କଲରାବାଙ୍କ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲ ପାଲଟିଲା ପାର୍ଲାମେଣ୍ଟ: ଛାତ୍ରଛାତ୍ରୀ ନେତା ଓ ବିରୋଧ ଦଳ ସାଜି ଦେଶର ସମସ୍ୟା କଲେ ଆଲୋଚନା

କଟକ(କେନ୍ୟୁଜ୍): କଟକ ଜିଲ୍ଲାର ଆଦର୍ଶ ଗାଁ କଲରାବାଙ୍କ ସ୍ଥିତ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲରେ ଛାୟା ସଂସଦ ଅନୁଷ୍ଠିତ। ଗଣତନ୍ତ୍ର ଓ ସଂସଦୀୟ ବିଧିବ୍ୟବସ୍ଥା ପ୍ରତି ସ୍କୁଲ ଛାତ୍ରଛାତ୍ରୀଙ୍କ ଭିତରେ ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ କଳିଙ୍ଗ ମକ୍‌ ପାର୍ଲାମେଣ୍ଟର ନିଆରା ପ୍ରୟାସ କରିଥିଲା କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲ। ଛାୟା ସଂସଦରେ ଦେଶର ବିଭିନ୍ନ ସମସ୍ୟାକୁ ଦେଖିବାକୁ ମିଳିଥିଲା। ସମସ୍ୟାକୁ ନେଇ ଚିନ୍ତା ପ୍ରକାଶ କରିଥିଲେ ବିରୋଧୀ ଦଳ। ସରକାରଙ୍କୁ ଘେରିବାକୁ ସଂସଦରେ ଚାଲିଥିଲା ହଟ୍ଟଗୋଳ। ଏପଟେ ବିରୋଧୀଙ୍କୁ କାଉଣ୍ଟର କରିବାକୁ ଜୋରସୋରରେ ଲାଗିପଡ଼ିଥିଲେ ସରକାରୀ ଦଳ ସଦସ୍ୟ। କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲରେ ଅନୁଷ୍ଠିତ ମକ୍‌ ପାର୍ଲାମେଣ୍ଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।

ସଂସଦର ଶାସକ ଓ ବିରୋଧୀ ଦଳର ସଦସ୍ୟ ଭୂମିକାରେ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲର ଛାତ୍ରଛାତ୍ରୀ ଭାଗ ନେଇ ଦେଶର ବିଭିନ୍ନ ପ୍ରସଙ୍ଗକୁ ଆକର୍ଷଣୀୟ ଢଙ୍ଗରେ ଉପସ୍ଥାପନା କରିଥିଲେ। ସ୍ମାର୍ଟ ଭିଲେଜ କଲରାବାଙ୍କର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଦିଗ୍‌ଦର୍ଶନରେ କାର୍ଯ୍ୟକ୍ରମର ପରିକଳ୍ପନା କରିଥିଲେ କାଦମ୍ବିନୀର ସଂପାଦିକା ଡ. ଇତି ସାମନ୍ତ ଓ ତାଙ୍କ ସୁପୁତ୍ର ତଥା କୁନିକଥାର ସଂପାଦକ ଶ୍ରୀଜିତ ଅଭିଷେକ। ୨ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଅତିଥି ଯୋଗ ଦେଇଥିଲେ।

ପ୍ରଥମ ଦିନରେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ, କଟକ ମେୟର ସୁବାସ ସିଂ ଓ ଅବସରପ୍ରାପ୍ତ ଭାରତୀୟ କୁଟନୀତିଜ୍ଞ ପ୍ରଫେସର ଜିତେନ୍ଦ୍ର ନାଥ ମିଶ୍ର ଯୋଗ ଦେଇଥିଲେ। ଦ୍ୱିତୀୟ ଦିନରେ ରାଜ୍ୟସଭା ସାଂସଦ ସୁଲତା ଦେଓ, ସତ୍ୟଜିତ ରୟ ଫିଲ୍‌ମ ଇନ୍‌ଷ୍ଟିଚ୍ୟୁଟର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ଓ ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଯୋଗ ଦେଇଥିଲେ। ଦୁଇଦିନର ଛାୟା ସଂସଦରେ ଜୁରୀ ଭାବେ ବରିଷ୍ଠ ସାମ୍ବାଦିକା ସାରଦା ଲାହାଙ୍ଗୀର, ମୀନତି ସିଂ, ଡାଏନା ସାହୁ, ଅମିତାଭ ଖିଲାର, ଗାୟତ୍ରୀ ମହାନ୍ତି ଓ କଳିଙ୍ଗ ଟିଭିର କଟକ ଜୋନାଲ ହେଡ ବିଭୂତି ସାହୁ ଯୋଗ ଦେଇଥିଲେ। ଏଭଳି ପ୍ରୟାସ ପାଇଁ କାଦମ୍ବିନୀ ସଂପାଦିକା ଡ. ଇତି ସାମନ୍ତଙ୍କ ପ୍ରଶଂସା କରିଥିଲେ ଅତିଥି ଓ ଜୁରୀ ମେମ୍ବର। କାର୍ଯ୍ୟକ୍ରମ ଶେଷରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.