କଠୋର ହେଲା ଶ୍ରୀମନ୍ଦିର ପ୍ରଶାସନ, ନୀତିରେ ବିଳମ୍ବ ହେଲେ ମିଳିବନି ପାଳିଆ ପୁରସ୍କାର

ପୁରୀ : ଶ୍ରୀମନ୍ଦିରରେ ନୀତି ସଂପାଦନାରେ ଶୃଙ୍ଖଳା ଓ ସମୟାନୁବର୍ତ୍ତିତା ନେଇ କଠୋର ହେଲା ମନ୍ଦିର ପ୍ରଶାସନ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସେବାୟତ ନିଯୋଗକୁ ପତ୍ର ଲେଖିଛନ୍ତି। ସେବକ ମାନେ ଧାର୍ଯ୍ୟ ସମୟରେ ନୀତି ସଂପାଦନ ପାଇଁ ନିଯୋଗ ସେମାନଙ୍କ ପାଳିଆଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବେ। କୌଣସି ସେବକ ଧାର୍ଯ୍ୟ ସମୟରେ ନୀତି ସଂପାଦନ କରିବାରେ ବିଳମ୍ବ କଲେ ତାଙ୍କର ସେହିଦିନର ପାଳିଆ ପୁରସ୍କାର ଓ ଅନ୍ୟ ପ୍ରାପ୍ୟ ପାଉଣା ସ୍ଥଗିତ ରଖାଯାଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେବାରେ ୧୫ ମିନିଟ ବିଳମ୍ବ ପାଇଁ ଏକ ଚତୁର୍ଥାଂଶ ପାଳିଆ ପୁରସ୍କାର ଓ ଅନ୍ୟାନ୍ୟ ପ୍ରାପ୍ୟ ପାଉଣା ସ୍ଥଗିତ ରଖାଯିବ। ସେହିପରି ଅଧଘଣ୍ଟାଏ ବିଳମ୍ବ ପାଇଁ ସେଦିନର ଅଧା ପାଳିଆ ପୁରସ୍କାର ଓ ଅନ୍ୟାନ୍ୟ ପ୍ରାପ୍ୟ ପାଉଣା ଏବଂ ଏକଘଣ୍ଟା ବିଳମ୍ବ ପାଇଁ ସେଦିନର ସମସ୍ତ ପାଳିଆ ପୁରସ୍କାର ଓ ପ୍ରାପ୍ୟ ପାଉଣା ସ୍ଥଗିତ ରଖାଯିବ।