କେନ୍ଦ୍ରାପଡା: ସ୍କୁଟି ଚାଳକଙ୍କୁ ବଞ୍ଚାଇବୁ ଯାଇ ବିଲରେ ଓଲଟି ପଡିଲା ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କେନ୍ଦ୍ରାପଡା(କେନ୍ୟୁଜ୍): କଟକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଭୟଙ୍କର ଦୁର୍ଘଟଣା। ଜଣେ ସ୍କୁଟି ଚାଳକଙ୍କୁ ବଞ୍ଚାଇବୁ ଯାଇ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ରାସ୍ତାକଡ଼ରେ ଥିବା ବିଲକୁ ଓଲଟି ପଡ଼ିଛି। କିନ୍ତୁ ଭଗବାନ ସମସ୍ତ ଯାତ୍ରୀଙ୍କ ଜୀବନକୁ ରକ୍ଷା କରିଦେଇଛନ୍ତି । ଏତେବଡ ଦୁର୍ଘଟଣା ପରେ ମଧ୍ୟ କାହାର ମୃତ୍ୟୁ ହୋଇନାହିଁ। ତେବେ କିଛି ଯାତ୍ରୀ ଆହାତ ହୋଇଛନ୍ତି, ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ ଆଜି ସନ୍ଧ୍ୟା ୫ଟା ବେଳେ ପବନ ପୁତ୍ର ନାମକ ଏକ ଯାତ୍ରୀବାହୀ ବସ୍ ( ଓଆର ୦୪ ଏଫ-୧୧୨୫) କଟକରୁ କେନ୍ଦ୍ରାପଡ଼ା ଅଭିମୁଖେ ଆସୁଥିଲା । ଏହି ସମୟରେ ଜମଧରସ୍ଥିତ ନର୍ସରୀ ପାଖରେ ଜଣେ ସ୍କୁଟି ଚାଳକ ବସ ଆଗକୁ ଚାଲି ଆସିଥିଲେ । ଯାହା ଫଳରେ ବସ ଡ୍ରାଇଭର ସ୍କୁଟି ଚାଳକଙ୍କୁ ବଞ୍ଚାଇବାକୁ ଯାଇ ବସକୁ ବ୍ରେକ୍ ଦେଇଦେଲେ। ଯାହାଫଳରେ ବସଟି ବିଲ ମଧ୍ୟକୁ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ସ୍କୁଟି ଚାଳକ ଅଳ୍ପକେ ବର୍ତ୍ତି ଯାଇ ସାମନ୍ୟ ଆହତ ହୋଇଛନ୍ତି। ବସରେ ପାଖାପାଖି ୩୦ ଜଣ ଯାତ୍ରୀ ଥିବାର ଜଣାପଡିଛି । ଏମାନଙ୍କ ମଧ୍ୟରୁ କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକଙ୍କର ସହାୟତାରେ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।