Below header

କରୋନା ଯୁଦ୍ଧରେ ଏମାନେ ବି ଯୋଦ୍ଧା,ଲକଡାଉନରେ ବାହାର ରାଜ୍ୟର ଶ୍ରମିକଙ୍କୁ ଦୈନିକ ରନ୍ଧାଖାଦ୍ୟ ଯୋଗାଉଛି ସତ୍ୟସାଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

ଯାଜପୁର (କେନ୍ୟୁଜ): କରୋନା ମୁକାବିଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଭୂମିକା ଗୁରୁତ୍ୱପୂର୍ଣ୍ଣ । ରାଜ୍ୟରେ ଥିବା ଏହି ମହିଳା ଗୋଷ୍ଠୀର ସଦସ୍ୟମାନେ ସଚେତନତା ଠାରୁ ଆରମ୍ଭ କରି ରନ୍ଧାଖାଦ୍ୟ ପ୍ରସ୍ତୁତ କରୁଛନ୍ତି । ତେବେ ଏହି ଗୋଷ୍ଠୀର ମହିଳାମାନେ ବାସ୍ତବିକ ସରକାରଙ୍କ ନିର୍ଦ୍ଦେଶକୁ କେତେ ଦୂର ପାଳନ କରୁଛନ୍ତି ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଚୋରମୁହାଁ ପଂଚାୟତରେ ।

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଚୋରମୁହାଁ ପଂଚାୟତ ବଡମଙ୍ଗଳପୁର ଗ୍ରାମର ସତ୍ୟସାଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ । କରୋନା ଯୁଦ୍ଧରେ ଏମାନେ ବି ଯୋଦ୍ଧା । ଲକଡାଉନ ଯୋଗୁ ଏହି ପଂଚାୟତରେ ୩୬ଜଣ ବାହାର ରାଜ୍ୟର ଶ୍ରମିକ ଫସି ରହିଛନ୍ତି । ବ୍ଲକ ପ୍ରଶାସନର ନିର୍ଦ୍ଦେଶ ମୁତାବକ ଏହି ଗୋଷ୍ଠୀର ମହିଳାମାନେ ସେମାନଙ୍କ ପାଇଁ ଦୈନିକ ରନ୍ଧାଖାଦ୍ୟ ପ୍ରସ୍ତୁତ କରୁଛନ୍ତି ।

ଏହି ସମୟରେ ସରକାରଙ୍କ ନୀତି ନିୟମକୁ ଭୁଲି ଯାଇନାହାନ୍ତି ଏହି ମହିଳାମାନେ । ରୋଷେଇ କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ହାତ ଧୋଇବା, ମାସ୍କ ବ୍ୟବହାର କରିବା ଏବଂ ସାମାଜିକ ଦୂରତା ଅବଲମ୍ବନ କରି ଏମାନେ ନିଜ ନିଜର ଦାୟିତ୍ୱ ତୁଲାଉଛନ୍ତି । ଲକଡାଉନ ଯୋଗୁ ସୂଦୂର ଝାଡଖଣ୍ଡ, ଛତିଶଗଡ ଓ ପଶ୍ଚିମବଙ୍ଗରୁ ପ୍ରାୟ ୩୬ଜଣ ମହିଳା ଓ ପୁରୁଷ ଶ୍ରମଜୀବୀ ଏଠାରେ ଫସିରହିଛନ୍ତି ।

ସେମାନଙ୍କ ପାଇଁ ଦୁଇ ଓଳି ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ଏହି ମହିଳାମାନେ । ରୋଷେଇ ସମୟରେ ପରିସ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେବା ସହ ଖାଦ୍ୟକୁ ପ୍ରସ୍ତୁତ କରି ଆଶ୍ରୟ ନେଇଥିବା ସ୍ଥଳରେ ସବୁ ଦିନ ଖାଦ୍ୟ ପହଂଚାଇବା ମଧ୍ୟ ଏହି ମହିଳା ଗୋଷ୍ଠୀର ଦାୟିତ୍ୱ । ଏପରିକି ଖାଦ୍ୟ ପ୍ରଦାନ ସମୟରେ ସାବୁନ ଓ ମାସ୍କ ଦେଇ ସେମାନଙ୍କୁ ସଚେତନ କରାଉଛନ୍ତି ସ୍ଥାନୀୟ ସରପଂଚ ।

ଏଭଳି ବିପଦ ସମୟରେ ଖାଦ୍ୟ ଦେଇ ସେମାନଙ୍କ ଭୋକ ମେଂଟାଉଥିବାରୁ ଶ୍ରମଜିବୀମାନେ ରାଜ୍ୟ ସରକାର ଓ ଏହି ମହିଳା ଗୋଷ୍ଠୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଭଳି ଘଡିସନ୍ଧି ମୁହୁର୍ତରେ ସତ୍ୟସାଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଉଦ୍ୟମ ବେଶ ପ୍ରଶଂସନୀୟ । ଲକଡାଉନ ଥିବା ପର୍ଯ୍ୟନ୍ତ ଏମିତି ଭାବେ ଖାଦ୍ୟ ପ୍ରସ୍ତୁତ କରି ସେବା ଯୋଗାଇଦେବାକୁ ଗୋଷ୍ଠୀର ମହିଳାମାନେ ପ୍ରତିଶ୍ରୁତିବଦ୍ଧ । ନିଶ୍ଚିତ ଭାବେ ଏହି ଗୋଷ୍ଠୀର ମହିଳାମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.