ଗାଁର ସବୁ ଚୋରି ଜିନିଷ ମିଳିଲା ଜଣଙ୍କ ଘରୁ, କମ୍ପ୍ୟୁଟରଠୁ ଡାଲି ଚାଉଳ ଯାଏଁ ପରିବାରର ସମସ୍ତେ ମିଶି ଲୁଟିଥିଲେ ୨୦ ଲକ୍ଷର ସାମଗ୍ରୀ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଥାନା ଡଙ୍ଗାମରା ଗାଁ ସଦାଶିବ ବନଛୋରଙ୍କ ଘରୁ ମିଳିଲା ଗାଁର ସମସ୍ତଙ୍କ ଚୋରି ସାମଗ୍ରୀ। ଏହି ମାମଲାରେ ପୋଲିସ ପରିବାରର ୪ ଜଣଙ୍କୁ ଗିରଫ କରିଛି। ଗିରଫ ୪ ଜଣ ହେଲେ କୁଖ୍ୟାତ ଚୋର ସଦାଶିବ ବନଛୋରଙ୍କ ବାପା ଗଣେଶ ବନଛୋର, ମା’ ତୁଲସା ବନଛୋର, ଭଉଣୀ କୁମାରୀ ବନଛୋର, ସ୍ତ୍ରୀ ତପସ୍ୱିନୀ ବନଛୋର। ଗିରଫ ୪ ଜଣଙ୍କୁ କଣ୍ଟାବାଞ୍ଜି ଜେଏମଏଫସି କୋର୍ଟକୁ ଚାଲାଣ କରାଯାଇଥିଲା। କିନ୍ତୁ ସେଠାରେ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସୂଚନା ଅନୁସାରେ, ଫେବ୍ରୁଆରି ୨୬ ତାରିଖ ଦିନ କଣ୍ଟାବାଞ୍ଜି ପୋଲିସ ଡଙ୍ଗାମରା ଗାଁର ସତାଶିବ ବନଛୋରଙ୍କ ଘରେ ଚଢଉ କରିଥିଲା। ଚଢଉ ବେଳେ ଯାହା ମିଳିଥିଲା ତାହା ଦେଖି ପୋଲିସ ସମେତ ପୂରା ଗାଁ ତାଜୁବ ହୋଇଯାଇଥିଲା। କାରଣ ଆଖ ପାଖ ଥାନାରେ ଯେତେ ସବୁ ଚୋରି ଅଭିଯୋଗ ହୋଇଥିଲା, ସେ ସବୁ ସାମଗ୍ରୀ ସଦାଶିବଙ୍କ ଘରୁ ମିଳିଥିଲା। ଚୋରି ସାମଗ୍ରୀର ପରିମାଣ ଏତେ ଥିଲା ଯେ ପୋଲିସକୁ ଜବତ କରି ଥାନାକୁ ନେବାକୁ ଦୁଇ- ତିନିଟି ଚାରି ଚକିଆ ଗାଡି ଭଡା କରିବାକୁ ପଡିଥିଲା।

ସେହି ସାମଗ୍ରୀ ମଧ୍ୟରେ ଦାମୀ କ୍ୟାମେରା, କମ୍ପ୍ୟୁଟର, ଲାପଟପ, ପ୍ରିଣ୍ଟର, ଲୁହା ଛଡ଼, ଦାମୀ ଆସବାବ ପତ୍ର, ମୋଟର ସାଇକେଲ ଏମିତିକି ଡାଲି, ଚାଉଳ ବି ଥିଲା। ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରିଛି ପୋଲିସ। ତେବେ ମୁଖ୍ୟ ଅଭିଯୁକ୍ତ ସଦାଶିବ ଏବେ ବି ଫେରାର ଥିବା ବେଳେ ତାର ପରିବାରର ୪ଜଣଙ୍କୁ ଏହି ମାମଲାରେ ସଂପୃକ୍ତ ଥିବା ଯୋଗୁ ଗିରଫ କରାଯାଇଥିବା ନେଇ କଣ୍ଟାବାଞ୍ଜି ଏସଡିପିଓ ସୂଚନା ଦେଇଛନ୍ତି।

Also Read: ୟୁକ୍ରେନ୍‌ରେ ରୁଷ୍‌ ଆକ୍ରମଣରେ ଗଲା ଫ୍ରାନ୍ସ ସାମ୍ବାଦିକଙ୍କ ଜୀବନ, ଟ୍ଵିଟ୍‌ ଯୋଗେ ସୂଚନା ଦେଲେ ରାଷ୍ଟ୍ରପତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.