ବିଶ୍ୱ କବି ମହାକୁମ୍ଭକୁ ଆସିଥିବା କବିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଏହାର ସଫଳତା କାମନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭାରତରେ ୩୯ତମ ବିଶ୍ୱ କବି ମହାକୁମ୍ଭ ଆୟୋଜନ ଗୌରବର କଥା। ନିଜ ବାର୍ତ୍ତାରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ସଂଯୋଗ ବଶତଃ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ବେଳେ ଓ୍ଵାର୍ଲଡ କଂଗ୍ରେସ ଅଫ୍‌ ପୋଏଟ୍‌ସ ତାର ସ୍ୱର୍ଣ୍ଣ ଜୟନ୍ତୀ ପାଳନ କରୁଛି। କବିତା ମନୁଷ୍ୟର ଭାବାବେଗର ସ୍ୱତଃସ୍ଫୁର୍ତ୍ତ ପରିପ୍ରକାଶ ବୋଲି ସର୍ବତ୍ର ବିଶ୍ୱାସ କରାଯାଏ। ବହୁ ପୁରାତନ କାଳରୁ ଆମ ଦେଶରେ କବି ଓ ସନ୍ନ୍ୟାସୀମାନେ ସଂହିତା (ସଂଗ୍ରହ) ରଚନା କରୁଥିଲେ। ମୁଖ ଓ ଶବ୍ଦ ମାଧ୍ୟମରେ ଏହାର ପ୍ରସାର ହେଉଥିଲା। ଭାରତୀୟ କବିତା ଆକାଶର ଅନେକ ଉଜ୍ୱଳ ଜ୍ୟୋତିଷ୍କଙ୍କ ସହ ଏଭଳି ଗୌରବମୟ ପରଂପରା ଚାଲିଥିଲା ଯାହା ଆମ ସଂସ୍କୃତିର ପରିସୀମାକୁ ଆହୁରି ସୌନ୍ଦର୍ଯ୍ୟମୟ କରିଛି। ଏକବିଂଶ ଶତାବ୍ଦୀରେ ସାରା ବିଶ୍ୱର କବିଙ୍କ ମଧ୍ୟରେ ଭାବ ବିନିମୟ, ପରସ୍ପରର ସଂସ୍କୃତି, ଭାଷା ଓ ସାହିତ୍ୟକୁ ଜାଣିବା ପାଇଁ ଏହା ଏକ ବଡ଼ ମଞ୍ଚ। ମୁଁ ନିଶ୍ଚିତ, ସାରା ପୃଥିବାରୁ ଯୋଗ ଦେଉଥିବା କବିମାନେ ଏହାକୁ ଉପଭୋଗ କରିବେ ଓ ପରସ୍ପରର କବିତାକୁ ସମାଦର କରିବେ। ପ୍ରତ୍ୟେକଙ୍କ ଭିତରେ ବନ୍ଧୁତାର ବନ୍ଧନ ଓ ସୌହାର୍ଦ୍ୟ ବୃଦ୍ଧି ହେବ। ଭାରତକୁ ଆସିଥିବା କବିମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଭୁବନେଶ୍ୱର କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍‌ନୋଲୋଜି ଆଣ୍ଡ କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍‌ସ ଦ୍ୱାରା ଆୟୋଜିତ ବିଶ୍ୱ କବି ମହାକୁମ୍ଭର ସଫଳତା କାମନା କରୁଛି। ଡବ୍ଲୁସିପିର ଏହି କାର୍ଯ୍ୟକ୍ରମକୁ ସ୍ୱର୍ଣ୍ଣ ଜୟନ୍ତୀ ଉତ୍ସବ ଆନନ୍ଦଦାୟକ କରୁ।

ଭୁବନେଶ୍ୱର ସ୍ଥିତ କିଟ୍‌ ଓ କିସ୍‌ କ୍ୟାମ୍ପସ୍‌ରେ ୨୦୧୯ ଅକ୍ଟୋବର ୨ ରୁ ୬ ତାରିଖ ପର୍ଯ୍ୟନ୍ତ ବିଶ୍ୱ କବି କଂଗ୍ରେସ ଆୟୋଜିତ ହେଉଥିବା ଜାଣି ଖୁସି ଲାଗିଲା। ଏହା ଆନନ୍ଦର କଥା, ଯେ ବିଶ୍ୱ କବି କଂଗ୍ରେସର ୩୯ତମ ଅଧିବେଶନ ସହ ଡବ୍ଲୁସିପିର ସ୍ୱର୍ଣ୍ଣ ଜୟନ୍ତୀ ଓ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଏକ ସମୟରେ ପାଳନ ହେଉଛି। ଏଥିରେ ତିଳେହେଲେ ସଂଦେହ ନାହିଁ, ଯେ ଏଥିରେ ସାରା ପୃଥିବୀର ବହୁ ସୃଜନାତ୍ମକ କବିଙ୍କ ଅଂଶଗ୍ରହଣ, ନବୋଦିତ ଲେଖକ ଓ କବିଙ୍କ ପାଇଁ ଜ୍ଞାନ ଓ ବିଶାଳ ଅନୁଭୂତି ଦାୟକ ହେବ। କବିଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇବା ସହ ୩୯ତମ ବିଶ୍ୱ କବି କଂଗ୍ରେସର ସଫଳତା କାମନା କରୁଛି ବୋଲି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ କହିଛନ୍ତି।

ସେହିପରି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ଭୁବନେଶ୍ୱର ସ୍ଥିତ କିଟ୍‌ ଓ କିସ୍‌ କ୍ୟାମ୍ପସ୍‌ରେ ୨୦୧୯ ଅକ୍ଟୋବର ୨ ରୁ ୬ ତାରିଖ ପର୍ଯ୍ୟନ୍ତ ବିଶ୍ୱ କବି କଂଗ୍ରେସ ଆୟୋଜିତ ହେଉଥିବା ଜାଣି ଖୁସି ଲାଗିଲା। ଏଭଳି ଏକ ଗୌରବମୟ ସାହିତ୍ୟ ଆସର ପାଇଁ ଆୟୋଜକମାନଙ୍କୁ ଅଭିନନ୍ଦନ ଜଣାଉଛି। ସମାଜରେ ପ୍ରେମ, ସହାନୁଭୂତି, ଶାନ୍ତି ଓ ଭ୍ରାତୃଭାବ ଭଳି ମାନବୀୟ ମୂଲ୍ୟବୋଧର ପ୍ରତିଷ୍ଠା ଦିଗରେ କବିଙ୍କ ଭୂମିକା ଗଭୀରତର ହେଉଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି କହିଛନ୍ତି ପ୍ରତାପ ଷଡ଼ଙ୍ଗୀ। ଏହାସହ ସେ ୩୯ତମ ବିଶ୍ୱ କବି କଂଗ୍ରେସର ସଫଳତା କାମନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.