ବାହାନଗାବସୀ ମନାବିକତାର ବଡ଼ ଉଦାହାରଣ ସାଜିଥିଲେ, ୧୮ଦିନ ପରେ ଗ୍ରାମବାସୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

 କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ମନରୁ ଲିଭିନି। କିନ୍ତୁ ସେତେବେଳେ ବାହାନଗାବାସୀଙ୍କୁ ସହାୟତା ଅନେକ ଜୀବନ ବଞ୍ଚାଇବାରେ ସହାୟକ ହୋଇଛି। ଦୁର୍ଘଟଣାର ୧୮ଦିନ ପରେ ବାହାନଗାଗସ୍ତ ଗ୍ରାମବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଦୁର୍ଘଟଣାସ୍ଥଳ ମଧ୍ୟ ପରିଦର୍ଶନ କରି ପୁନରୁଦ୍ଧାର କାର୍ଯ୍ୟ ଦେଖିଛନ୍ତି। ସେପଟେ ଜୋର ଧରିଛି ସିବିଆଇ ତଦନ୍ତ। ବାହାନଗା ଷ୍ଟେସନ ସିଗ୍‌ନାଲ ଜେଇ ଅମୀର ଖାନଙ୍କ ଘରେ ଖାନତଲାସୀ କରିଛି ତଦନ୍ତକାରୀ ଦଳ।

କେନ୍ୟୁଜ୍(ବ୍ୟୁରୋ): ବାହାନଗା ଷ୍ଟେସନରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ୧୮ଦିନ ପରେ ପୁଣି ବାହାନଗାରେ ରେଳ ମନ୍ତ୍ରୀ। ଦୁର୍ଘଟଣା ପରେ ବାହାନଗାବାସୀଙ୍କ ସେବା ଓ ଉଦ୍ଧାର କାର୍ଯ୍ୟ ନେଇ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି  । ଭୟାବହ ଦୁର୍ଘଟଣା ସମୟରେ ସ୍ଥାନୀୟ ଗ୍ରାମବାସୀ ଯେଭଳି ଉଦ୍ଧାର ଓ ସହାୟତା ପାଇଁ ଆଗେଇ ଆସିଲେ ତାକୁ ପ୍ରଶଂସା କରିଛନ୍ତି ଅଶ୍ୱିନୀ ବୈଷ୍ଣବ। ବିପଦବେଳେ ଆଗେଇ ଆସିବା ବାଲେଶ୍ୱରର ସଂସ୍କୃତି, ଓଡ଼ିଶାର ସଂସ୍କୃତି ବୋଲି କହିବାକୁ ଭୁଲିନାହାନ୍ତି।

ଗ୍ରାମବାସୀଙ୍କ ମାନବୀୟ ଗୁଣ ଅନେକଙ୍କ ଜୀବନ ବଞ୍ଚାଇପାରିଛି। ଜଣେ ଅଟୋ ଚାଳକ ସେଦିନ ୩୦ଥର ନିଜ ଅଟୋରେ ମୃତାହତଙ୍କୁ ନେଇଥିବା କହି ତାଙ୍କର ଭୂୟସୀ ପ୍ରଶଂସା କରିଛନ୍ତି। ବାହାନଗାରେ ଗ୍ରାମବାସୀ, ସ୍ଥାନୀୟ ବାସିନ୍ଦା ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରେଳବାଇ ପକ୍ଷରୁ ୧୩୫ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପରେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ବାହାନଗା ଡାକ୍ତରଖାନାର ଉନ୍ନତିକରଣ ପାଇଁ ଏକ କୋଟି ଟଙ୍କା ଓ ବାହାନଗା ଗାଁର ବିକାଶ ପାଇଁ ଏକ କୋଟି ଟଙ୍କା ଦିଆଯିବ ବୋଲି ଘୋଷଣା କରିଛନ୍ତି।

କେମିତି ହେଲା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା? କେମିତି ଘଟିଗଲା ଏଡ଼େ ବଡ଼ ଅଘଟଣ? ଏହି ପ୍ରଶ୍ନ ଏବେ ବି ସମସ୍ତଙ୍କୁ ଆନ୍ଦୋଳିତ କରୁଥିବା ବେଳେ ଜୋର ଧରିଛି ସିବିଆଇ ତଦନ୍ତ। ଗତକାଲି ବାହାନଗା ଷ୍ଟେସନ ସିଗ୍‌ନାଲ ଜେଇ ଅମୀର ଖାନଙ୍କ ସୋର ସ୍ଥିତ ଭଡ଼ାଘର ସିଲ୍‌ କରିଥିଲା ତଦନ୍ତକାରୀ ଦଳ। ଆଦି ତାଙ୍କ ଭଡ଼ାଘରକୁ ଖୋଲି ଖୋଳତାଡ଼ କରିଛି ସିବିଆଇ। ଘରେ ବିଭିନ୍ନ ସାମଗ୍ରୀର ଛାନଭିନ ବେଳେ ସିଗ୍‌ନାଲ ଜେଇ ଅମୀର ଖାନ ଉପସ୍ଥିତ ଥିଲେ। ଦୁର୍ଘଟଣାର କାରଣ ଖୋଜିବା ସିବିଆଇକୁ ତଦନ୍ତ ଭାର ନ୍ୟସ୍ତ କରିଥିଲା ରେଳବାଇ। ୧୦ଜଣିଆ ଟିମ୍‌ ଷ୍ଟେସନର ବିଭିନ୍ନ କାର୍ଯ୍ୟାଳୟ, ଦୁର୍ଘଟଣାସ୍ଥଳରେ ତଦନ୍ତ କରି ୬ଜଣଙ୍କୁ ତଦନ୍ତ ପରିସରଭୂକ୍ତ କରିଛି।

ରେଳ ସୁରକ୍ଷା କମିସନ ମଧ୍ୟ ତଦନ୍ତ ଚଳାଇଛି। ବାହାନଗା ଷ୍ଟେସନର ସମସ୍ତ କର୍ମଚାରୀ ଉପସ୍ଥିତ ଥିବା ଓ ତଦନ୍ତରେ ସହାୟତା କରୁଥିବା ରେଳବାଇ ପକ୍ଷରୁ କୁହାଯାଇଛି।  ଜୁନ ୨ତାରିଖରେ ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ଷ୍ଟେସନରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୨୯୨ଜଣ ପ୍ରାଣ ହରାଇଥିଲେ। ଦୁର୍ଘଟଣା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷା ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ ଅଶ୍ୱିନୀ ବୈଷ୍ଣବ। ଦୁର୍ଘଟଣାସ୍ଥଳରେ ୫୦ଘଣ୍ଟାରୁ ଅଧିକ ସମୟ ନିରୀକ୍ଷଣ କରିଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.