ନିସ୍ୱାର୍ଥପର ସେବାର ଜ୍ବଳନ୍ତ ଉଦାହରଣ ନୁଆଁଦେଇ: ୪୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ବିନା ପାରିଶ୍ରମିକରେ ପଢାଉଛନ୍ତି ପାଠ

ଝାରସୁଗୁଡା: ନୁଆଁଦେଇ ଖଡିଆ । ବୟସ ୨୯। ନାଁଟି ତାଙ୍କର ଯେମିତି ମନଛୁଆଁ। ହ୍ରୁଦୟଟି ବି ସେମିତି ଖୋଲା । କରୋନା ମହାମାରୀ ଯୋଗୁଁ ସମଗ୍ର ଦେଶ ତଥା ରାଜ୍ୟରେ ବିଦ୍ୟାଳୟମାନ ବନ୍ଦ ରହିଛି। ଛାତ୍ରଛାତ୍ରୀମାନଙ୍କୁ ଅନ୍ ଲାଇନ୍ ମାଧ୍ୟମରେ ପାଢ ପଢାଯାଉଛି । ହେଲେ ଆମ ରାଜ୍ୟରେ ଏମିତି ଅନେକ ଗରିବ ଛାତ୍ରଛାତ୍ରୀ ଅଛନ୍ତି ଯାହାଙ୍କ ପାଇଁ ମୋବାଇଲ, କମ୍ପ୍ୟୁଟର ଆଦି ସ୍ୱପ୍ନ । ସେହି ଛୁଆମାନଙ୍କ ପାଇଁ ଆଶାର ଆଲୋକ ସାଜିଛନ୍ତି ଦିବ୍ୟାଙ୍ଗ ନୁଆଁଦେଇ । ଏମାନଙ୍କୁ ମାଗଣାରେ ପଢାଉଛନ୍ତି ପାଠ।

ଗରିବ ଛାତ୍ରଛାତ୍ରୀଙ୍କ ଏହି ସମସ୍ୟାକୁ ଦୂରକରିବାକୁ ପ୍ରୟାସ କରିଛନ୍ତି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ସମରବଗା ପଞ୍ଚାୟତ ଅନ୍ତର୍ଗତ କୁରେମାଲ୍ ଗାଆଁର ଦିବ୍ୟାଙ୍ଗ ଝିଅ ନୁଆଁଦେଇ ଖଡିଆ। ଭିନ୍ନକ୍ଷମ ହୋଇ ମଧ୍ୟ ବିନା ପାରିଶ୍ରମିକରେ ଛୋଟ ଛୋଟ ଛୁଆମାନଙ୍କୁ ପାଠ ପଢାଉଛନ୍ତି । ସରକାର ଦେଇଥିବା ଟ୍ରାଇସାଇକେଲରେ ପ୍ରତିଦିନ ସେ ୨ କିଲୋମିଟର ଦୂରକୁ ଆସି ସକାଳ ୮ ଟାରୁ ୧୨ ଟା ପର୍ଯ୍ୟନ୍ତ ପିଲାଙ୍କୁ ପାଠ ପଢାନ୍ତି । ଗାଁ ର ଜଣେ ଭଦ୍ର ବ୍ୟକ୍ତିଙ୍କ ଅଧା ତିଆରି ଘରେ ପ୍ରାୟ ୩୫ ରୁ ୪୦ ଛାତ୍ରଛାତ୍ରୀ ତାଙ୍କ ନିକଟରେ ପ୍ରତିଦିନ ପାଠ ପଢୁଛନ୍ତି ।

ଅନଲାଇନ୍ ମାଧ୍ୟମରେ ପାଠପଢି ନପାରି ଯେପରି ଏହି ଗରିବ ପିଲାମାନେ ପଛୁଆ ନ ରୁହନ୍ତୁ ସେଥିପାଇଁ ସେ ପ୍ରତିଦିନ ସେମାନଙ୍କୁ ପାଠ ପଢାଉଛନ୍ତି । ହେଲେ ତାଙ୍କ ପାଖରେ ବ୍ଲାକ ବୋର୍ଡ ଓ ଚକ୍ ନଥିବାରୁ ପଢାଇବା ସମୟରେ ସାମାନ୍ୟ ସମସ୍ୟା ଦେଖା ଯାଉଥିବାରୁ, ସରକାରୀ ସହାୟତାରେ ତାଙ୍କୁ ବ୍ଲାକ ବୋର୍ଡ ଖଣ୍ଡିଏ ମିଳି ପାରିଲେ ସେ ପ୍ରତିଦିନ ପିଲାଙ୍କୁ ମାଗଣାରେ ପାଠ ପଢାନ୍ତେ ବୋଲି କହିଛନ୍ତି ।

ନୂଆଁଦେଇଙ୍କ ମାଁ ୬ ବର୍ଷ ତଳେ ହାତୀ ଆକ୍ରମଣରେ ପ୍ରାଣ ହରାଇଥିବାବେଳେ ୨୦୧୫ରେ ଟ୍ରାକ୍ଟର ଦୁର୍ଘଟଣାରେ ବଡ ଭାଇଙ୍କର ମୃତ୍ୟୁ ଘଟିଛି । ଘରେ ବିଧବା ଭାଉଜ, ଛୋଟ ପୁତୁରା ଓ ବୁଢା ବାପା ଅଛନ୍ତି । ତଥାପି ପାରିଶ୍ରମିକ ପ୍ରତି ଲୋଭ ନ କରି ନୁଆଁଦେଇ ମାଗଣାରେ ପିଲାଙ୍କୁ ପାଠ ପଢାଉଛନ୍ତି । ତାଙ୍କର ଏହିପରି ନିସ୍ୱାର୍ଥପର ଶିକ୍ଷାଦାନକୁ ସ୍ଥାନୀୟ ଅଂଚଳରେ ଲୋକେ ବହୁ ପ୍ରଂଶସା କରିବା ସହିତ ସମାଜ ପାଇଁ ଏକ ଉଦାହରଣ ପାଲଟିଛନ୍ତି ନୂଆଦେଇ ।

ଝାରସୁଗୁଡାରୁ ସନ୍ତୋଷ ସାହୁଙ୍କ ରିପୋର୍ଟ କେନ୍ୟୁଜ ଓଡ଼ିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.