Below header

ଚର୍ଚ୍ଚାରେ ଓଡିଶାର ଆଉ ଦୁଇ ଜିଲ୍ଲାପାଳ: IAS ସମର୍ଥଙ୍କ ହାତ ଧରିବେ ସ୍ବଧାଦେବ !

ସମ୍ବଲପୁର ଜିଲ୍ଲାପାଳ ଓ ବଲାଙ୍ଗୀର ଜିଲ୍ଲାପାଳଙ୍କ ବିବାହ ପରେ ପୁଣି ରାଜ୍ୟର ଆଉ ଦୁଇ ଜିଲ୍ଲାପାଳ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ରାୟଗଡା ଜିଲ୍ଲାପାଳ ସ୍ବଧାଦେବ ସିଂହଙ୍କ ଶୁଭ ପରିଣୟ ହେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି ।

ଭୁବନେଶ୍ୱର (କେନ୍ୟୁଜ): ପୁଣି ଚର୍ଚ୍ଚାରେ ଆଉ ଦୁଇ ଜିଲ୍ଲାପାଳ। ସମ୍ବଲପୁର ଜିଲ୍ଲାପାଳ ଓ ବଲାଙ୍ଗୀର ଜିଲ୍ଲାପାଳଙ୍କ ବିବାହ ପରେ ପୁଣି ରାଜ୍ୟର ଆଉ ଦୁଇ ଜିଲ୍ଲାପାଳ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ରାୟଗଡା ଜିଲ୍ଲାପାଳ ସ୍ବଧାଦେବ ସିଂହଙ୍କ ଶୁଭ ପରିଣୟ ହେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି । ଚଳିତ ମାସରେ ଉଭୟଙ୍କ ବାଜିପାରେ ସାହାନାଇ । ବାରଣାସୀ ଠାରେ ଆଇଏଏସ ସମର୍ଥ ବର୍ମା ଓ ସ୍ବଧାଦେବ ସିଂହଙ୍କ ଦ୍ବିତୀୟ ବିବାହ ହେବା ନେଇ ସ୍ଥିର ହୋଇଥିବା ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁସାରେ ଆସନ୍ତା ୧୫ ତାରିଖରେ ବିବାହ ବନ୍ଧନରେ ବାନ୍ଧିହେବେ ଏହି ଦୁଇ ଜିଲ୍ଲାପାଳ। ବିବାହ ପାଇଁ ବାରଣାସୀରେ ଭବ୍ୟ ଆୟୋଜନ କରାଯାଇଛି । ବିବାହକୁ କିଛି ବରିଷ୍ଠ ଅଧିକାରୀ, ସେବାୟତଙ୍କୁ ନିମନ୍ତ୍ରଣ କରାଯାଇଛି । ଆସନ୍ତା ୬ ତାରିଖରେ ରଥଯାତ୍ରା ଦ୍ୱିତୀୟ ସମନ୍ଵୟ ବୈଠକ ପରେ ପୁରୀ ଜିଲ୍ଲାପାଳ ବିବାହ ପାଇଁ ଛୁଟିରେ ଯିବେ । ଅପରପକ୍ଷେ ରାୟଗଡ଼ା ଜିଲ୍ଲାପାଳ ବି ଆସନ୍ତା ୭ ତାରିଖରୁ ବିବାହ ପାଇଁ ଛୁଟିରେ ଯାଉଥିବା ସୂଚନା ମିଳିଛି ।

ସୂଚନା ଥାଉକି, ନିକଟରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଚଞ୍ଚଳ ରଣାଙ୍କ ପ୍ରଥମ ପତ୍ନୀ ଥିଲେ ସ୍ବଧାଦେବ ସିଂହ । କିନ୍ତୁ ଉଭୟଙ୍କ ବିବାହ ବିଚ୍ଛେଦ ହେବା ପରେ ଆଇଏଏସ ଅନନ୍ୟା ଦାସଙ୍କୁ ବିବାହ କରିଥିଲେ ଚଞ୍ଚଳ ରଣା । ସେହିପରି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ପୂର୍ବରୁ ଭାରତୀୟ ରେଳବାଇର ଅଧିକାରୀ ସୂଚୀ ସିହଂଙ୍କୁ ବିବାହ କରିଥିଲେ । କିନ୍ତୁ ଯେତେ ବେଳେ ସମର୍ଥ ସମ୍ବଲପୁର ଜିଲ୍ଲାପାଳ ଥିଲେ ସେତେ ବେଳେ ସୂଚୀଙ୍କ ସହ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଏହାପରେ ଉଭୟ ଅଲଗା ହୋଇଯାଇଥିଲେ । ନିକଟରେ ସମର୍ଥ ବର୍ମାଙ୍କ ପ୍ରଥମ ପତ୍ନୀ ସୂଚୀ ଝାଡଖଣ୍ଡର ଜଣେ ଆଇଏଏସ ଅଧିକାରୀଙ୍କୁ ବିବାହ କରିଥିଲେ । ଏବେ ସମର୍ଥ ବର୍ମା ଓ ସ୍ବଧାଦେବ ସିଂହଙ୍କ ବିବାହ ହେବା ନେଇ ଚର୍ଚ୍ଚା ଜୋର ଧରିଛି।

୨୦୧୧ ବ୍ୟାଚ ଆଇଏଏସ୍ ଅଧିକାରୀ ସମର୍ଥ ବର୍ମା ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ବିଏମସି କମିଶନର, ରାୟଗଡ଼ା ପିଡ଼ି ଡ଼ିଆରଡ଼ିଏ ଓ ସମ୍ବଲପୁର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ସେହିପରି ରାୟଗଡ଼ା ଜିଲ୍ଲାପାଳ ସ୍ୱାଧାଦେବ ସିଂହ ପୂର୍ବରୁ ନୂଆପଡ଼ା ଜିଲ୍ଲାପାଳ ଓ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.