ଭଞ୍ଜନଗର (କେନ୍ୟୁଜ) : ଆଜିର ମହଙ୍ଗା ଦୁନିଆରେ ଦୁଇ ପ୍ରାଣୀ ମାତ୍ର ୫୦୦ ଟଙ୍କା ଆଉ ୧୦ କେଜି ଚାଉଳରେ ଚଳି ପାରିବେ କି? ତାହେଲେ ଏହି ଭାଇ ଭଉଣୀ ଦୁହେଁ କେମିତି ଚଳୁଥିବେ ଭାବନ୍ତୁ । ଅସହାୟ ସେମାନେ । ତା ସହିତ ଦଇବ ବି ସେମାନଙ୍କୁ ଯେମିତି କଷ୍ଟ ଦେବାକୁ ଜନ୍ମ ଦେଇଛି । ଏମାନଙ୍କ ଜୀବନ ଏଯାଏ ଭଲ ଭାବେ ଆରମ୍ଭ ହୋଇନି ହେଲେ ଏମାନଙ୍କୁ କଲବଲ କରୁଛି ରୋଗ ଯନ୍ତ୍ରଣା।
ଗଂଜାମ ଜିଲ୍ଲା ଭଂଜନଗର ବ୍ଳକ ତିଳିସିଙ୍ଗି ପଞ୍ଚାୟତ ସାମରଡା ଗାଁରେ ରୁହନ୍ତି ଏହି ଦୁଇ ଅନାଥ ଭାଇ ଭଉଣୀ। ବୟସ କମ୍ କିନ୍ତୁ ଦୁଃଖ ବେଶି। ଯାହା କିଛି ସରକାରୀ ସହାୟତା ପାଉଛନ୍ତି ସେତିକରେ ଚଳିବା ଅତି କଷ୍ଟକର। ଇଏ ହେଉଛନ୍ତି ସାଗର। ବୟସ ମାତ୍ର ୨୩ ବର୍ଷ। କିନ୍ତୁ ତାଙ୍କ ଜୀବନରେ ଅସରନ୍ତି ଦୁଃଖ। ଅଜଣା ରୋଗ ତାଙ୍କ ଜୀବନକୁ କଲବଲ କରିଦେଉଛି । ଯେଉଁ ବୟସରେ ସେ ଘରର ବୋଝ ଉଠାଇବା କଥା ସେହି ବୟସରେ ସେ ନିଜେ ବଞ୍ଚିବା ପାଇଁ ଅନ୍ୟ ଉପରେ ନିର୍ଭର କରୁଛନ୍ତି। ଦିନ ରାତି ଅଣ୍ଟା ଓ ମେରୁଦଣ୍ଡରେ ଅସହ୍ଯ ଯନ୍ତ୍ରଣା ହେଉଛି। ବେଳେ ବେଳେ ଗୋଡ଼ ହାତ ବି ଅଚଳ ହୋଇଯାଉଛି।
ଆଉ ଏହି ଦୁଃଖ ସମୟରେ ସାଗର ପାଇଁ ଜଣେ ହିଁ ସାହା ଭରସା ପାଲଟିଛନ୍ତି । ସାଗର ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ହାତରେ ବାଡି ଧରି ନଇଁ ନଇଁ ଆସି ସାଗରର ଦେହକୁ ଆଉଁସି ଦିଏ। ଦିନ ତମାମ ସେବା କରେ, ଖୁଆଇ ପିଆଇ ଦିଏ। ତା ପାଇଁ ମଙ୍ଗଳ ମନାସି ତୁଳସୀ ମୂଳେ ପାଣି ଢାଳେ ପୁଣି ଠାକୁରଙ୍କ ନିକଟରେ ଦୀପ ଜାଳେ ପ୍ରତିଦିନ । ଏସବୁ ଦେଖିଲେ, ଯେକେହି ବି ଭାବିବେ ସାଗର ପାଇଁ ତାଙ୍କ ଜଜେ ମା’ କି ମା ବୋଧହୁଏ କରୁଥିବେ ନିଶ୍ଚୟ । ଆମେ ବି ତାଙ୍କ ଘରେ ଯେତେବେଳେ ପହଞ୍ଚିଥିଲୁ ସେୟା ହିଁ ଭାବିଥିଲୁ । କିନ୍ତୁ ଘଟଣା ଥିଲା ସଂପୂର୍ଣ୍ଣ ଅଲଗା। ହାତରେ ବାଡି ଧରି ନଇଁ ନଇଁ ଏସବୁ କାମ କରୁଥିବା ମଣିଷଟି ଥିଲେ ସାଗରଙ୍କର ବଡଭଉଣୀ ନମିତା। ଯାହାଙ୍କର ବୟସ ମାତ୍ର ୩୬ ବର୍ଷ । ନମିତାକୁ ଯେତେବେଳେ ୧୫ ବର୍ଷ ହୋଇଥିଲା ସେତେବେଳେ ତାଙ୍କର ବି ଅଣ୍ଟା ଓ ମେରୁଦଣ୍ଡ ଯନ୍ତ୍ରଣା ଆରମ୍ଭ ହେଲା । ଆଉ ଧୀରେ ଧୀରେ ଅଣ୍ଟା ନଇଁଗଲା । ଆଉ ଏବେ ଏଇ ଅବସ୍ଥା।
ପିଲାବେଳରୁ ହିଁ ମା ତାଙ୍କୁ ଛାଡି ଆରପାରିକୁ ଚାଲିଗଲେ। ସାଗର ଜନ୍ମ ହେବାର ଦେଢବର୍ଷ ପରେ ମା’ଙ୍କର ମୃତ୍ୟୁ ହେଲା । ବାପା ମଧ୍ୟ ଜଣେ ଭିନ୍ନକ୍ଷମ । ଯାହାପରେ ଏମିତି ନଇଁ ନଇଁ ପରିବାରର ଦାୟିତ୍ୱ ତୁଲାଇବାକୁ ପଡ଼ିଲା ନମିତାଙ୍କୁ । ଦୁଃଖେ କଷ୍ଟେ ଜୀବନ ଚାଲିଥିବା ବେଳେ ୩ ବର୍ଷ ତଳେ ବାପା ରାଜୁ ନାଇକ ମଧ୍ୟ ଆଖି ବୁଜିଦେଲେ । ତେଣୁ ବେସାହାରା ହୋଇପଡିଛନ୍ତି ଏହି ଭାଇ-ଭଉଣୀ । ପଞ୍ଚାୟତ ପକ୍ଷରୁ ମିଳୁଥିବା ୧୦ କିଲୋ ଚାଉଳ ଓ ଭଉଣୀକୁ ମିଳୁଥିବା ୫୦୦ ଟଙ୍କା ଭତ୍ତା ହିଁ ଏମାନଙ୍କ ସମ୍ବଳ। ତେବେ ମାତ୍ର ଏତିକିରେ ମାସ ତମାମ ଚଳିବା କଷ୍ଟକର ହୋଇପଡୁଛି। ବେଳେ ବେଳେ ଏମାନଙ୍କ ଦୁଃଖ ଦେଖି ସାହିପଡିଶା ବି ଖାଇବାକୁ ଦେଇଦିଅନ୍ତି।
ବାପା , ମା’ ଙ୍କ ମୃତ୍ୟୁ ପରେ ଭିନ୍ନକ୍ଷମ ଭଉଣୀର ଏକମାତ୍ର ଭରସା ଥିଲା ସାନ ଭାଇ ସାଗର । ହେଲେ ସେ ଏବେ ଓଲଟା ଭଉଣୀ ପାଇଁ ବୋଝ ପାଲଟି ଯାଇଛି। କେବଳ ଭଉଣୀ ଆଖିର ଲୁହ ପୋଛିଦେବା ବ୍ଯତୀତ ଆଉକିଛି ଉପାୟ ନାହିଁ ସାନଭାଇ ପାଖରେ । ଉଭୟ ଭାଇ ଭଉଣୀ ଏବେ ଚାହିଁ ରହିଛନ୍ତି ଚିକିତ୍ସାକୁ। ହେଲେ ଏମାନେ ନିଜେ ଡାକ୍ତରଖାନା ଯିବା ଯେଉଁଠି ସମ୍ଭବ ହେଉନି ସେଠି ଚିକିତ୍ସା କରାଇବେ ବା କେମିତି ? ପୁଣି ଆର୍ଥିକ ସ୍ଥିତି ମଧ୍ୟ ଏଭଳି ନାହିଁ ଯେ ଡାକ୍ତର ଫିସ୍ ଦେଇ ପାରିବେ କି ଔଷଧ କିଣି ପାରିବେ । ତେଣୁ କେବଳ ସରକାରୀ କି ବେସରକାରୀ ସହାୟତା ଏମାନଙ୍କ ଜୀବନ ରକ୍ଷା କରିପାରିବ ।