ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ

ଭୁବନେଶ୍ବର (କେନ୍ୟୁଜ୍) : ଆଜି ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ । ଗୃହରେ ଆଗତ ହେବ ଅତିରିକ୍ତ ବଜେଟ । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଅତିରିକ୍ତ ବଜେଟ ଉପସ୍ଥାପନ କରିବେ । ଏହି ଅତିରିକ୍ତ ବଜେଟର ଆକାର ୧୨ ହଜାର ୭ ଶହ ୬୮ କୋଟି ଟଙ୍କା । କିଛି ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା, ନୂଆ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନା ସମେତ ସାମାଜିକ କ୍ଷେତ୍ର ପ୍ରତି ଅତିରିକ୍ତ ବଜେଟରେ ଅଧିକ ଗୁରୁତ୍ୱ ଦିଆଯାଇଥିବା ସୂଚନା ମିଳିଛି । ରାଜ୍ୟରେ ଅଗଷ୍ଟ ୧୫ରୁ ଲାଗୁ ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ।

ଏଥିପାଇଁ ପ୍ରାୟ ୫ ଶହ କୋଟି ଟଙ୍କା ବ୍ୟୟବରାଦ ହେବ । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରିବେ । ଏହି ଯୋଜନା ପାଇଁ ପାଖାପାଖି ୨୨୦ କୋଟି ଟଙ୍କା ବ୍ୟୟବରାଦ କରାଯିବ । ଯଦିଓ ବିଶ୍ୱକପ ହକି ପାଇଁ ରାଜ୍ୟ ବଜେଟରେ ୧୨୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି ତେବେ ଅତିରିକ୍ତ ବଜେଟରେ ଏଥିପାଇଁ ଆଉ କିଛି ଅର୍ଥ ବ୍ୟବସ୍ଥା କରାଯାଇପାରେ ।

ବିଗତ ବର୍ଷଗୁଡ଼ିକରେ ବିଧାନସଭାର ଶୀତ କାଳୀନ ଅଧିବେଶନରେ ଅତିରିକ୍ତ ବଜେଟ ଆଗତ ହୋଇଥିଲା। ଚଳିତ ଥର କିନ୍ତୁ ମୌସୁମୀ ଅଧିବେଶନରେ ଆଗତ ହେଉଛି ଅତିରିକ୍ତ ବଜେଟ । ଗତ ରାଜ୍ୟ ବଜେଟର ପରିମାଣ ୧ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କା ରହିଥିବା ବେଳେ ପୂର୍ବ ଅତିରିକ୍ତ ବଜେଟ ପାଖାପାଖି ୧୦ହଜାର କୋଟି ଟଙ୍କା ରହିଥିଲା । ଆସନ୍ତା ୨୦ ତାରିଖ ଯାଏ ମୌସୁମୀ ଅଧିବେଶନ ଚାଲିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.