ଧାନ ବିକ୍ରିବଟା ପାଇଁ ଚାଷୀକୁ ଆଉ ହନ୍ତସନ୍ତ ହେବାକୁ ପଡିବ ନାହିଁ, ଖାଦ୍ୟ ଓ ସଂଗ୍ରହଣ ନୀତି ୨୦୨୧-୨୨କୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ

କେନ୍ୟୁଜ୍(ବ୍ୟୁରୋ): ଧାନ ଓ ଚାଉଳ ସଂଗ୍ରହ ପରିଚାଳନାର ସମସ୍ତ ପ୍ରକ୍ରିୟାକୁ ସୁପରିଚାଳନା କରିବାକୁ ରାଜ୍ୟ କ୍ୟାବିନେଟ ଖାଦ୍ୟ ଓ ସଂଗ୍ରହଣ ନୀତି ୨୦୨୧-୨୨କୁ ମଞ୍ଜୁରୀ ଦେଇଛନ୍ତି। ଖରିଫ ବିପଣନ ବର୍ଷ ୨୦୨୧-୨୨ ପାଇଁ ଅନ୍ତତଃ ୫୨ ଲକ୍ଷ ମେଟ୍ରିକ ଟନର ଚାଉଳ ସଂଗ୍ରହ କରାଯିବ। ଖରିଫ ଓ ରବି ଋତୁରେ ଧାନ ସଂଗ୍ରହର ଧାର୍ଯ୍ୟ ଲକ୍ଷ ୬୩ଲକ୍ଷ ଓ ୧୪ ଲକ୍ଷ ରହିବ। ପଞ୍ଜୀକୃତ ଚାଷୀଙ୍କ ଠାରୁ ଅଧିକ ଧାନ ମଣ୍ଡିକୁ ଆସିଲେ ତାକୁ ସରକାର କ୍ରୟ କରିବେ। ନଭେମ୍ବର ୨୦୨୧ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ଖରିଫ ଧାନ ସଂଗ୍ରହ କରାଯିବ। ରବି ଧାନ ୨୦୨୨ ମେ’ରୁ ଜୁନ ମଧ୍ୟରେ ସଂଗ୍ରହ କରାଯିବ। କେବଳ ପଞ୍ଜୀକୃତ ଚାଷୀଙ୍କ ଠାରୁ ସେମାନଙ୍କ ବଳକା ଧାନ ସଂଗ୍ରହ କରାଯିବ।

ସରକାରଙ୍କୁ ଧାନ ବିକ୍ରି ପାଇଁ ପରିଚୟ ପତ୍ର ଭାବେ ଆଧାର କାର୍ଡ ଗ୍ରହଣ କରାଯିବ। ଆଧାର ମାଧ୍ୟମରେ ପଞ୍ଜିକୃତ ଚାଷୀଙ୍କ ବାୟୋମେଟ୍ରିକ ଚିହ୍ନଟିକରଣ କରାଯିବ। ପଞ୍ଜିକୃତ ଯୋଗ୍ୟ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ପାଇଁ ଧାନ କିଣା ତାରିଖ ଓ ପରିମାଣକୁ ଚାଷୀଙ୍କ ମୋବାଇଲକୁ ଏସଏମଏସ ମାଧ୍ୟମରେ ସୂଚାଇ ଦିଆଯିବ। ଧାନ ବିକ୍ରୟ କରିବା ପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧୀକାର ପ୍ରଦାନ କରାଯିବ। କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ଏମଏସପି ଅନୁସାରେ ଧାନର ଦର ପ୍ରଦାନ କରାଯିବ। ଓଡ଼ିଶା ଯୋଗାଣ ନିଗମ ସମସ୍ତ ଜିଲ୍ଲାରେ ଧାନ ସଂଗ୍ରହ କରିବ। ଚାଷୀଙ୍କ ଧାନ ବିକ୍ରୀ ବାବଦ ପ୍ରାପ୍ୟ ତାଙ୍କ ବ୍ୟାଙ୍କ ଖାତାରେ ଅନଲାଇନରେ ସିଧାସଳଖ ପଠାଯିବ। ଧାନ ବିକ୍ରିର ୨୪ରୁ ୪୮ ଘଣ୍ଟା ମଧ୍ୟରେ ପ୍ରାପ୍ୟ ପ୍ରଦାନ କରାଯିବ। ବଳକା ଚାଉଳ ଭାରତୀୟ ଖାଦ୍ୟ ନିଗମ ମାଧ୍ୟମରେ କେନ୍ଦ୍ରୀୟ ଭଣ୍ଡାରକୁ ପ୍ରଦାନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.