Below header

ଦାଦନ ଖଟିବାକୁ ଯାଇ ବର୍ଷେ ହେବ ନିଖୋଜ ଥିଲେ ଯୁବକ, ଦଲାଲଙ୍କୁ ଧରିବାକୁ ଯାଇ କ୍ଵାରେଣ୍ଟାଇନ ସେଣ୍ଟର ଘେରିଲେ ପରିବାର ଲୋକ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଲରିଆପାଲି ପଞ୍ଚାୟତ ନୂଆଡ଼ିହି ପୁଖରାମାଲ ଗ୍ରାମ ରୁ ପ୍ରାୟ ବର୍ଷେ ତଳେ ଜନୈକ ବିବାହିତ ଯୁବକ ଦାଦନ ଖଟିବା କୁ ଯାଇଥିବା ବେଳେ ତାଙ୍କର ଆଉ କୌଣସି ସନ୍ଧାନ ମିଳୁନାହିଁ। ତାଙ୍କୁ ନେଇଥିବା ଦଲାଲ ବର୍ତ୍ତମାନ ବାମରା ବ୍ଲକ କୁଟାରୀମାଲ ଉଚ୍ଚ ବିଦ୍ୟାଳୟ ରେ ସଂଗରୋଧ ଥିବା ଜାଣି ନିଖୋଜଙ୍କ ପରିବାର ଲୋକ ସଂଗରୋଧ କେନ୍ଦ୍ର ଘେରାଉ କରିଥିଲେ ହେଲେ ପୋଲିସ ଓ ପ୍ରଶାସନ ବୁଝାସୁଝା କରିବା ପରେ ସେମାନେ ଫେରିଯାଇଥିଲେ । ଅଭିଯୋଗ ଅନୁସାରେ ପ୍ରାୟ ବର୍ଷେ ତଳେ ୨୦୧୯ ଅଗଷ୍ଟ ମାସ ୧୮ ତାରିଖ ଦିନ ଲରିଆପାଲି ଗ୍ରାମପଞ୍ଚାୟତ ନୂଆଡ଼ିହି ପୁଖରାମାଲ ଗ୍ରାମର ହରି ପିଙ୍ଗଙ୍କୁ ଗୋଆରେ କାମ କରାଇଦେବା କହି ସେହି ଗ୍ରାମର ରମେଶ ରଣା ଘରୁ ନେଇଯାଇଥିଲେ। ହରି ପିଙ୍ଗ ଯିବା ପର ଠାରୁ ଘର ଲୋକଙ୍କ ସହିତ ଆଉ ଯୋଗାଯୋଗ କରି ନ ଥିଲେ। ପରିବାର ବର୍ଗ ତାଙ୍କ ମୋବାଇଲ ନମ୍ବର ରେ ଫୋନ କରିଲେ ଫୋନ ଟି ରମେଶ ରଣା ଉଠାଇ ନାନା ବାହାନା କରୁଥିଲେ। ସନ୍ଦେହ କରି ଅକ୍ଟୋବର ୨୦ ତାରିଖ ଦିନ ହରି ପିଙ୍ଗ ଙ୍କ ସ୍ତ୍ରୀ ସୁଭାସିନୀ ମହୁଲପାଲି ଥାନାରେ ଅଭିଯୋଗ କରିଥିଲେ।

