ଚାକିରି କ୍ଷେତ୍ରରେ ପ୍ରଭାବହୀନ ପ୍ରଦର୍ଶନକାରୀ କର୍ମଚାରୀଙ୍କୁ ଆଗୁଆ ଦିଆଯିବ ଅବସର

କେନ୍ୟୁଜ୍: ପ୍ରଶାସନକୁ ଅଧିକ ପ୍ରଭାବୀ ଓ ସ୍ୱଚ୍ଛ କରିବା ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ବଡ଼ ପଦକ୍ଷେପ। ମୁଖ୍ୟମନ୍ତ୍ରୀଙ୍କ ୫-T ଆଧାରରେ ଏଣିକି ଚାକିରିରେ ପ୍ରଭାବହୀନ ପ୍ରଦର୍ଶନ କରୁଥିବା କିମ୍ବା ଯେଉଁମାନଙ୍କର କାର୍ଯ୍ୟ ଦକ୍ଷତା ସନ୍ତୋଷଜନକ ନୁହେଁ, ସେମାନଙ୍କୁ ଆଗୁଆ ଅବସର ଦିଆଯିବ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା। ସମସ୍ତ ବିଭାଗର ମୁଖ୍ୟଙ୍କୁ ଜାରି ହୋଇଛି ନିର୍ଦ୍ଦେଶନାମା। ଏକ ସମୀକ୍ଷା କମିଟି ଜରିଆରେ ଗ୍ରୁପ୍‌ ଏ, ବି, ସି ଓ ଡି କର୍ମଚାରୀଙ୍କ କାର‌୍ୟ୍ୟ ଦକ୍ଷତାର ସମୀକ୍ଷା କରାଯିବ। ସମସ୍ତ ଗ୍ରୁପର ରହିବ ଅଲଗା ଅଲଗା କମିଟି। ଗ୍ରୁପ୍‌ ଏ ଓ ବି କର୍ମଚାରୀଙ୍କ କ୍ଷେତ୍ରରେ ୩୦ ବର୍ଷର ଚାକିରି କରିଥିଲେ, ୫୦ କିମ୍ବା ୫୫ ବର୍ଷ ବୟସକୁ କାର‌୍ୟ୍ୟଦକ୍ଷତା ମାପିବା ବେଳେ ବିଚାରକୁ ନିଆଯିବ। ମାର୍ଚ୍ଚ ୩୧, ଜୁନ୍‌ ୩୦, ସେପ୍ଟେମ୍ବର ୩୦ ଓ ଡିସେମ୍ବର ୩୧ରେ ବର୍ଷକୁ ଚାରି ଥର ସମୀକ୍ଷା ହେବ। ସେହିପରି ଗ୍ରୁପ୍‌ ସି ଓ ଡି ପାଇଁ ସମୀକ୍ଷା ବର୍ଷର ଜୁନ୍‌ ୩୦, ଡିସେମ୍ବର ୩୧ ରେ କରାଯିବ। ଅବସର ପ୍ରଦାନ ପୂର୍ବରୁ କିଛି ବିଷୟକୁ ବିଚାରକୁ ନିଆଯିବ ବୋଲି କୁହାଯାଇଛି। ତେବେ ନିର୍ଦ୍ଦେଶନାମାରେ ଏକଥା ସ୍ପଷ୍ଟ ହୋଇଛି ଯେ, କୌଣସି କର୍ମଚାରୀଙ୍କୁ ଦଣ୍ଡସ୍ୱରୂପ ଆଗୁଆ ଅବସର ଦିଆଯିବ ନାହିଁ। କର୍ମକ୍ଷେତ୍ରରେ ପ୍ରଭାବହୀନ ଓ ଦୁର୍ନୀତିଗ୍ରସ୍ତକୁ ଆଗୁଆ ଅବସର ପ୍ରଦାନ କରାଯିବ। ଏହାସହ ଆଉ କିଛି ମାନଦଣ୍ଡକୁ ବି ବିଚାରକୁ ନିଆଯିବ।