Below header

ବଦଳିବ ଶ୍ରେଣୀ ଗୃହର ରୂପରେଖ: ଏଣିକି ଆଉ ତଳେ ବସି ପଢ଼ିବେନି ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀ

ରାଜ୍ୟରେ ବଦଳିବ ପ୍ରାଥମିକ ଶ୍ରେଣୀ ଗୃହର ପରିବେଶ । ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ ହେବ ଅନୁକୂଳ ବାତାବରଣ । ଆଉ ତଳେବସି ପଢିବେନି ଛାତ୍ରଛାତ୍ରୀ । ପ୍ରଥମରୁ ତୃତୀୟ ଶ୍ରେଣୀପିଲାଙ୍କ ମନରେ ପାଠପଢା ପାଇଁ ଅଣାଯିବ ଆଗ୍ରହ ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ବଦଳିବ ପ୍ରାଥମିକ ଶ୍ରେଣୀ ଗୃହର ପରିବେଶ । ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ ହେବ ଅନୁକୂଳ ବାତାବରଣ । ଆଉ ତଳେବସି ପଢିବେନି ଛାତ୍ରଛାତ୍ରୀ । ପ୍ରଥମରୁ ତୃତୀୟ ଶ୍ରେଣୀପିଲାଙ୍କ ମନରେ ପାଠପଢା ପାଇଁ ଅଣାଯିବ ଆଗ୍ରହ । ଏ ନେଇ ଛାତ୍ରଛାତ୍ରୀଙ୍କ କୋମଳ ମନରେ ଶିକ୍ଷା ପ୍ରତି ଆଗ୍ରହ, କୌତୁହଳ, ଉତ୍ସାହ ଆଣିବା ନେଇ ଉଦ୍ଦେଶ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବ୍ୟାପକ ବ୍ୟବସ୍ଥା କରିଛି । ଚଟାଣରେ ପଡ଼ିବ ସ୍ବତନ୍ତ୍ର ମ୍ୟାଟ, ରଙ୍ଗୀନ ଡେକ୍ସରେ ଲେଖିବେ ଛାତ୍ରଛାତ୍ରୀ । ପ୍ରଥମ ପର୍ଯ୍ୟାୟରେ ୬ ହଜାରରୁ ଊର୍ଦ୍ଧ୍ୱ ବିଦ୍ୟାଳୟ ସାମିଲ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ୧୬ଟି ଜିଲ୍ଲାର ପ୍ରାଥମିକ ସ୍କୁଲର ପରିବେଶ ବଦଳାଇବା ନେଇ ପ୍ରସ୍ତୁତ ହୋଇଛି ବ୍ୟାପକ ବ୍ୟବସ୍ଥା ।

ଶ୍ରେଣୀଗୃହକୁ ଶିଶୁ ସୁଲଭ, ଆକର୍ଷଣୀୟ, ଆନନ୍ଦମୟ କରିବା ପାଇଁ ବିଭିନ୍ନ କାନ୍ଥଚିତ୍ର, ବିଭିନ୍ନ ଆକୃତିର ଡେକ୍ସ, ଆଲମାରୀ, ଗ୍ରୀନ୍ ବୋର୍ଡ, ପ୍ରଦର୍ଶନ ବୋର୍ଡ, ଶୈକ୍ଷିକ ଉପକରଣ ଝୁଲାଇବା ପାଇଁ ହୁକ, ବସିବା ପାଇଁ ଦରି, ଶ୍ରେଣୀଗୃହର ଆବଶ୍ୟକ ମରାମତି, ବିଦ୍ୟୁତିକରଣ ଓ ଆଲୋକୀକରଣ, ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନର ବ୍ୟବସ୍ଥା ଆଦି କରାଯିବ । ଶ୍ରେଣୀଗୃହ ପରିବେଶକୁ ଆକର୍ଷଣୀୟ କରିବା ଉଦ୍ଦେଶ୍ୟରେ ମୌଳିକ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଏବଂ ମରାମତି ସୁବିଧା ଯୋଗାଇ ଦେବାକୁ ଆବଶ୍ୟକ ପାଣ୍ଠି ଯୋଗାଇ ଦେଇଛି ।ଏହା ପ୍ରାଥମିକ ଛାତ୍ରଛାତ୍ରୀଙ୍କର ଶୈକ୍ଷିକ ବିକାଶରେ ଅତ୍ୟନ୍ତ ସହାୟକ ହେବ ।

