ଓଡ଼ିଶା ଆସିବେ ମହାମହିମ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ

ଦିନେ ପରେ ଓଡ଼ିଶା ଆସିବେ ମହାମହିମ । ୨୮ ତାରିଖ ଅପରାହ୍ଣରେ ରାଇରଙ୍ଗପୁରରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମୟୂରଭଞ୍ଜ ଜିଲ୍ଲାରେ ୨ ଦିନ ରହଣୀ ସାଙ୍ଗକୁ କେନ୍ଦୁଝର, କଟକ, ଭୁବନେଶ୍ଵର, ବ୍ରହ୍ମପୁର ଓ ସମ୍ୱଲପୁରଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଭୁବନେଶ୍ୱର(କେନ୍ୟୁଜ୍‌): ଦିନେ ପରେ ଓଡ଼ିଶା ଆସିବେ ମହାମହିମ । ୨୮ ତାରିଖ ଅପରାହ୍ଣରେ ରାଇରଙ୍ଗପୁରରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମୟୂରଭଞ୍ଜ ଜିଲ୍ଲାରେ ୨ ଦିନ ରହଣୀ ସାଙ୍ଗକୁ କେନ୍ଦୁଝର, କଟକ, ଭୁବନେଶ୍ଵର, ବ୍ରହ୍ମପୁର ଓ ସମ୍ୱଲପୁରଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଥିପାଇଁ ଜୋରସୋରରେ ଚାଲିଲାଣି ପ୍ରସ୍ତୁତି । ଗତକାଲି ଶୁକୃଳି ବ୍ଲକ ଅନ୍ତର୍ଗତ ପାଣ୍ଡରଶିଳ ଗାଁରେ ବାୟୁସେନାର ହେଲିକପ୍ଟର ଅଭ୍ୟାସ କରିଥିଲା । ୨୮ ତାରିଖରେ ରାଞ୍ଚିରୁ ବାୟୁସେନାର ସ୍ବତନ୍ତ୍ର ବିମାନରେ ବାହାରିବେ ରାଷ୍ଟ୍ରପତି । ଅପରାହ୍ଣରେ ୪ଟା ୪୫ ମିନିଟରେ ଜନ୍ମମାଟି ରାଇରଙ୍ଗପୁରରେ ପହଞ୍ଚିବେ । ସେଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି ।

ନିଜ ବାସଭବନରେ ରାତ୍ରୀଯାପନ କରିବେ ରାଷ୍ଟ୍ରପତି । ୨୯ ତାରିଖ ସକାଳ ୯ଟା ୧୫ ମିନିଟରେ ଖିଚିଂ ଯିବେ । ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ କିଚକେଶ୍ଵରୀଙ୍କ ଦର୍ଶନ କରିବେ ରାଷ୍ଟ୍ରପତି । ରାଇରଙ୍ଗପୁର କାର୍ଯ୍ୟକ୍ରମ ସାରି କେନ୍ଦୁଝର ଆସିବେ ମହାମହିମ। ଧରଣୀଧର ବିଶ୍ବବିଦ୍ୟାଳୟରେ କେନ୍ଦୁଝରର ଜନଜାତିଙ୍କ ଉପରେ ଆୟୋଜିତ ଆଲୋଚନା ଚକ୍ରକୁ ଉଦଘାଟନ କରିବେ । ସେଠାରେ କାର୍ଯ୍ୟକ୍ରମ ସାରି ଭୁବନେଶ୍ବର ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉତ୍କଳ ବିଶ୍ବବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ହେବେ । ରାଜଭବନରେ ରାତ୍ରିଯାପନ କରିବେ । ମାର୍ଚ୍ଚ ୧ ତାରିଖରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ଭୁବନେଶ୍ବର ଫେରି ଅପରାହ୍ଣରେ ଯିବେ କଟକ । ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ । ୨ ତାରିଖ ସକାଳେ ସମ୍ବଲପୁର ଜିଲ୍ଲା ଗସ୍ତରେ ଯିବେ ରାଷ୍ଟ୍ରପତି। କଦଳୀଗଡ଼ ଓ ରେଢ଼ାଖୋଲରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ସନ୍ଧ୍ୟା ୫ଟା ୪୫ରେ ଝାରସୁଗୁଡ଼ା ଏୟାରପୋର୍ଟରୁ ଦିଲ୍ଲୀ ଅଭିମୁଖେ ଫେରିଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.