ଆଉ ଶୁଭିବନି ଶାନ୍ତିଲତାଙ୍କ କଣ୍ଠରୁ ଭାବପୂର୍ଣ୍ଣ ଭଜନ, ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ବର୍ଗଦ୍ବାରରେ ହେବ ଶେଷକୃତ୍ୟ

ସୁନାମଧନ୍ୟ ଓଡ଼ିଆ ଭଜନ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କର ୬୫ ବର୍ଷ ବୟସରେ ପରଲୋକ ଘଟିଛି । ଆଜି ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଜଣାପଡିଛି। ତାଙ୍କ ପରଲୋକରେ ଓଡିଆ ଭକ୍ତି ସଙ୍ଗୀତ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ସୁନାମଧନ୍ୟ ଓଡ଼ିଆ ଭଜନ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କର ୬୫ ବର୍ଷ ବୟସରେ ପରଲୋକ ଘଟିଛି । କର୍କଟ ରୋଗରେ ଆକ୍ରାନ୍ତ ହେବାପରେ ଦୀର୍ଘକାଳ ଧରି ଚିକିତ୍ସିତ ହେଉଥିବା ଏହି ସ୍ବରଶିଳ୍ପୀ ଭୁବନେଶ୍ବରର ଏକ ‌ଘରୋଇ ଡାକ୍ତରଖାନାରେ ଗତକାଲି ରାତି ୮ଟାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଏନେଇ ତାଙ୍କ ସ୍ୱାମୀ ବସନ୍ତ ଛୋଟରାୟ ସୂଚନା ଦେଇଛନ୍ତି । ଶାନ୍ତିଲତାଙ୍କ ମୃତଦେହକୁ ତାଙ୍କ ପୁରୁଣା ଭୁବନେଶ୍ୱର କେଦାରଗୌରୀସ୍ଥିତ ବାସଭବନକୁ ଅଣାଯାଇଛି । ଆଜି ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଜଣାପଡିଛି। ତାଙ୍କ ପରଲୋକରେ ଓଡିଆ ଭକ୍ତି ସଙ୍ଗୀତ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।

ସେପଟେ ,କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ଶୋକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,” ଜଣେ ଲୋକପ୍ରିୟ ଭଜନ ଗାୟିକା ଶାନ୍ତିଲତା ବାରିକ ଜଗନ୍ନାଥଙ୍କର ଅନନ୍ୟ ଭକ୍ତ ଥିଲେ। ଭାବପୂର୍ଣ୍ଣ କଣ୍ଠରେ ତାଙ୍କ ଜଗନ୍ନାଥ ଭଜନ ପାଇଁ ଓଡିଶା ର ଘରେ ଘରେ ସେ ସୁପରିଚିତ ଥିଲେ। ତାଙ୍କ ଭଜନ ଥିଲା ଭକ୍ତି ଓ ସମର୍ପଣର ସଂଗୀତମୟ ନିବେଦନ । ତାଙ୍କ ସ୍ୱର ପରିବେଶକୁ ଭକ୍ତିମୟ କରିବା ସହ ଶ୍ରୋତାଙ୍କ ହୃଦୟରେ ଭାବାବେଗ ସୃଷ୍ଟି କରି ପାରୁଥିଲା। ତାଙ୍କର ବିୟୋଗ ଓଡ଼ିଶାର ସାଂସ୍କୃତିକ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।”

ଶାନ୍ତିଲତାଙ୍କ ଭଜନ ଓଡ଼ିଶାର କଳା, ସଂସ୍କୃତି ଏବଂ ଶ୍ରୀ ଜଗନ୍ନାଥଙ୍କ ସହ ଲୋକଙ୍କୁ ଯୋଡ଼ିବାରେ ସକ୍ଷମ ହୋଇଥିଲା। ‘ହେ ଚକାନୟନ’, ‘ମୁଁ ଯେ ଦେଉଳ ବେଢ଼ା ଦୀପ,’ ‘ଏକା ମୋ ଜଗା ସବୁରି ମୂଳ,’ ‘ଯମୁନା କୂଳ ନୁହେଁ’ ‘କାଳିଆ ତୋ କଳା କଳା ଡୋଳା’, ଆଦି ହେଉଛି ଶାନ୍ତିଲତାଙ୍କ ଜନପ୍ରିୟ ଭଜନ। ତାଙ୍କର ଅଧିକାଂଶ ଗୀତ କାଳିଆ ସାଆନ୍ତ ଏବଂ ଶ୍ରୀକୃଷ୍ଣଙ୍କ ଲାଗି ସମର୍ପିତ। ଭକ୍ତି ସଂଗୀତର ଯାଦୁକରୀରେ ସେ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ସ୍ଥାନ ପାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.