ଶିକ୍ଷାର ମୂଳଦୁଆ ହେଉଛି ପ୍ରାଥମିକ ଶିକ୍ଷା । ଏହି ମୂଳଦୁଆ ଉପରେ ଭବିଷ୍ୟତର ଉଚ୍ଚଶିକ୍ଷା ଗଢ଼ି ଉଠିଥାଏ । ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ ପ୍ରଚଳନର ଉଦ୍ଦେଶ୍ୟ ହେଉଛି ଏହି ମୂଳଦୁଆକୁ ମଜଭୁତ କରିବା । ପ୍ରତ୍ୟେକ ଛାତ୍ରଛାତ୍ରୀ ଯେପରି ଭାଷା ଓ ଗାଣିତିକ ଜ୍ଞାନରେ ପାରଦର୍ଶୀ ହୋଇପାରିବେ ସେଥିପ୍ରତି ଲକ୍ଷ୍ୟ ସ୍ଥିର ହୋଇଛି । ଲକ୍ଷ୍ୟ ହାସଲ ପାଇଁ ସ୍ୱତନ୍ତ୍ର ଢାଞ୍ଚାରେ ପାଠ୍ୟକ୍ରମ ପ୍ରସ୍ତୁତି, ଚିତ୍ତାକର୍ଷକ ଶିକ୍ଷଣ ସାମଗ୍ରୀ (ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ), ଶିକ୍ଷକ ଦକ୍ଷତା ବିକାଶ, ମୂଲ୍ୟାଙ୍କନ ଶୈଳୀ ଇତ୍ୟାଦି ପର୍ଯ୍ୟାୟକ୍ରମ ବିକାଶ କରାଯାଇଛି ।

ସେହିପରି, ଜିଲ୍ଲାରେ ଛାତ୍ରଛାତ୍ରୀ ଅନୁକୂଳ ଶ୍ରେଣୀଗୃହ ନିର୍ମାଣ ପୂର୍ବରୁ ପାଇଲଟ୍ ପ୍ରକଳ୍ପ ଭାବେ ରାଜଭବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଗ୍ରହଣ କରାଯାଇଥିଲା । ଏହି ପ୍ରାଥମିକ ବିଦ୍ୟାଳୟରେ ବିକାଶିତ ହୋଇଥିବା ଶ୍ରେଣୀଗୃହକୁ ସମସ୍ତ ବୈଷୟିକ ଶିକ୍ଷକ ଓ ବରିଷ୍ଠ ଶିକ୍ଷକ ପରିଦର୍ଶନ କରି ତାଲିମ ନେଇଛନ୍ତି । ଏହି ବିଦ୍ୟାଳୟରେ ସମସ୍ତ ସୁବିଧା ସୁଯୋଗ କରିବା ପରେ ଛାତ୍ରଛାତ୍ରୀଙ୍କ ଭିତରେ ଆକାଂକ୍ଷିତ ଶୈକ୍ଷିକ ବିକାଶ ହେଉଥିବା ଲକ୍ଷ୍ୟ କରାଯାଇଛି । ପରେ ସମାନ ଢାଞ୍ଚାରେ ଶ୍ରେଣୀଗୃହ ପ୍ରସ୍ତୁତି କରିବା ପାଇଁ ପଦକ୍ଷେପ ନିଆଯାଇଛି । ସମସ୍ତ ୧୬ଟି ଜିଲ୍ଲାରେ ବିଦ୍ୟାଳୟ ସ୍ତରରେ ଏଫ୍‌ଏଲ୍‌ଏନ୍ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ପାଇଁ ସମସ୍ତ ବରିଷ୍ଠ ବୈଷୟିକ ପରାମର୍ଶଦାତାଙ୍କ ସହ ବିଭାଗୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.