ଅଭିଭାବକଙ୍କୁ ଆଶ୍ବସ୍ତି: ସ୍କୁଲ୍ ଖୋଲିଲେ ବି ଜାରି ରହିବ ଅନଲାଇନ୍ କ୍ଲାସ୍ !

ଭୁବନେଶ୍ବର(କେନ୍ଯୁଜ୍): ନୂଆବର୍ଷରେ ଖୋଲିବ ପ୍ରାଥମିକ ସ୍କୁଲ । ପ୍ରାଥମିକ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ନେଲେ ନିଷ୍ପତ୍ତି । ଜାନୁଆରି ୩ରୁ ରାଜ୍ୟର ୨୭ ହଜାର ବିଦ୍ୟାଳୟରେ ଏହି ୫ଟି ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ଶିକ୍ଷା ଆରମ୍ଭ କରାଯିବ। ପ୍ରଥମରୁ ପଞ୍ଚମ ଯାଏ ଚାଲିବ କ୍ଲାସ । ସକାଳ ୯ଟାରୁ ୧୨ ଟା ଯାଏ ଚାଲିବ ପାଠପଢ଼ା । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଦୀର୍ଘ ଦୁଇ ବର୍ଷ ପରେ ପ୍ରାଥମିକ ସ୍କୁଲ ଖୋଲିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି ।
ପୂର୍ବ ଗାଇଡ୍ଲାଇନ୍ ଅନୁସାରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ । ତେବେ ଯେଉଁଠି ପ୍ରଥମ ସମେଟିଭ୍ ପରୀକ୍ଷା ଚାଲିଛି, ସେହି ସ୍କୁଲ ଗୁଡ଼ିକ ଜାନୁଆରୀ ୧୦ ତାରିଖ ପରେ ଖୋଲିବ । ସ୍କୁଲ ଖୋଲିବା ନେଇ ଖୁବଶୀଘ୍ର ଜାରି ହେବ ଏସଓପି । ପାଖାପାଖି ଦୁଇ ବର୍ଷ ପରେ ଖୋଲିବ ପ୍ରାଥମିକ ସ୍କୁଲ ।
ଅନ୍ଯପଟେ ରାଜ୍ୟରେ କୋଭିଡ-୧୯ର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଉଥିବାବେଳେ ଫେବୃୟାରୀ ମାସ ଶେଷଆଡ଼କୁ କରୋନାର ତୃତୀୟ ଲହର ଓଡ଼ିଶାରେ ପିକରେ ପହଂଚିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସତର୍କ କରାଇଛି । ଆଉ ଏପଟେ ଜାନୁୟାରୀ ୩ତାରିଖରୁ ପ୍ରଥମରୁ ପଞ୍ଚମ ଯାଏ ରାଜ୍ୟ ସରକାରଙ୍କ ସ୍କୁଲ ଖୋଲିବା ନିଷ୍ପତିକୁ ନେଇ ଅଭିଭାବକ ଚିନ୍ତାରେ ।
ସବୁ ବର୍ଗର ସ୍କୁଲଗୁଡ଼ିକ ପାଇଁ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ୍ ଖୋଲିବାକୁ ଗାଇଡଲାଇନ୍ ଜାରି କରିଛନ୍ତି। ତେବେ ଏହି କୋମଳମତି ପିଲାଙ୍କ ପାଇଁ ଅଫଲାଇନ୍ କ୍ଲାସ ଆରମ୍ଭ କରିବାକୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ପରେ ଏବେ ଅନଲାଇନ୍ କ୍ଲାସକୁ ନେଇ ପ୍ରଶ୍ନ ଉଠିଛି। ଯଦି କେହି ଅଭିଭାବକ ନୂଆ ଭାରିଏଣ୍ଟ ଭୟରେ ପିଲାଙ୍କୁ ସ୍କୁଲ୍ ଛାଡିବାକୁ ଚାହିଁବେନି ତେବେ ସେହି ପିଲାମାନେ ଅନଲାଇନ୍ କ୍ଲାସ କରିପାରିବେ ତ?
ତେବେ କହିରଖୁଛୁକି, ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଯେଉଁଥିରେ ଦର୍ଶାଯାଇଛି ଯେ ଏବେ ଓଡ଼ିଶାରେ କରୋନା ସ୍ଥିତିରେ ଉନ୍ନତି ଆସିଛି। ସଂକ୍ରମିତଙ୍କ ସଂଖ୍ୟା କମୁଛି। ଅନ୍ଲାଇନ୍ ଶିକ୍ଷାକୁ ଅଧିକ ପ୍ରାଥମିକତା ଦେବାକୁ ବି କୁହାଯାଇଛି। ଯେଉଁ ସ୍କୁଲରେ ଅନ୍ଲାଇନ୍ କ୍ଲାସ ହେଉଛି ତାହା ଜାରି ରହିବ। ତେବେ ଅଭିଭାବକଙ୍କ ଅନୁମତି ଆଣି ଛାତ୍ରଛାତ୍ରୀ ଅଫଲାଇନ୍ କ୍ଲାସ କରିପାରିବେ। ମାତ୍ର ସେମାନଙ୍କୁ ବାଧ୍ୟ କରାଯାଇପାରିବ ନାହିଁ।
ସ୍କୁଲ ଖୋଲିବା ନେଇ ଜିଲ୍ଲାପାଳମାନେ ଚୂଡ଼ାନ୍ତ ପଦକ୍ଷେପ ନେଇପାରିବେ। କଣ୍ଟେନ୍ମେଣ୍ଟ ଜୋନ୍ରେ ରହୁଥିବା ଶିକ୍ଷକ, ଛାତ୍ରଛାତ୍ରୀ ଓ କର୍ମଚାରୀ ବିଦ୍ୟାଳୟ ଆସିବେ ନାହିଁ। କଣ୍ଟେନ୍ମେଣ୍ଟ ଜୋନ୍ ଅଞ୍ଚଳ ଭିତରେ ଥିବା ବିଦ୍ୟାଳୟ ଖୋଲିବ ନାହିଁ। ପ୍ରଧାନ ଶିକ୍ଷକମାନେ କ୍ୟାମ୍ପସକୁ ସଫାସୁତୁରା ରଖିବା ସହ ବିଶୋଧନ ଉପରେ ଗୁରୁତ୍ବ ଦେବେ।