ଆସନ୍ତାକାଲି ଧନଧାନ୍ୟ ଓ ଐଶ୍ୱର୍ଯ୍ୟର ଦେବୀ ମା’ଗଜଲକ୍ଷ୍ମୀଙ୍କ ପୂଜା: ଚଳଚଞ୍ଚଳ ଢେଙ୍କାନାଳ, କେନ୍ଦ୍ରାପଡା, ଅନୁଗୁଳ

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତାକାଲି ଧନଧାନ୍ୟ ଓ ଐଶ୍ୱର୍ଯ୍ୟର ଦେବୀ ମା’ଗଜଲକ୍ଷ୍ମୀଙ୍କ ପୂଜା । ମା’ଙ୍କ ଆବାହନ ପାଇଁ ଚଳଚଞ୍ଚଳ ବିଭିନ୍ନ  ସହର । ପୂଜା ମଣ୍ଡପ ଗୁଡ଼ିକରେ ଚାଲିଛି ସାଜସଜା । ତୋରଣ ଓ ମୂର୍ତ୍ତି କାମରେ ଲାଗିଛନ୍ତି କାରିଗର । ୨ବର୍ଷର କରୋନା କଟକଣା ପରେ ପୂଜା ହେଉଥିବାରୁ ଶୃଙ୍ଖଳାର ସହ ପୂଜା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ

ଢେଙ୍କାନାଳ ପ୍ରସିଦ୍ଧ ଗଣପର୍ବ ପାଇଁ ସହର ଚଳଚଞ୍ଚଳ । ଧନଦାତ୍ରୀଙ୍କ ଆଗମନ ପାଇଁ ପ୍ରତ୍ୟେକ ପୂଜା ମଣ୍ଡପ ଗୁଡିକରେ ଚାଲିଛି ସାଜ ସଜା। ନିଜ, ନିଜ ବଜାରର ମଣ୍ଡପ ସାଜ୍ଜସଜ୍ଜା ସହ ତୋରଣ ଓ ମୃଣ୍ମୟୀ ମୂର୍ତ୍ତି କାମରେ ଲାଗିଛନ୍ତି କାରିଗର। ଦୁଇ ବର୍ଷର କୋରୋନା କଟକଣା ପରେ ପୂଜା ହେଉଥିବାରୁ ୩୮ଗୋଟି ପୂଜା ମଣ୍ଡପ କର୍ମକର୍ତ୍ତାଙ୍କ ଠାରୁ ନେଇ ଜିଲ୍ଲା ପ୍ରଶାସନ ଶାନ୍ତି, ସୃଙ୍ଖଳା ସହ ସରସ, ସୁନ୍ଦର ପୂଜା କରିବା ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ବିଭିନ୍ନ ପୂଜା ମଣ୍ଡପରେ ବିଭିନ୍ନ କରିଗର ତଥା ମୂର୍ତ୍ତି କରିଗର, ଚାନ୍ଦି କାରିଗର , ତୋରଣ କରିଗର , ରୁପସଜା କାରିଗର ମାନେ ଜୋରସୋର ଭାବେ  ଲାଗିପଡିଛନ୍ତି ମା ଙ୍କର ପୂଜା ସୁନ୍ଦର କରିବା ପାଇଁ । ଆସନ୍ତା ୯ ତାରିଖରୁ ୧୧ ଦିନ ଧରି ଧୁମଧାମରେ ପାଳିତ ହେବ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ଲକ୍ଷାଧିକ ଭକ୍ତଙ୍କ ହେବ ସମାଗମ। ଶ୍ରଦ୍ଧାଳୁ ଭକ୍ତମାନେ ମାଙ୍କୁ ଦର୍ଶନ କରି ଆଶିଷ ଲାଭ କରିବେ । ଆଲୋକ ତୋରଣ ମାଳାରେ ଝଲସିକ ସାରା ସହର । ମା ଧନଦାତ୍ରୀ ଅବତରଣ କରିବେ ଧରାପୃଷ୍ଟକୁ, ଗାଁରୁ ସହର ସବୁଠି ହେବ ମାଙ୍କର ପୂଜାର୍ଚ୍ଚନା ।

