ମୋବାଇଲ୍ ଟାଓ୍ୱାର ଅଚଳ, କମ୍ପାନୀର ଖୋଜ ଖବର ନାହିଁ: ଏବେ ଚିନ୍ତାରେ ଜମି ମାଲିକ

ବାସୁଦେବପୁର(କେନ୍ୟୁଜ୍‌): ମୋବାଇଲ ନେଟଓ୍ୱର୍କ ବନ୍ଦ। କଂପାନୀର ଖୋଜ ଖବର ନାହିଁ। ବର୍ଷ ବର୍ଷ ହେଲା ସେମିତି ଏୟାରସେଲ ଟାଓ୍ୱାର ଛିଡା ହୋଇ ରହିଛି। ଟାଓ୍ୱାର ବସାଇବାକୁ ଜମି ଦେଇଥିବା ମାଲିକକୁ ଟଙ୍କାଟେ ବି ମିଳୁନାହିଁ। ଦୀର୍ଘ ୬ବର୍ଷ ହେବ ମୋବାଲ କଂପାନୀକୁ ଚାହିଁ ରହିଛନ୍ତି ଜମି ମାଲିକ। ଏହି ଘଟଣା ହେଉଛି ବାସୁଦେବପୁରର।

ଘରେ ପହଁଚିଲେ ଆଉ ରାସ୍ତା ପାଖରେ ଥିବା ଜମି ଚିହ୍ନଟ କଲେ ଏଆରସେଲ୍‌ ର ଟାୱାର୍‌ ବସିବା ପାଇଁ। ଦୀର୍ଘ ୨୦ବର୍ଷ ପୂର୍ବରୁ ଜମି ଚିହ୍ନଟ କରି ସୁଦୀର୍ଘ ଉଚ୍ଚତାର ଟାୱାର୍‌ ବସାଇ ଜମି ମାଲିକଙ୍କ ସହିତ ଏକ ଚୁକ୍ତିନାମା କରିଥିଲେ। ଯେଉଁ ଜମିରେ ଟାୱାର୍‌ ବସିବ ସେ ଜମି ମାଲିକ ପରିବାର ଲୋକଙ୍କ ଏକ ୱାଚ୍‌ମ୍ଯାନ୍‌ ଚାକିରି ଯାହାର ଦରମା ତିନି ହଜାର ଓ ଟାୱାର୍‌ ବାସିଥିବା ଜମିର ମାସକୁ ଅଢେଇ ହଜାର ଟଙ୍କା ମିଳିବ। ଟାୱାର୍‌ ବସିଥିବା ଜମିରେ କେବଳ ଟାୱାର୍‌ ନୁହେଁ ବରଂ ସେଥିରେ ଏକ ଡିଜି ଓ ୧୧ କେବି ବିଦ୍ଯୁତ୍‌ ଟ୍ରାନ୍ସଫରମର ବସାଯାଇଥିଲା।

ଏହି ଟାଓ୍ୱାର ଯେତେବେଳେ ବସିଲା ବେଶ ଖୁସି ହୋଇ ଯାଇଥିଲା ଜମି ମାଲିକ। ଆଉ ତାହା ସହିତ ପରିବାରର ବି ଜଣକୁ ମିଳିଥିଲା ଚାକିରୀ। ଏହି ଟାୱାର ବସିବା ପରେ ଜମି ମାଲିକ ପ୍ରାୟ ୧୨/୧୩ ବର୍ଷ ଠିକ୍‌ ଠାକ୍‌ ନିଜର ସମସ୍ତ ଭଡା ବାବଦକୁ ଟଙ୍କା ପାଇଚାଲିଥିଲେ। ହେଲେ ଏହି ୬/୭ବର୍ଷ ହେବ ଟାୱାର ଗୁଡିକ ବନ୍ଦ ହୋଇ ପଡିଛି । ସେଥିପାଇଁ ଜମି ମାଲିକ ଜମିର ଭଡା ପାଇବା ତ ଦୁରର କଥା ତାଙ୍କ ଜମିଟା ମଧ୍ୟ ଅଚଳ ହୋଇ ପଡିଛି। ରାସ୍ତା ପାଖ ଜମି ଗୁଡିକ ଅଚଳହୋଇ ପଡିଥିବାରୁ ଏବେ ଜମି ମାଲିକ ଚିନ୍ତାରେ ପଡିଥିବା ଦେଖିବାକୁ ମିଳିଛି। ତେବେ କାମଧନ୍ଧା ଛାଡି ଟାଓ୍ୱାର କଂପାନୀରେ ଚାକିରୀ କରିଥିବା ଲୋକ ଏବେ ବେକାର। ଯେଉଁ ଜାଗାରେ ଟାଓ୍ୱାର ବସିଥିଲା ସେହି ଯାଗା ଏବେ ଅଦରକାରି ହୋଇ ପଡିଛି।

