ବିବାହ ମଣ୍ଡପରୁ ବରକୁ ଉଠାଇନେଲା ପୋଲିସ, ବର କରିଥିଲା ଏମିତି କାର୍ଯ୍ୟ

ରାଇରଙ୍ଗ୍‌ପୁର : ବେଦୀ ନିକଟରେ ବାଜୁଥିଲା ଶୁଭ ସାହାନାଇ । ପଡିଯାଇଥିଲା ବରକନ୍ୟାଙ୍କ ହାତ ଗଣ୍ଠି । ମହୁରୀ ସମାଜର ପରମ୍ପରା ଅନୁସାରେ ସରିଆସୁଥିଲା ବିବାହ ରୀତିନୀତି । ହେଲେ ଅଚାନକ୍‌ ଆସି ପହଞ୍ଚିଲା ପୋଲିସ ।

ସମସ୍ତଙ୍କ ହସ ଖୁସିରେ ପୂର୍ଣ୍ଣଛେଦ୍‌ ପକାଇ ବରକୁ ଉଠାଇନେଲା ଥାନାକୁ । ସମସ୍ତେ ହୋଇଯାଇଥିଲେ ହତବାକ୍‌ । ଘଟଣା ସମ୍ପର୍କରେ ବୁଝିବା ପୂର୍ବରୁ ପୋଲିସ ବରକୁ ନେଇ ଚାଲିଯାଇଥିଲା ଥାନାକୁ ।

ଆଉ ହଟହଟା ହେବାକୁ ପଡିଥିଲା ଉଭୟ ବର ଓ କନ୍ୟା ପରିବାରଙ୍କୁ । ବୁଝୁ ବୁଝୁ ବର କରୁଥିଲେ ଦ୍ୱିତୀୟ ବିବାହ । ପ୍ରଥମ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ଆସିଥିଲା ପୋଲିସ । ଏଭଳି ଅଭାବନୀୟ ଘଟଣା ସାମନାକୁ ଆସିଛି ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ସହରରେ ।

ସୂଚନାନୁଯାୟୀ, ପ୍ରଥମ ସ୍ତ୍ରୀ ମଲିକା ହେମ୍ବ୍ରମଙ୍କ ଅଭିଯୋଗକ୍ରମେ ଠାକୁରମୁଣ୍ଡା ପୋଲିସ ରାଇରଙ୍ଗପୁରକୁ ଆସି ବିବାହ ଚାଲିଥିବା ରାଇରଙ୍ଗପୁରର ଚୌବେ ଧର୍ମଶାଳାରେ ଚଢ଼ାଉ କରିଥିଲା । ସ୍ତ୍ରୀ ଥାଉ ଥାଉ ଦ୍ଵିତୀୟ ବିବାହ କରୁଥିଲେ ଠାକୁରମୁଣ୍ଡା ଥାନା ବସନ୍ତପୁର ଅଂଚଳର ଜିତେନ୍ଦ୍ର ରାମ ।

ପ୍ରଥମ ସ୍ତ୍ରୀଙ୍କ ସହ ୧୮ ବର୍ଷ ବୈବାହିକ ଜୀବନ ଅତିବାହିତ କରିବା ପରେ ମଧ୍ୟ ଅନ୍ୟ ଏକ ଯୁବତୀଙ୍କୁ ବିବାହ କରିବାକୁ ଯାଇଥିଲେ ସେ । ଖବର ପାଇ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.