sambalpur youth

ମହୁଲପାଲି ପୋଲିସ ଏନେଇ ଏକ ନିଖୋଜ ମାମଲା ଜିଡ଼ି-୦୮ ରୁଜୁ କରିଥିଲେ । ଅନ୍ୟପଟେ ସମୟ ଅତିବାହିତ ହେବା ସହିତ ସ୍ୱାମୀର କୌଣସି ଖବର ନ ପାଇ ସୁଭାସିନି ବ୍ୟାକୁଳ ହୋଇ ତା ତାଙ୍କ ସ୍ୱାମୀ ର ସନ୍ଧାନ ପାଇଁ ସମ୍ବଲପୁର ପୋଲିସ ଅଧିକ୍ଷକଙ୍କୁ ଲିଖିତ ଅନୁରୋଧ କରିଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ପରେ କୁଚିଣ୍ଡା ବିଧାୟକ, ଜିଲ୍ଲାପାଳ, ଲେବର କମିଶନର ଓ ଶ୍ରମ ମନ୍ତ୍ରୀ ଙ୍କୁ ମଧ୍ୟ ସ୍ୱାମୀ ର ସନ୍ଧାନ ରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ଅନ୍ୟ ପଟେ ରମେଶ ରଣା ଅନେକ ସମୟରେ ଫୋନ ଉଠାଉଥିବା ବେଳେ ସୁଭାସିନୀଙ୍କୁ ଭୁଆଁ ବୁଲାଉଥିଲା । ତାଙ୍କ ସ୍ୱାମୀ ପାଗଳ ହୋଇଯାଇଥିବା ଓ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା କଥା କହୁଥିବା ବେଳେ ଆଉ କେତେ ବେଳେ ସେ ନିଜେ କେଉଁ ଆଡକୁ ପଳାଇଥିବା କହୁଥିଲେ। ତାଙ୍କୁ ଖୋଜିବା ପାଇଁ ଅନେକ ଥର ସୁଭାସିନୀ ଙ୍କୁ ଟଙ୍କା ମଧ୍ୟ ମାଗିଥିଲେ। ସ୍ୱାମୀ ର ସନ୍ଧାନ ଆଶା ରେ ସେ ରମେଶ କୁ ଟଙ୍କା ମଧ୍ୟ ପଠାଇ ଥିଲେ ହେଲେ ଏହି ପରି ଭାବେ ପାଖାପାଖି ଏକ ବର୍ଷ ବିତି ଯାଇଥିଲେ ମଧ୍ୟ ସ୍ୱାମୀର କୌଣସି ସନ୍ଧାନ ନ ପାଇଁ ନିରାଶ ହୋଇ ପଡିଥିଲେ।

ବର୍ତ୍ତମାନ ରମେଶ ରଣା ଗୋଆରୁ ଫେରି କୁଟାରୀମାଲ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ସୋମବାର ତାଙ୍କ ସଂଗରୋଧ ଅବଧି ଶେଷ ହେଉଥିବା ଖବର ପାଇ ନିଜ ପରିବାର ବର୍ଗ ଓ ଗ୍ରାମବାସୀଙ୍କ ସହ ଉକ୍ତ ସଂଗରୋଧ କେନ୍ଦ୍ରରେ ପହଞ୍ଚିଥିଲେ। ପରିସ୍ଥିତି ଗଣ୍ଡଗୋଳିଆ ହେବାରୁ ଖବର ପାଇ ବାମରା ତହସିଲଦାର ଅନିଲ କୁଲୁ ଓ ଗୋବିନ୍ଦପୁର ଥାନା ଅଧିକାରୀ ପ୍ରତାପ ରଣା ପହଞ୍ଚି ଉତ୍ୟକ୍ତ ଲୋକଙ୍କ ସହିତ ଆଲୋଚନା କରିଥିଲେ। ଅଭିଯୁକ୍ତ ଥିବା ରମେଶ ରଣାଙ୍କୁ ବର୍ତ୍ତମାନ ସଂଗରୋଧ କେନ୍ଦ୍ରରୁ ଛଡା ଯିବ ନାହିଁ ସିଧାସଳଖ ତାଙ୍କୁ ମହୁଲପାଲି ପୋଲିସ କୁ ହସ୍ତାନ୍ତର କରିବା ସହ ପ୍ରକୃତ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଉତ୍ୟକ୍ତ ଗ୍ରାମବାସୀ ଫେରିଯାଇଥିଲେ। ଅନ୍ୟ ପଟେ ମହୁଲପାଲି ଥାନା ଅଧିକାରୀ ଜ୍ୟୋସ୍ନା ରାନୀ ବେହରା ମଧ୍ୟ ତଦନ୍ତ ପରେ ଉଚିତ କାର୍ଯ୍ୟାନୁଷ୍ଠାନ ର ପ୍ରତିଶୃତି ଦେଇଥିବା ଜଣାପଡ଼ିଛି। ପ୍ରାୟ ଏକ ବର୍ଷ ରୁ ସ୍ୱାମୀଙ୍କୁ ରୋଜଗାର ଦେବା ବାହାନାରେ ନେଇ ତାଙ୍କୁ ବିକ୍ରି କରି ଦିଆଯାଇଥିବା ପରିବାରବର୍ଗ ସନ୍ଦେହ କରିଛନ୍ତି । ରମେଶ ରଣାଙ୍କୁ ପଚରାଉଚରା କରି ପରିବାର ର ଏକମାତ୍ର ରୋଜଗାର କ୍ଷମ ସ୍ୱାମୀଙ୍କୁ ଫେରାଇ ଆଣିବା ପାଇଁ ସୁଭାସିନୀ ଆକୁଳ ନିବେଦନ କରିଛନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.