ଖୋଲା ସ୍ଥାନରେ ଫୁଟାଇ ପାରିବେ ସବୁଜ ବାଣ, ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି
ଦୀପାବଳିରେ ବାଣ ଫୁଟାଇବାକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମାର୍ଗଦର୍ଶିକା ଜାରି କରିଛି । ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ଭାବେ କଟକଣା ଜାରି କରାଯାଇଥିବା ବେଳେ ୧୨୫ ଡେସିବଲରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ପ୍ରସ୍ତୁତି, ବିକ୍ରି ଓ ବ୍ୟବହାରରୁ ବିରତ ରହିବା ପାଇଁ ମାର୍ଗଦର୍ଶିକାର ଉଲ୍ଲେଖ ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ରଙ୍ଗୀନ ଆଲୋକ ସାଙ୍ଗକୁ ଦୀପର ଆଲୋକରେ ଝଲସି ଉଠିବ ଗାଁଠୁ ସହର । ଚଳିତ ବର୍ଷ ବିନା ବାଣରେ ଦୀପାବଳୀ ମନାଇବେ ରାଜଧାନୀବାସୀ । ପ୍ରତ୍ୟେକ ବର୍ଷ ଦୀପାବଳିରେ ଲୋକମାନେ ଦୀପ ସହ ବାଣ ମଧ୍ୟ ଫୁଟାଇ ଥାଆନ୍ତି । କିନ୍ତୁ ଚଳିତ ବର୍ଷ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଫୁଟିବ ନାହିଁ ବାଣ । ତେଣୁ ବାଣ ବିନା ଦୀପାବଳି ପାଳିବେ ରଜଧାନୀବାସୀ । ସେହିପରି ଦୀପାବଳିରେ ବାଣ ଫୁଟାଇବାକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମାର୍ଗଦର୍ଶିକା ଜାରି କରିଛି । ଏନେଇ ଖବରକାଗଜରେ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ଭାବେ କଟକଣା ଜାରି କରାଯାଇଥିବା ବେଳେ ୧୨୫ ଡେସିବଲରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ପ୍ରସ୍ତୁତି, ବିକ୍ରି ଓ ବ୍ୟବହାରରୁ ବିରତ ରହିବା ପାଇଁ ମାର୍ଗଦର୍ଶିକାର ଉଲ୍ଲେଖ ରହିଛି ।
ବାଣ କଟକଣା ମାର୍ଗଦର୍ଶିକା
* ସକାଳ ୬ ରୁ ରାତି ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ରହିଛି ।
* ଶିକ୍ଷାନୁଷ୍ଠାନ, ସ୍ଵାସ୍ଥ୍ୟକେନ୍ଦ୍ର ଓ ଧାର୍ମିକ ଅନୁଷ୍ଠାନର ୧୦୦ ମିଟର ପରିସରରେ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବାକୁ ବାରଣ
* ଖୋଲା ସ୍ଥାନରେ ଫୁଟାଇ ପାରିବେ ସବୁଜ ବାଣ
* ୧୨୫ ଡେସିବଲରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ପ୍ରସ୍ତୁତି, ବିକ୍ରି ଓ ବ୍ୟବହାର ନିଷେଧ
* ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିହେବ
* ଅମାନିଆଙ୍କ ଉପରେ ନଜର ରଖିବ ଜିଲ୍ଲା ପ୍ରଶାସନର ସ୍କ୍ୱାଡ୍ ।
* ସ୍କ୍ୱାଡ୍ରେ ରହିବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ।
* ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ।
ଚଳିତ ବର୍ଷ ବିନା ବାଣରେ ଦୀପାବଳି ପାଳିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଲୋକେ । ଉଚ୍ଚ ଶବ୍ଦର ବାଣ ଉପରେ କଟକଣା ଲାଗିଥିବାରୁ ଏହା ପ୍ରଦୂଷଣ ମୁକ୍ତ କରିବ ବୋଲି ସମସ୍ତଙ୍କ ଆଶା ।
ସେପଟେ ରାଜଧାନୀ ଦିଲ୍ଲୀ ପରେ ପ୍ରଦୂଷଣକୁ ନେଇ ଚିନ୍ତାରେ ଭୁବନେଶ୍ୱର ବାସି । ଦିନକୁ ଦିନ ଅଧିକ ପ୍ରଦୂଷିତ ହେଉଛି ଭୁବନେଶ୍ୱରର ବାୟୁ । ଏକଥା କହିଛି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ସାରା ଦେଶରୁ ୧୩୧ଟି ସହର ପ୍ରଦୂଷଣ ତାଲିକାରେ ଚିହ୍ନଟ ହୋଇଛି । ଓଡ଼ିଶାରୁ ଭୁବନେଶ୍ୱର ସମେତ କଟକ, ବାଲେଶ୍ଵର, ରାଉରକେଲା, ଅନୁଗୁଳ, ତାଳଚେର ଓ କଳିଙ୍ଗନଗର ଭଳି ୭ ସହର ନନ୍ ଆଟେନମେଣ୍ଟ ସହର ବୋଲି କୁହାଯାଇଛି। ଅର୍ଥାତ୍ ଏହି ସହରରେ ପ୍ରଦୂଷଣ ମାତ୍ରା ଯେତିକି ରହିବା କଥା ତା ଠାରୁ ଅଧିକ ରହିଛି। ରାଜ୍ୟ ପ୍ରଦୂଷଣ ବୋର୍ଡର କହିବା କଥା ଶିଳ୍ପାଞ୍ଚଳ ସହର ଗୁଡ଼ିକରେ ସାଧାରଣତଃ ପ୍ରଦୂଷଣ ମାତ୍ରା ଅଧିକ ରୁହେ। ଭୁନେଶ୍ବରରେ ଗାଡ଼ି ଚଳାଚଳ ସଂଖ୍ୟା ଅଧିକ ସାଙ୍ଗକୁ ମାତ୍ରାଧିକ ଧୂଳି ପ୍ରଦୂଷଣ ବଢ଼ାଉଛି। ତଥାପି ଏବେ ନିୟନ୍ତ୍ରଣରେ ରହିଥିବା ପ୍ରଦୂଷଣ ବୋର୍ଡ କହିଛି।