ମାତ୍ର ଦଶ ଦିନ ତଳେ ପେଟ୍ରୋଲ ପମ୍ପରେ କାମ ଆରମ୍ଭ କରିଥିଲେ ସତ୍ୟ ନାୟକ, ବିସ୍ଫୋରଣ ନେଇଗଲା ଜୀବନ

ଭଞ୍ଜନଗର (କେ ନ୍ୟୁଜ୍‌) : ଭୁବନେଶ୍ୱର ପେଟ୍ରୋଲ ପମ୍ପ ନିକଟରେ ବିସ୍ଫୋରଣ ଘଟଣାରେ ଜଣକର ମୃତ୍ୟୁ ହୋଇଛି । ସରକାରୀ ଭାବେ ଏକଥା ଘୋଷଣା କରାଯାଇଛି । ସେ ହେଉଛନ୍ତି ଗଂଜାମ ଜିଲ୍ଲା ଆସିକା ଅନ୍ତର୍ଗତ ରଘୁନାଥନଗରର ସତ୍ୟ ନାୟକ । ବୟସ ମାତ୍ର ୩୭ ବର୍ଷ । ମୃତ୍ୟୁ ଯେମିତି ତାଙ୍କୁ ହାତ ଠାରି ଡାକି ନେଲା । ଦଶ ଦିନ ତଳେ ସେ ନିଜ ଘରୁ ଆସି ଏହି ପେଟ୍ରୋଲ ପମ୍ପରେ କାମ ଆରମ୍ଭ କରିଥିଲେ । ହେଲେ ମାସଟିଏ କଣ ୧୫ ଦିନ ବି ପୂରିନି ଚାଲିଗଲା ଜୀବନ । ପୁଣି ମୃତ୍ୟୁ ଆସିଲା ଅତି ନିର୍ଦ୍ଦୟ ଭାବରେ । ମୁହୂର୍ତ୍ତକ ଭିତରେ ଘଟିଗଲା ଅଘଟଣ ।

ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସପିଟାଲ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଆଘାତ ଏତେ ଗୁରୁତର ଥିଲା ଯେ ଡାକ୍ତରଙ୍କ ସବୁ ପ୍ରଚେଷ୍ଟା ସତ୍ତ୍ୱେ ଆଜି ସକାଳ ୭ଟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କ ଶରୀରର ୬୦ ଭାଗ ପୋଡ଼ି ଯାଇଥିଲା । ଏହା ସହିତ ମୁଣ୍ଡ ଓ ଛାତିରେ ମଧ୍ୟ ଭୀଷଣ ଆଘାତ ଲାଗିଥିଲା ।

SATYA NAYAK-3

ସତ୍ୟ ନାୟକଙ୍କ ମୃତ୍ୟୁ ହୋଇଥିବା କଥା ଜାଣିବା ତାଙ୍କ ପରିବାରରେ କାନ୍ଦ ବୋବାଳି ପଡ଼ିଛି । ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ସମସ୍ତେ। କାରଣ ସେ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ । ଏଇ ମାତ୍ର ଦଶଦିନ ପୂର୍ବରୁ ଭୁବନେଶ୍ୱର ଯାଇ ସେହି ପେଟ୍ରୋଲ ପମ୍ପରେ କାମ କରୁଥିଲେ। ଘରେ ରୋଗିଣା ବୁଢ଼ୀ ମା’, ସ୍ତ୍ରୀ ଓ ୭ ବର୍ଷର ଗୋଟିଏ ପୁଅ । ସତ୍ୟ ଆହତ ହୋଇଥିବା ଖବର ପରିବାର ଲୋକେ ପ୍ରଥମେ ଜାଣିଥିଲେ ମଧ୍ୟ ମୃତ୍ୟୁ ସଂକ୍ରାନ୍ତରେ ଅବଗତ ହୋଇନଥିଲେ । ଏପଟେ କଟକରୁ ସତ୍ୟଙ୍କ ମୃତ ଦେହ ଆସିକା ଅଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.