ରେଳଧାରଣାରୁ ମିଳିଲା ଦୁଇ ମୃତଦେହ, ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା !

କଣ୍ଟାବାଞ୍ଜି (କେନ୍ୟୁଜ): ମୁରିବାହାଲ ସାଲେପଡା ରେଳ ଧାରଣାରୁ ଜଣେ ବିବାହିତା ମହିଳା ଏବଂ ତାର ପ୍ରେମିକଙ୍କ ଖଣ୍ଡବିଖଣ୍ଡିତ ମୃତ ଦେହ ଉଦ୍ଧାର ହୋଇଛି । ମୃତ ବିବାହିତ ମହିଳା ଜଣଙ୍କ ହେଲେ ବାଲଦାସ ଗାଁର ପୂଜା ରଣା ଏବଂ ତାର ପ୍ରେମିକ ଘଣ୍ଟବାହାଲ ଗାଁର କୃଷ୍ଣଚନ୍ଦ୍ର ରଣା । ଦୁଇ ଜଣଙ୍କ ଭିତରେ ଅନେକ ଦିନରୁ ପ୍ରେମ ସମ୍ପର୍କ ଥିଲା । ଦୁଇ ଜଣଙ୍କ ପରିବାର ତାଙ୍କ ପ୍ରେମକୁ ନେଇ ଅନେକ ସମୟରେ ସ୍ଥାନୀୟ ଥାନାର ଦ୍ୱାରସ୍ତ ହୋଇଥିଲେ । ମହିଳାଙ୍କ ସ୍ୱାମୀଙ୍କୁ ଏବଂ ଯୁବକଙ୍କ ପରିବାର ଲୋକଙ୍କୁ ଡାକି ସମାଧାନ କରିବାକୁ ଚେଷ୍ଟା କରିଥିଲେ ।

ତେବେ ସୋମବାର ରାତି ସମୟରେ ଦୁଇ ଜଣଙ୍କର ପରିବାର ଥାନାରେ ଆପୋଷ କଥା ବାର୍ତ୍ତା ହୋଇଥିବା ବେଳେ ବିବାହିତ ମହିଳା ତାଙ୍କ ସ୍ବାମୀଙ୍କ ସହ ନରହି ପ୍ରେମିକଙ୍କ ସହ ରହିବାକୁ ଜିଦ କରିଥିଲେ । ପରେ ଦୁଇ ପରିବାର ଲୋକ ଦୁଇ ଜଣଙ୍କ ଛାଡି ଦେଇଥିଲେ । ଆଜି ସକାଳ ସମୟରେ ଦୁଇ ଜଣଙ୍କ ଖଣ୍ଡବିଖଣ୍ଡିତ ମୃତ ଦେହ ପଡିଥିବା କିଛି ଲୋକ ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ।କଣ୍ଟାବାଞ୍ଜି ଜିଆରପି ପୋଲିସ ଘଟଣାର ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ଉଭୟ ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ହେଲେ ଏନେଇ କୌଣସି ସଠିକ୍‌ ସୂଚନା ମିଳିନାହିଁ । ପୋଲିସର ତଦନ୍ତ ଓ ପୋଷ୍ଟ ମର୍ଟମ ରିପୋର୍ଟ ପରେ ହିଁ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.