ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ମାଡ଼ ହେବ ଅମ୍ଫାନ୍, ବାତ୍ୟା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ସାମୁଦ୍ରିକ ଝଡ଼ ଅମ୍ଫାନ୍ ଆଜି ସନ୍ଧ୍ୟାରେ ଉଗ୍ରରୂପ ଧାରଣ କରିବା ସମ୍ଭାବନା ରହିଛି। ବୁଧବାର ଘଣ୍ଟା ପ୍ରତି ୧୮୫ କିଲୋମିଟର ବେଗରେ ଏହି ମହାବାତ୍ୟା ପଶ୍ଚିମବଙ୍ଗ ଓ ବାଲାଂଦେଶ ତଟରେ ସ୍ଥଳ ଭାଗକୁ ସ୍ପର୍ଶ କରିବା ଆଶଙ୍କା ରହିଛି। ବାତ୍ୟାର ଭୟବହତାକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ପଶ୍ଚିମବଙ୍ଗ ଓ ଓଡ଼ିଶା ସରକାରଙ୍କ ପାଇଁ ପରାମର୍ଶ ଜାରି କରିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ଗୃହ ମନ୍ତ୍ରଣାଳୟ, ଏମ୍ଡିଏମ୍ଏ ଓ ଏନ୍ଡିଆରଏଫ୍ର ଅଧିକାରୀମାନେ ଉପସ୍ଥିତ ଥିଲେ।
ପାଣିପାଗ ବିଭାଗର ସୂଚନାନୁସାରେ, ଅମ୍ଫାନ୍ ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ କରିବ। ଏହାର ପ୍ରଭାବରେ ଓଡ଼ିଶାରେ ୧୩୫ କିଲୋମିଟର ବେଗରେ ପବନ ବୋହିବ। ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଆଦି ୪ଟି ଜିଲ୍ଲାରେ ଏହାର ଅଧିକ ପ୍ରଭାବ ପଡ଼ିବ। ମେ ୨୦ ତାରିଖ ଦ୍ୱିପ୍ରହର କିମ୍ବା ସନ୍ଧ୍ୟାରେ ଏହା ସ୍ଥଳ ଭାଗ ସ୍ପର୍ଶ କରିବ।
ଅମ୍ଫାନ୍ ପ୍ରଭାବରେ ଓଡ଼ିଶାର କେତେକ ସ୍ଥାନରେ ହାଲକା ବର୍ଷା ହେବା ସମ୍ଭାବନା ରହିଛି। ଖାସ୍ କରି ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ଖୋର୍ଦ୍ଧା, ନୟାଗଡ଼ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏଣୁ ଏହି ଅଞ୍ଚଳ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଥିବା ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର ପି କେ ଜେନା କହିଛନ୍ତି।