ଚାଷୀଙ୍କ ବିଲରେ ସଢୁଛି କଖାରୁ, ଅଭାବୀ ବିକ୍ରିର ଶିକାର ଚାଷୀ

ବିକ୍ରି ନହୋଇ ପଡ଼ି ରହିଛି ଏହି କଖାରୁ । ଲାଭ ତ ଲାଭ ମୂଳ ଦାମଠୁ ବି କମରେ ବିକ୍ରି ହେଉଛି । ଏକର ଏକର ଜମିରେ ବୋଇତ କଖାରୁ ଚାଷ କରିଥିବା ଚାଷୀର ଏଭଳି ଅବସ୍ଥା ହୋଇଛି । ଏଭଳି ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକରେ ।

ସୁବର୍ଣ୍ଣପୁର(କେନ୍ୟୁଜ୍): ଚାଷୀଙ୍କ ବିଲରେ ପାହାଡ଼ ଭଳି ଗଦା ହୋଇଛି ବୋଇତ କଖାରୁ । ବିକ୍ରି ନହୋଇ ପଡ଼ି ରହିଛି ଏହି କଖାରୁ ସବୁ । ଲାଭ ତ ଲାଭ ମୂଳ ଦାମଠୁ ବି କମରେ ବିକ୍ରି ହେଉଛି । ଏପରିକି କଖାରୁ କିଲୋକୁ ୨ ଟଙ୍କା ୩ ଟଙ୍କାରେ ମାଗୁଛନ୍ତି ବେପାରି । ଏକର ଏକର ଜମିରେ ବୋଇତ କଖାରୁ ଚାଷ କରିଥିବା ଚାଷୀର ଏଭଳି ଅବସ୍ଥା ହୋଇଛି । କିଏ ବିକ୍ରି କରି ନପାରି ବିଲରେ ରଖିଛି, ତ ଆଉ କିଏ ଘର ଭିତରେ ସାଇତି ରଖିଛି । ଏଭଳି ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ଅଣଜଳ ସେଚିତ କମିରା, ବିକଲପୁର, ଆମସରଭଟା, ଲଖନୀ ଓ ସୁବଳୟା ଅଞ୍ଚଳରେ ।

ଚଳିତ ରବି ଋତୁରେ ଜିଲ୍ଲାର ୧୧୭ ହେକ୍ଟର ଜମିରେ ହୋଇଥିଲା ବୋଇତ କଖାରୁ । ଅଧିକ ଅମଳକ୍ଷମ ବିହନ ମଞ୍ଜି ଲଗାଇ ଚାଷ କରିଥିଲା ଚାଷୀ । ଏହାସହ ସଠିକ ସମୟରେ ସାର କୀଟନାସକ ମଧ୍ୟ ଦେଇଥିଲେ । ଚଳିତ ବର୍ଷ ପ୍ରଚୁର  ପରିମାଣରେ ଫଳ ଓ ଫୁଲ ଆସିଥିଲା । ଅମଳ ଭଲ ହୋଇଥିଲା ସତ ହେଲେ ବିକ୍ରି ନହୋଇ ବିଲରେ ପଡ଼ି ରହିଛି କଖାରୁ । ପୂର୍ବରୁ କୁଇଣ୍ଟାଲ ପ୍ରତି ୧୫ଶହ ରୁ ୨ହଜାର ଟଙ୍କାରେ ବିକ୍ରି ହେଉଥିବା ବେଳେ ଚଳିତ ବର୍ଷ କୁଇଣ୍ଟାଲ ପ୍ରତି ୪୦୦ରୁ ୫୦୦ ଟଙ୍କାରେ ବିକ୍ରି ହେଉଛି । ଯେଉଁଥିରେ ମୂଳ ଖର୍ଚ୍ଚ ବି ବାହାରୁ ନଥିବା ଚାଷୀ କହିଛନ୍ତି ।

ବଜାର ଦର କମି ଯିବାରୁ ବିକ୍ରି ନହୋଇ ପଡ଼ି ରହିଛି କୁଇଣ୍ଟାଲ କୁଇଣ୍ଟାଲ କଖାରୁ । ଚାଷୀ ବାଧ୍ୟହୋଇ ବେପାରିକୁ ଶାଗମାଛ ଦରରେ ଟେକି ଦେଉଛି। ପରିଶ୍ରମ ହିସାବ ପାଉଣା ମିଳୁନି ଚାଷୀକୁ । ବେପାରି କିନ୍ତୁ ଲାଭବାନ ହେଉଛି । ଅନ୍ୟପଟେ ଋଣ କିପରି ସୁଝିବ ଚିନ୍ତାରେ ଚାଷୀ । ସରକାରୀ ସହାୟତା ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.