ଆଜିଠୁ ବିଧାୟକ, ମନ୍ତ୍ରୀ, ସୁରକ୍ଷା କର୍ମୀ ଓ ବିଧାନସଭା କର୍ମଚାରୀଙ୍କ ହେବ କୋଭିଡ୍‌ ଟେଷ୍ଟ, ନମୁନା ସଂଗ୍ରହ ପାଇଁ ୭ଟି ଟିମ୍‌ ଗଠନ

ଭୁବନେଶ୍ବର: ଆଜିଠୁ ବିଧାୟକ, ମନ୍ତ୍ରୀ, ସୁରକ୍ଷା କର୍ମୀ ଓ ବିଧାନସଭା କର୍ମଚାରୀଙ୍କ କରାଯିବ କୋଭିଡ୍‌ ଟେଷ୍ଟ । ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ । ଅଧିବେଶନ ପୂର୍ବରୁ ଆଜିଠାରୁ ୨୮ ତାରିଖ ଯାଏ ୩ ଦିନ ଧରି ଚାଲିବ କୋଭିଡ ଟେଷ୍ଟ। ନମୁନା ସଂଗ୍ରହ ପାଇଁ ୭ଟି ଟିମ୍‌ ଗଠନ କରାଯାଇଛି। କେବଳ ନେଗେଟିଭ ଥିବା ବ୍ୟକ୍ତିଙ୍କୁ ବିଧାନସଭାକୁ ପ୍ରବେଶ ପାଇଁ ଅନୁମତି ମିଳିବ। ଅଧିବେଶନ ସମୟରେ ପ୍ରତିଦିନ ବିଧାନସଭା ଗୃହକୁ ବିଏମସି ପକ୍ଷରୁ ସାନିଟାଇଜି କରାଯିବ।

ପାର୍ଲାମେଣ୍ଟ ଢାଞ୍ଚାରେ ବିଧାନସଭା ଅଧିବେଶନ ହେବ। ସାମାଜିକ ଦୂରତା ରକ୍ଷା କରି ସମୁଦାୟ ୧୪୫ ବିଧାୟକଙ୍କ ପାଇଁ ସିଟିଂ ଆରେଂଜମେଣ୍ଟ କରାଯାଇଛି। ବିଧାନସଭା ଗୃହ ଭିତରେ ୭୬ ଜଣ ବିଧାୟକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ସେହିପରି ଦର୍ଶକ ଗ୍ୟାଲେରୀରେ ବସିବେ ୫୨ ଜଣ ବିଧାୟକ। ସ୍ପିକର ଗ୍ୟାଲେରୀ ଓ ଡିଭି ଗ୍ୟାଲେରୀରେ ୯ ଜଣ ଲେଖାଏଁ ଏମଏଲଏ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରତି ବିଧାୟକଙ୍କ ଆସନ ସାମ୍ନାରେ ଲାଗିଛି ଗ୍ଲାସ । ଏହି ଅଧିବେଶନରେ ସମୁଦାୟ ୧୨ଟି ଅଧ୍ୟାଦେଶ ଆସିବ। ଏଥର ରବିବାରରେ ମଧ୍ୟ ଅଧିବେଶନ ଚାଲିବ। ମୋଟ ୮ଟି କାର୍ଯ୍ୟ ଦିବସ ରହିଛି ।