ଛାତରୁ ଖସିଲା ପ୍ଲାଷ୍ଟର,ଅଳ୍ପକେ ବର୍ତ୍ତିଲେ ଛାତ୍ର ଛାତ୍ରୀ

ଛାତରୁ ଖସି ପଡ଼ିଲା ପ୍ଲାଷ୍ଟର । ଅଳ୍ପକେ ଜୀବନ ପାଇଲେ ଛାତ୍ରଛାତ୍ରୀ ।

ବାଲେଶ୍ୱର : ମହାବିଦ୍ୟାଳୟରେ କ୍ଲାସ୍‌ କରୁଥିଲେ ଛାତ୍ର ଛାତ୍ରୀ । ଛାତରୁ ଖସି ପଡ଼ିଲା ପ୍ଲାଷ୍ଟର । ଅଳ୍ପକେ ଜୀବନ ପାଇଲେ ଛାତ୍ରଛାତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ଥା ବ୍ଲକ ଅନ୍ତର୍ଗତ ଅମର୍ଦାରୋଡ ସ୍ଥିତ ସିଦ୍ଧେଶ୍ୱର ମହାବିଦ୍ୟାଳୟରେ।

ସୁଚନା ଅନୁଯାୟୀ, ଅମର୍ଦାରୋଡ ସିଦ୍ଧେଶ୍ୱର ମହାବିଦ୍ୟାଳୟରେ ଚାଲିଛି ନିର୍ମାଣ କାର୍ଯ୍ୟ ।କଲେଜର ଉପର ମହଲାରେ ଛାତର ମରାମତି କରାଯାଇ ପ୍ଲାଷ୍ଟର କରାଯାଇଛି । ହେଲେ ୧୫ ଦିନ ନପୁରୁଣୁ ଛାତରୁ ଖସୁଛି ପ୍ଲାଷ୍ଟର । ଭୟରେ ଥରହର ଛାତ୍ର ଛାତ୍ରୀ । ବିପଦ ଘେରରେ ଛାତ୍ର ଛାତ୍ରୀଙ୍କ ଜୀବନ ଥିବାରୁ ପାଠ ପଢ଼ିବାକୁ କିପରି କଲେଜ ଆସିବେ ସେନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ତେବେ ରାଜ୍ୟ ସରକାର ମଧ୍ୟ 5 -ଟି ଯୋଜନାରେ ଅର୍ନ୍ତଭୁକ୍ତ କରି ଏହି ମହାବିଦ୍ୟାଳୟର ନବକଳେବର ପାଇଁ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ମାତ୍ର ଏହା ଅତ୍ୟନ୍ତ ନିମ୍ନ ମାନର ହେଉଥିବା ଦେଖିବାକୁ ମିଳିଛି । ମରାମତିର ମାତ୍ର ୧୫ ଦିନ ନପୁରୁଣୁ ଛାତରୁ ଖସୁଛି ପ୍ଲାଷ୍ଟର ।

ତେବେ ଗତକାଲି କଲେଜ ଚାଲିଥିବା ବେଳେ ଛାତ୍ର ଛାତ୍ରୀ ମାନେ ଯାତାୟତ କରୁଥିବା ବେଳେ କିଛି ଛାତ୍ର ଛାତ୍ରୀ ୨୧ ନମ୍ବର ହଲ ସମ୍ମୁଖରେ ପଡିଥିବା ଏକ ବେଞ୍ଚ ଉପରେ ବସିଥିଲେ । ମାତ୍ର ସେମାନେ ଆସିବାର କେଇ ସେକେଣ୍ଡ ଭିତରେ ପାଖାପାଖି ୨୦ ସ୍କୋୟାର ଫୁଟର ପ୍ଲାଷ୍ଟର ଖସିଥିଲା । ତେବେ ସୌଭାଗ୍ୟକୁ ଯାତାୟତ କରୁଥିବା କିମ୍ବା ବସିଥିବା ପିଲାମାନଙ୍କର କୌଣସି କ୍ଷତି ହୋଇ ନଥିଲା ।
ଏବେବି ଛାତରେ ପ୍ଲାଷ୍ଟର ଛାଡି ରହିଥିବାରୁ କେତେବେଳେ ଖସିବ ତାହା କହି ହେବନି । ତେବେ ଛାତ୍ର ଛାତ୍ରୀ ମାନେ କିପରି କଲେଜରେ ଶିକ୍ଷା ଗ୍ରହଣ କରି ତାହା ଚିନ୍ତାର ବିଷୟ ପାଲଟିଛି । ଏନେଇ କଲେଜର ଅଧ୍ୟକ୍ଷଙ୍କୁ ପଚାରିବାରୁ ଏବାବଦରେ ବିଡିଓ ଏବଂ ନିର୍ବାହୀ ଯନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.