ଭୁବନେଶ୍ୱର: ମଣିଷ ପଣିଆ ଦେଖାଇଲେ ଟ୍ରାଫିକ୍ କନେଷ୍ଟବଳ, ଦିବ୍ୟାଙ୍ଗଙ୍କୁ କୋଳରେ ବୋହି କଲେ ରୋଡପାର
ଭୁବନେଶ୍ୱର(କେନ୍ୟୁଜ୍): ଦିନକୁ ଦିନ ପୋଲିସ ଉପରେ ଲୋକଙ୍କ ଆସ୍ଥା ଯେତିକି ଉଠିବାରେ ଲାଗୁଛି, ସେତିକି ପୋଲିସ ବିଭାଗର କିଛି କର୍ମଚାରୀଙ୍କ ମହାନତା ପଦାକୁ ଆସିବାରେ ଲାଗିଛି। ପ୍ରତିଦିନ ଏମିତି କିଛି ଘଟଣା ଖବର କାଗଜରେ ପ୍ରକାଶିତ ହେଉଛି। କିଛି ଦିନ ତଳେ ଦୁଇ ଟ୍ରାଫିକ୍ କନେଷ୍ଟବଳ ମଦ ପିଇ ଡ୍ୟୁଟି କରୁଥିବା ବେଳେ ଏକ ପ୍ରମୁଖ ଗଣମାଧ୍ୟମ ଏହି ଖବର ପ୍ରସାରଣ କରିଥିଲା। ଯାହା ଫଳରେ ଦୁଇ କନେଷ୍ଟବଳଙ୍କୁ ନିଳମ୍ବନ କରାଯିବା ସହ ସେମାନଙ୍କୁ କମିଶନର ପୋଲିସରୁ ଜିଲ୍ଲା ପୋଲିସ ସୁନ୍ଦରଗଡ ଓ ମାଲକାନଗିରିକୁ ଟ୍ରାନ୍ସଫର କରାଯାଇଥିଲା। କିନ୍ତୁ ସେହି ଭୁବନେଶ୍ୱରରେ ଟ୍ରାଫିକ୍ କନେଷ୍ଟବଳଙ୍କ ଏକ ଏମିତି ଦୃଶ୍ୟ ଆସିଛି ଯାହା ପୋଲିସ ବିଭାଗ ପ୍ରତି ଏକ ଗର୍ବ ସୃଷ୍ଟି କରୁଛି।
ଗତ ୪ ସେପ୍ଟେମ୍ବର ମଧ୍ୟାହ୍ନରେ ଖଣ୍ଡଗିରି ଛକରେ ଜଣେ ଅସହାୟ ଦିବ୍ୟାଙ୍ଗ ବ୍ୟକ୍ତି ରାସ୍ତା ପାର ହେବା ପାଇଁ ଅପେକ୍ଷା କରି ରହିଥିଲେ। କିନ୍ତୁ ଛକ ବହୁତ ଜାମ୍ ଥିବାରୁ ରୋଡ ପାର ହୋଇ ଯାଇପାରୁନଥିଲେ । ବହୁଥର ରାସ୍ତା ପାର ହେବା ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ସଫଳ ହୋଇପାରୁ ନଥିଲେ। ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଉଦ୍ୟମକୁ କିନ୍ତୁ ଦୂରରୁ ଥାଇ ମାର୍କ କରୁଥିଲେ କନେଷ୍ଟବଳ ରବିନାରାୟଣ ବେହେରା। ସଙ୍ଗେ ସଙ୍ଗେ ରବିନାରାୟଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ନିକଟକୁ ଯାଇ ତାଙ୍କୁ ରାସ୍ତା ପାର କରିବା ପାଇଁ ସାହାର୍ଯ୍ୟ କରିଥିଲେ। କିନ୍ତୁ ବ୍ୟକ୍ତି ଜଣକ ଠିକରେ ଚାଲି ପାରୁନଥିବାରୁ ରାସ୍ତା ପାର ହେବା ବିଳମ୍ବ ହେବ ବୋଲି କହିଥିଲେ। ଏକଥା ଶୁଣି ରବିନ୍ଦ୍ର ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ନିଜ ହାତରେ ଉଠାଇ ବୋହି ନେଇ ରାସ୍ତା ପାର କରିଥିଲେ। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। କନେଷ୍ଟବଳଙ୍କ ଏଭଳି ସେବା ମନବୃତ୍ତି ପାଇଁ ସବୁ ଆଡୁ ତାଙ୍କୁ ପ୍ରଶଂସାର ଶୁଅ ଛୁଟୁଛି ।