ସୁନା କିଣିବା ବାହାନାରେ ଦୋକାନ ଭିତରେ ପଶି ୪ଲକ୍ଷ ଟଙ୍କାର ସୁନା ଧରି ଛୁ ମାରିଲେ ଦୁର୍ବୁତ୍ତ
ସୁନା କିଣିବା ବାହାନାରେ ସୁନା ଦୋକାନ ଭିତରେ ପଶି ସୁନା ଲୁଟ କରି ଫେରାର ହୋଇଗଲେ ଦୁର୍ବୁତ୍ତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଆଗଡ଼ପଡା ଅଂଚଳରେ ।

ଭଦ୍ରକ(କେନ୍ୟୁଜ୍): ତଳେ ବସି ବ୍ୟତିବ୍ୟସ୍ତ ହୋଇପଡୁଥିଲେ ବ୍ୟକ୍ତି ଜଣକ । ନିଜକୁ ସମ୍ଭାଳି ପାରୁନଥିଲେ । କଣ କରିବେ କିଛି ମୁଣ୍ଡରେ ପଶୁନଥିଲା । ଆଖପାଖରେ ବି ଲୋକଙ୍କ ଗହଳି ଜମିଥିଲା । ପୋଲିସ୍ ବାବୁ ବି ଆସି ପହଁଚି ଯାଇଥିଲେ । ଏଭଳି ପରିସ୍ଥିତିରେ କଣ ହେଇଛି ଜାଣିଲା ବେଳକୁ ସାମ୍ନାକୁ ଆସିଲା ସବୁ ଘଟଣା ।
ଆଜ୍ଞା ସୁନା କିଣିବା ବାହାନାରେ ସୁନା ଦୋକାନ ଭିତରେ ପଶି ସୁନା ଲୁଟ କରି ଫେରାର ହୋଇଗଲେ ଦୁର୍ବୁତ୍ତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଆଗଡ଼ପଡା ଅଂଚଳରେ । ସୂଚନା ମୁତାବକ ଗତକାଲି ଆଗରପଡ଼ା କୃଷ୍ଣ ଚରଣ ବିଦ୍ୟା ମନ୍ଦିର ନିକଟରେ ଏକ ସୁନା ଦୋକାନକୁ ଦୁଇ ଜଣ ବ୍ୟକ୍ତି ସୁନା କିଣିବା ବାହାନାରେ ଆସି ପହଁଚିଥିଲେ। ଦୋକାନରୁ ସୁନା ଦେଖିବା ସମୟରେ ପାଖାପାଖି ୭୦ ଗ୍ରାମର ସୁନା ଅଳଙ୍କାର କୌଶଳ କ୍ରମେ ଧରି ଚମ୍ପଟ ମାରିଥିଲେ ଦୁଇ ଦୁର୍ବୁତ୍ତ। ଯାହାର ଆନୁମାନିକ ମୂଲ୍ୟ ଚାରି ଲକ୍ଷ ଟଙ୍କା ରୁ ଅଧିକ ହେବ ବୋଲି କୁହାଯାଉଛି।
ଏପଟେ ଦୁଇ ଦୁର୍ବୁତ୍ତ ସୁନା ଧରି ଚମ୍ପଟ ମାରୁଥିବା ସମୟର ଭିଜୁଆଲ୍ ସିସି ଟିଭିରେ କଏଦ ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଦୁଇ ଲୁଟେରା ଏକ ବାଇକ୍ ଯୋଗେ ସୁନା ବ୍ୟାଗ୍ ଧରି ଆଖି ପିଛୁଳାକେ ଫେରାର ହୋଇଯାଇଥିଲେ ।
ତେବେ ଏନେଇ ସୂଚନା ପାଇ ଘଟଣାସ୍ଥଳରେ ତୁରନ୍ତ ଆଗରପଡ଼ା ପୋଲିସ ପହଞ୍ଚି ଥିବା ସହିତ ପାଖ ଆଖ ଦୋକାନରୁ ସିସିଟିଭି ଯାଞ୍ଚ କରିଛି । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ୍ ଅଧିକ ତଦନ୍ତ କରୁଥିବାବେଳେ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି ।