Below header

ସରକାରଙ୍କ ଶୌଚାଳୟରେ ନିତ୍ୟକର୍ମ କଲେ ଟଙ୍କା ଦେବାକୁ ପଡ଼ିବ ନାହିଁ, ଅଗଷ୍ଟ ୩୧ ଯାଏ ଫ୍ରି

ଭୁବନେଶ୍ୱର (କେ ନ୍ୟୁଜ୍‌) : ସହରାଞ୍ଚଳରେ ମାଗଣା ଶୌଚାଳୟ । କରୋନା ସଂକ୍ରମଣ ସମୟରେ ଲୋକେ ଯେଭଳି ଅଧିକ ସଂଖ୍ୟାରେ ଶୌଚାଳୟ ବ୍ୟବହାର କରିବେ ସେଥିପାଇଁ ଆସନ୍ତା ଅଗଷ୍ଟ ୩୧ ତାରିଖ ପର‌୍ୟ୍ୟନ୍ତ ସହରାଞ୍ଚଳରେ ଥିବା ଶୌଚାଳୟଗୁଡିକ ଲୋକଙ୍କ ଠାରୁ ୟୁଜର୍ସ ଫି ଆଦାୟ ନକରିବାକୁ କୁହାଯାଇଛି ।
ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାଥନନ ଆଜି ଏହି ମର୍ମରେ ରାଜ୍ୟର ୧୧୪ଟି ପୌରସଂସ୍ଥା ଏବଂ ସୁଲଭ ଇଣ୍ଟରନାସନାଲକୁ ଅଗଷ୍ଟ ଶେଷ ପର‌୍ୟ୍ୟନ୍ତ ଶୌଚାଳୟ ଗୁଡିକରେ ଲୋକଙ୍କ ଠାରୁ ଅର୍ଥ ଆଦାୟ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ମାଥିଭାଥନନ ଏହି ମର୍ମରେ ମହାନଗର ନିଗମର କମିଶନର ଏବଂ ପୌରସଂସ୍ଥାର କାର‌୍ୟ୍ୟନିର୍ବାହୀ ଅଧିକାରୀମାନଙ୍କୁ ପତ୍ର ଲେଖିଛନ୍ତି ।

TOILETS-2ସେହିଭଳି ରାଜ୍ୟରେ ସର୍ବାଧିକ ଶୌଚାଳୟ ପରିଚାଳନା ଦାୟିତ୍ୱରେ ଥିବା ସୁଲଭ ଇଣ୍ଟରନାସନାଲକୁ ମଧ୍ୟ ଏହି ନିର୍ଦ୍ଦେଶ ପାଳନ ପାଇଁ କୁହାଯାଇଛି । ପ୍ରମୁଖ ସଚିବ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ ସରକାରଙ୍କର ଏଭଳି ନିଷ୍ପତ୍ତି କେବଳ ଖୋଲାରେ ମଳତ୍ୟାଗକୁ ରୋକିବା ନୁହେଁ, ବରଂ ଅଧିକରୁ ଅଧିକ ଲୋକଙ୍କୁ ଉନ୍ନତ ପରିମଳ ସୁବିଧା ପ୍ରଦାନ କରିବା ସହିତ ସେମାନଙ୍କର ଜୀବନଧାରଣମାନରେ ଉନ୍ନତି ଆଣିବା । କାରଣ କରୋନା ଏବେ ଦିନ ମଜୁରିଆ ଓ ସହରର ଗଳି କନ୍ଦିରେ ବ୍ୟବସାୟ କରୁଥିବା ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି ।
ସେହିଭଳି ସହରାଞ୍ଚଳରେ ଅର୍ବାନ ୱେଜ ଏମ୍ପ୍ଲୟମେଣ୍ଟ ଇନିସିଏଟିଭ (ୟୁଡବ୍ଲ୍ୟୁଇଆଇ) ଯୋଜନା କାର‌୍ୟ୍ୟକାରୀ ହେଉଥିବା ବେଳେ ଏହା ଅଧୀନରେ ପୌର ସଂସ୍ଥା ଗୁଡିକ ବିଭିନ୍ନ ଉନ୍ନୟନ କାର‌୍ୟ୍ୟ ହାତକୁ ନେଇଛନ୍ତି । ଏହା ଦ୍ୱାରା ବର୍ତ୍ତମାନ ଥିବା ପରିମଳ ବ୍ୟବସ୍ଥା ଉପରେ ଅଧିକ ଚାପ ପଡିବାକୁ ଥିବାରୁ ଗୃହ ଓ ନଗର ଉନ୍ନୟନ ବିଭାଗ ବିଭାଗ ପକ୍ଷରୁ ଆଜି ଏହି ମର୍ମରେ ଶୌଚାଳୟରୁ ଫି ଛାଡ ପାଇଁ ପତ୍ର ଲେଖାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.