ବାସୁଦେବପୁର ବ୍ଲକ ମନ୍ଦାରୀ,ଇରମ,ନୁଆଗାଁ ସମେତ ବହୁ ସ୍ଥାନରେ ଏହି ଏଆରସେଲ ଟାୱାର ଗୁଡିକ ବସାଇ ଟାୱାର ସୁପରଭାଇଜର କୁଆଡେ ଚାଲିଯାଇଛନ୍ତି। ଏହି ୬ ରୁ ୭ ବର୍ଷ ପୁର୍ବରୁ ଜମିମାଲିକ ଜମିର ଭଡା ଟଙ୍କା ନପାଇବାରୁ ଟାୱାର ସୁପରଭାଇଜର ସମେତ କମ୍ପାନି ଲୋକଙ୍କ ନିକଟକୁ ଫୋନ ଯୋଗେ ଯୋଗାଯୋଗ କରିବାରୁ କାହାର ମୋବାଇଲ୍‌ ଲାଗୁ ନାହିଁତ ଆଉ କିଏ ଅନ୍ଯ କମ୍ପାନିକୁ ଚାଲିଯାଇଥିବା ଜମିମାଲିକ ମାନେ କହିଛନ୍ତି। ଏହି ଟାୱାର ଦୀର୍ଘ ବର୍ଷ ଧରି ଅଚଳ ହୋଇ ପଡିବାରୁ ଜମି ମାଲିକର ବହୁମୁଲ୍ଯ ରାସ୍ତା ପାଖ ଜମି ବେକାର ହୋଇ ପଡିବା ସହିତ ସ୍ଥାନୀୟ ଜନସାଧାରଣ ବିପଦପୁର୍ଣ୍ଣ ଅବସ୍ଥାରେ ରହିଛନ୍ତି। ଏହି ଟାୱାର ଗୁଡିକ ସମୁଦ୍ର ଉପକୂଳ ହୋଇଥିବାରୁ ଟାୱାର ଗୁଡିକରେ ଲୁଣି ପବନ ବାଜି ରଷ୍ଟ ଲାଗିବା ଆରମ୍ଭ ହୋଇଛି। ଯଦି ବାତ୍ଯା ପବନ ହେବ ତେବେ ଏହି ଟାୱାର ସ୍ଥାନୀୟ ଲୋକଙ୍କ ଘର ଉପରେ ନପଡିବ ସେ କଥା କିଏବା କହିପାରିବ।

ଟାୱାର ବସିଥିବା ଜମିମାଲିକ ଏବେ କଣ କରିବେ ଏବେ ଚିନ୍ତାରେ ଭାଙ୍ଗିପଡିଛନ୍ତି। ଏହା ସହିତ ଟାୱାରର ଥିବା ଡିଜି,ଏସି ଗୁଡିକ ନଷ୍ଟ ହେବା ସହିତ କେତେକାଂଶରେ ଚୋରି ହୋଇଯାଇଥିବା ମଧ୍ୟ ଦେଖିବାକୁ ମିଳିଛି।ଏହି ଟାୱାର ଖୋଲିବାକୁ ଜମି ମାଲିକର ଶକ୍ତି କିମ୍ବା ସାମର୍ଥ ବି ନାହିଁ। ତେବେ କେମିତି ହେବ ଏହି ସମସ୍ଯାର ସମାଧାନ । ତେଣୁ ତୁରନ୍ତ ପ୍ରଶାସନ ଯଦି ଏହି ଅଚଳ ଟାୱାର ଗୁଡିକ ଉପରେ ନଜର କରି ଯଥାଶିଘ୍ର ଉଚ୍ଛେଦ କରନ୍ତେ ତେବେ ଜମି ମାଲିକ ନିଶ୍ଚିତ ଉପକୃତ ହୁଅନ୍ତେ ବୋଲି କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.