କେନ୍ଦ୍ରାପଡାରେ ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ

ମା ଗଜଲକ୍ଷ୍ମୀ ପୂଜା ପାଇଁ ଝଲସି ଉଠିବ କେନ୍ଦ୍ରାପଡା ସହର। ୭ ଦିନ ବ୍ୟାପି ସହରରେ ଗଣ ପର୍ବ ପାଳନ ହେବ। ଏଥିପାଇଁ ପ୍ରସ୍ତୁତି ଜୋର ସୋରରେ ଚାଲିଛି। ସହରରେ ପ୍ରାଏ ୬୫ଟି ସ୍ଥାନରେ ମୃଣୟ ମୂର୍ତ୍ତି ପୂଜା ପାଇବେ।  ଆଲୋକ ମାଳାରେ ଝଲସିବ କେନ୍ଦ୍ରାପଡା।

ଅନୁଗୋଳ ସହର ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ

ଆସନ୍ତା କାଲିଠାରୁ ଅନୁଗୋଳ ସହରରେ ଆରମ୍ଭ ହେବକୁ ଯାଉଛି ଜିଲାର ଗଣପର୍ବ ଗଜ ଲକ୍ଷ୍ମୀ ପୂଜା। ଏଥିପାଇଁ ପୁରା ଜିଲ୍ଲାର ପୁରପଲ୍ଲୀରେ ଉତ୍ସାହ ଉଦ୍ଦୀପନା ଭରି ଗଲାଣି। ଏହାରି ଭିତରେ ଅନୁଗୋଳ ସହରରେ ହେବାକୁ ଥିବା ପୂଜା ପାଇଁ ସବୁ ମଣ୍ଡପ ପ୍ରସ୍ତୁତି ଶେଷ କରିଥିବା ବେଳେ ପୂଜାକୁ ସୁରୁଖୁରୁରେ ପରିଚାଳନା ପାଇଁ କେନ୍ଦ୍ରୀୟ ପୂଜା କମିଟି ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ କରିଛି ।ଏଥର ସହରରେ ୨୯ଟି ମଣ୍ଡପରେ ପୂଜା ହେଉଥିବା ବେଳେ ୧୧ ଦିନ ଧରି ଏହି ପୂଜା ଚାଲିବ। ଏଥିପାଇଁ ସେଣ୍ଟ୍ରାଲ ସାଉଣ୍ଡ ସିଷ୍ଟମ ଲଗାଯିବ ସହ ସ୍ବତନ୍ତ୍ର ଭାବେ ପୂଜାରେ ଶୃଙ୍ଖଳା ବଜାଇ ରଖିବା ପାଇଁ ପୋଲିସ ଓ ପ୍ରଶାସନ ସହ ସ୍ବେଛାସେବୀ ନିଯୁକ୍ତ ହେବେ। ଏହା ବ୍ଯତୀତ ଜଳ ଯୋଗାଣ ପରିମଳ ବ୍ଯବସ୍ଥା ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯିବ ବୋଲି କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

୧୯ ତାରିଖରେ ଭାଷାଣି ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ସର୍କିଟ ହାଉସ ରାସ୍ତା ପରିବର୍ତ୍ତେ NH ୫୫କୁ ବଛାଯାଇଛି। ମେଳଣରେ ୧୨ଟି ମେଢ଼ ସାମିଲ ହେବେ ଓ ଥାନା ଛକ ଦେଇ ରାଜାଛକ,ବଜାର ଛକ ଦେଇ ପୁରା ସହର ପରିକ୍ରମା କରିବେ। ବାକି ମେଢ଼ ଗୁଡିକ ଦିଆଯାଇଥିବା ରୁଟରେ ଯାଇ ଭଷାଣି କରିବେ ।ଏନେଇ କେନ୍ଦ୍ରୀୟ କମିଟି ସହ ପୋଲିସ ପ୍ରଶାସନ ଆଲୋଚନା ହୋଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।ସେପଟେ ଧନଦାତ୍ରୀ ଲକ୍ଷ୍ମୀ ମୂର୍ତ୍ତି ପ୍ରତିମାରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.