୨୦୧୬ର ନିୟମାବଳୀ ପାଳନ କରିବାକୁ କଟକ ସହରର ସମସ୍ତ କଲ୍ୟାଣ ମଣ୍ଡପକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ(କେନ୍ୟୁଜ୍):ନୂଆ ନିୟମାବଳୀ ଆସିବା ପର୍ଯ୍ୟନ୍ତ କଟକ ସହରର ସମସ୍ତ କଲ୍ୟାଣ ମଣ୍ଡପ ହାଇକେର୍ଟଙ୍କ ନିର୍ଦ୍ଦେଶରେ ୨୦୧୬ ନଭେମ୍ବର ୯ରେ ପ୍ରଣୟନ କରାଯାଇଥିବା ନିୟମ ପାଳନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି କୌଣସି କଲ୍ୟାଣ ମଣ୍ଡପ ୨୦୧୬ର ନିୟମାବଳୀର ଉଲ୍ଲଂଘନ କରନ୍ତି ତେବେ ଏ ନେଇ କୋର୍ଟ ମିତ୍ର ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଶୁଣାଣି ସମୟରେ ସିଏମସି ପକ୍ଷରୁ ଦାଖଲ ସତ୍ୟପାଠରୁ ସ୍ପଷ୍ଟ ହୋଇଥିଲା ଯେ କୋର୍ ସିଟି କଟକ ପାଇଁ ଯୋଜନା ଓ କୋଠା ମାନଦଣ୍ଡ ନିୟମାବଳୀ (ପ୍ଲାନିଂ ଆଣ୍ଡ୍ ବିଲ୍ଡିଂ ଷ୍ଟାଣ୍ଡର୍ଡ ରେଗୁଲେସନ୍) ପ୍ରସ୍ତୁତ ପାଇଁ ମୁମ୍ବାଇର କ୍ରିସିଲ ରିସ୍କ ଆଣ୍ଡ ଇନଫ୍ରାଷ୍ଟ୍ରକଚର ସଲ୍ୟୁସନ୍ ଲିମ‌ିଟେଡକୁ ଦାୟିତ୍ବ ଦିଆଯାଇଛି। ଏଥି ପାଇଁ ଗତ ଅଗଷ୍ଟ ୩ରେ ଏହି ସଂସ୍ଥା ସହିତ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ସଂସ୍ଥା ଡ୍ରାଫ୍ଟ ରେଗୁଲେସନ୍ ଦାଖଲ କରିବ।

ଏହା ଉପରେ ଜନସାଧାରଣଙ୍କ ମତାମତ ଆହ୍ବାନ କରାଯିବ। ଏହାପରେ ନୂଆ ନିୟମାବଳୀ ପ୍ରଣୟନ କରାଯିବ। ନୂଆ ନିୟମାବଳୀରେ ସହରର କଲ୍ୟାଣ ମଣ୍ଡପ ଗୁଡିକ ପାଇଁ ମଧ୍ୟ ସାନି ନିୟମ ରହିବ। ନୂଆ ନିୟମାବଳୀ ପ୍ରଣୟନ ପର୍ଯ୍ୟନ୍ତ ୨୦୧୬ର କଲ୍ୟାଣ ମଣ୍ଡପ ସଂପର୍କିତ ନିୟମ  କଡ଼ା କଡ଼ି ପାଳନ କରାଯାଉ ବୋଲି କୋର୍ଟ ମିତ୍ର ଦର୍ଶାଇଥିଲେ। ଅଧିକାଂଶ କଲ୍ୟାଣ ମଣ୍ଡପ ପ୍ରଚଳିତ ୨୦୧୬ର ନିୟମାବଳୀ ପାଳନ କରୁ ନାହାନ୍ତି ବୋଲି କୋର୍ଟ ମିତ୍ର କୋର୍ଟଙ୍କୁ ଅବଗତ କରାଇଥିଲେ। ଏଭଳି ସ୍ଥିତ‌ିରେ ୨୦୧୬ର ନିୟମାବଳୀ ପାଳନ କରାଯିବ ବୋଲି ହାଇକୋର୍ଟ ନିର୍ଦେଶନାମାରେ ସ୍ପଷ୍ଟ କରିଛନ୍ତି। ୨୦୨୨ ଜୁନ୍ ୨୧ରେ ମାମଲାର ପରବର୍ତ୍ତ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଆମିକସ୍ କ୍ୟୁରି ଅରୁଣ କୁମାର ବୁଦ୍ଧିଆ ଏହି ମାମଲାର ପରିଚାଳନା କରୁଛନ୍ତି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.