ କାମୁଡ଼ି ଦେଇଥିଲେ। ଏ ନେଇ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। କୋର୍ଟରେ ୧ ବର୍ଷ ମାମଲା ଚାଲିବା ପରେ ଚଳିତମାସ ଯୁବକଙ୍କୁ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ତେବେ ଏହି ଘଟଣାର ମୂଳ କାହାଣୀ ୨୦୧୫ରେ ଆରମ୍ଭ ହୋଇଥିଲା। ସେହି ସମୟରେ ଯୁବକଙ୍କ ବିରୋଧରେ ନାବାଳିକାଙ୍କ ପରିବାର ଲୋକେ ୩ଟି ଅଭିଯୋଗ କରିଥିଲେ। ଉକ୍ତ ଯୁବକ ତାଙ୍କ ନାବାଳିକା ଝିଅକୁ ଅପହରଣ କରି ପରେ ବଳାତ୍କାର ଏବଂ ଜବରଦସ୍ତ ବିବାହ କରିଥିବା ସେମାନେ ଅଭିଯୋଗରେ ଦର୍ଶାଇଥିଲେ। ପୋଲିସ ଘଟଣାର ତଦନ୍ତ କରିବାରେ ନାବାଳିକା ଜଣକ ନିଜ ଇଚ୍ଛାରେ ଯୁବକଙ୍କୁ ବିବାହ କରିଥିବା ଜଣାପଡ଼ିଥିଲା। ନାବାଳିକାଙ୍କ କଥା ଶୁଣିବା ପରେ ୨୦୧୮ରେ କୋର୍ଟ ଯୁବକଙ୍କୁ ଜାମିନ ପ୍ରଦାନ କରିଥିଲେ।

ଏହାସହ ପଢ଼ନ୍ତୁ: ଅଜମେର୍‌ ଜେଲରେ ଭିଆଇପି ଟ୍ରିଟ୍‌ମେଣ୍ଟ! ୮ ଲକ୍ଷରେ ବିଳାସମୟ ରୁମ୍‌ ଆଉ ୧୫ ହଜାରରେ ସିଗାରେଟ୍‌!

ଏହାପରେ ପୁଣି ଏକ ଘଟଣା ଘଟିଥିଲା। ବିବାହ ପରେ ନାବାଳିକା ନିଜ ବାପା, ମା’ଙ୍କ ପାଖରେ ରହୁଥିଲେ। ଘଟଣା ଦିନ ବାପା, ମା’ କୌଣସି ଏକ କାମରେ ବାହାରକୁ ଯାଇଥିଲେ। ଆଉ ଝିଅ ପାଠ ପଢ଼ିବା ପାଇଁ ଘରେ ରହିଥିଲା। ଏହାର ସୁଯୋଗ ନେଇ ପଡ଼ୋଶୀ ଥିବା ଉକ୍ତ ଯୁବକ ଘର ଭିତରକୁ ପଶିଆସିଥିଲେ। ନାବାଳିକାଙ୍କୁ ଏକୁଟିଆ ପାଇ ତାଙ୍କୁ ଜାବୁଡ଼ି ଧରିବା ସହ ଜୋର୍‌ରେ ଗାଲକୁ କାମୁଡ଼ି ଦେଇଥିଲେ। ନାବାଳିକା ନିଜକୁ ବଞ୍ଚାଇବା ପାଇଁ ଖୁବ୍‌ ଉଦ୍ୟମ କରିଥିଲେ। ଶେଷରେ ସେ କୌଣସି ମତେ ଯୁବକଙ୍କୁ ଧକ୍କା ଦେଇ ଖସି ପଳାଇଆସିଥିଲେ। ଏହାପରେ ଯୁବକ ସେଠାରୁ ଫେରାର୍‌ ହୋଇଯାଇଥିଲେ।

ଯେତେବେଳେ ଝିଅର ପରିବାର ଲୋକ ଆସିଥିଲେ, ସେତେବେଳେ ସେମାନେ ଝିଅର ଗାଲରୁ ପ୍ରବଳ ରକ୍ତ ବାହାରୁଥିବା ଦେଖିବାକୁ ପାଇଥିଲେ। ଏହାପରେ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ। ନାବାଳିକା ମଧ୍ୟ ଯୁବକଙ୍କ ବିରୋଧରେ ବୟାନ ଦେଇ କେସ୍‌ ରୁଜୁ କରିଥିଲେ। ଏବେ କୋର୍ଟ ଉକ୍ତ ଘଟଣାର ଦଣ୍ଡାଦେଶ ଶୁଣାଇଛନ୍ତି।