Below header

ନିଷିଦ୍ଧ ବାଣ ବିକ୍ରି ପାଇଁ ଅନୁମତି ଦେଇ ପାରିବେ ନାହିଁ କୌଣସି ରାଜ୍ୟ ସରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ(କେନ୍ଯୁଜ୍): ବାଣ ବିକ୍ରି ଓ ଫୁଟା ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା । ଅର୍ଜୁନ ଗୋପାଳଙ୍କ ମାମଲାରେ ଏହି ନିର୍ଦ୍ଦେଶନାମା । ନିଷିଦ୍ଧ ବାଣ ବିକ୍ରି ପାଇଁ ଅନୁମତି ଦେଇ ପାରିବେ ନାହିଁ କୌଣସି ରାଜ୍ୟ ସରକାର । ଏଭଳି ବାଣ ପ୍ରସ୍ତୁତି ବିକ୍ରି ଓ ଫୁଟା ଉପରେ କଡା ନଜର ରଖିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଜାରି କରିଛନ୍ତି ।

ଏହି ପ୍ରସଙ୍ଗକୁ ଅତି ସମ୍ବେଦନଶୀଳ ଭାବେ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । କୌଣସି ରାଜ୍ୟରେ ଏଭଳି ବାଣ ପ୍ରସ୍ତୁତି ବିକ୍ରି ଓ ଫୁଟା ହେଲେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୋଲିସ କମିଶନର ଓ ସ୍ଥାନୀୟ ଏସପି ଉତ୍ତରଦାୟୀ ରହିବେ ବୋଲି କୋର୍ଟ ଅର୍ଡରେ ସ୍ପଷ୍ଟ କରିଛନ୍ତି । ଅନ୍ୟର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରି କେହି ଦୀପାବଳି ମନାଇ ପାରିବେନି ।

ଏଥିରେ ବ୍ୟତିକ୍ରମ ଘଟିଲେ ସୁପ୍ରିମକୋର୍ଟ ଗୁରୁତର ଭାବେ ଗ୍ରହଣ କରିବେ । ଆଜି ଏସଆରସି ଓଡ଼ିଶାରେ ଏଭଳି ବାଣ ପ୍ରସ୍ତୁତି ବିକ୍ରି ଓ ଫୁଟା ନେଇ ନିଷ୍ପତ୍ତି ନେବେ। ସୁପ୍ରିମକୋର୍ଟଙ୍କ ଅର୍ଜୁନ ଗୋପାଳ ମାମଲାର ରାୟକୁ ଗୁରୁତ୍ୱ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

ଓଡିଶାରେ ଦୀପାବଳିରେ ବାଣ ବିକ୍ରି ହେବ ନା ନାହିଁ? ଆଜି ପୂର୍ବାହ୍‌ଣରେ ଶୁଣାଣି କରିବେ ଏସ୍‌ଆରସି

ଦୀପାବଳିରେ ବାଣ ବିକ୍ରି ହେବ ନା ନାହିଁ? ବାଣ ଫୁଟାଇବାକୁ ଅନୁମତି ମିଳିବ କି ନାହିଁ ? ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ ହାଇକୋର୍ଟ। ସ୍ୱତନ୍ତ୍ର ରିଲିଫ୍‌ କମିଶନର ଏନେଇ ନେବେ ନିଷ୍ପତ୍ତି । ଆଜି ପୂର୍ବାହ୍‌ଣରେ ଶୁଣାଣି କରିବେ ଏସ୍‌ଆରସି । ହାଇକୋର୍ଟରେ ଗ୍ରୀନ କ୍ରାକର ବା ସବୁଜ ବାଣ ବିକ୍ରି ଓ ଫୁଟାଇବାକୁ ଅନୁମତି ଦେବାକୁ ଆବେଦନ ହୋଇଛି। ସୁପ୍ରିମକୋର୍ଟ ଓ ଜାତୀୟ ଗ୍ରୀନ ଟ୍ରିବୁନାଲଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ନିଷ୍ପତ୍ତି ନେବେ ଏସଆରସି ।

ସୋମବାର ସୁଦ୍ଧା ହାଇକୋର୍ଟଙ୍କୁ ଅବଗତ କରାଇବେ । ସୋମବାର ଅପରାହ୍‌ଣରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହି ମାମଲାରେ ହାଇକୋର୍ଟରେ ଡେପୁଟି ଚିଫ୍‌ କଣ୍ଟ୍ରୋଲର ଅଫ ଏକ୍ସପ୍ଲୋସିଭଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଥିଲା । ଅଳ୍ପ ଶବ୍ଦ ହେଉଥିବା ବାଣ ପାଇଁ ସୁପ୍ରିମକୋର୍ଟ ଓ ଗ୍ରୀନ ଟ୍ରିବୁନାଲଙ୍କ ନିଷ୍ପତ୍ତିକୁ ପାଥେୟ କରି ଅନୁମତି ଦିଆଯାଇ ପାରିବ ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି । ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ କମିଶନରେଟ ପୋଲିସକୁ ପକ୍ଷ ରଖିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

ମାମଲାରେ ୭ ଜଣ ପକ୍ଷଭୁକ୍ତ ହୋଇଛନ୍ତି । ଅଲ୍‌ ଓଡ଼ିଶା ଫାୟାର ଓ୍ଵାର୍କସ ଡିଲର୍ସ ଆସୋସିଏସନ୍‌ ପକ୍ଷରୁ ଦାୟର ଆବେଦନରେ ଉଲ୍ଲେଖ ରହିଛି, ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସିଛି । ଏଥିପାଇଁ ସରକାର ସାମାଜିକ କାର୍ଯ୍ୟ ପାଇଁ କଟକଣା କୋହଳ କରିଛନ୍ତି । ଯଦି ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଦ୍ୱାରା ଛୋଡ଼ବଡ଼ ବ୍ୟବସାୟୀ ବ୍ୟାପକ ସମସ୍ୟାର ସମ୍ମୁଖୀନ ହେବେ । ଏଥିପାଇଁ ସବୁଜ ବାଣ ବିକ୍ରିକୁ ଅନୁମତି ଦେବାକୁ ଆବେଦନରେ ଦର୍ଶାଯାଇଛି । ଗତ ସେପ୍ଟେମ୍ବର ୩୦ରେ ସରକାର ନୂଆ ନିୟମାବଳୀ ଜାରି କରି ଚଳିତ ବର୍ଷ ଦୀପାବଳି ଓ ପାର୍ବଣରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଲଗାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.