ବିଏମସିର ନୂଆ ନିୟମ: ଆଜିଠୁ ହୋଟଲରେ ଖାଇବା ମନା

ଭୁବନେଶ୍ବର: ଆଜିଠୁ ହୋଟଲରେ ବସି ଖାଇବା ମନା। ଏନେଇ ନିଷ୍ପତ୍ତି ନେଇଛି ବିଏମ୍‌ସି। କେହି ରେଷ୍ଟୁରାଣ୍ଟରେ ବସି ଖାଇପାରିବେନି। କେବଳ ପାର୍ସଲ ଆଣିବାର ବ୍ୟବସ୍ଥା ରହିଛି। ଅନଲାଇନରେ ମଧ୍ୟ ଖାଦ୍ୟ ଅର୍ଡର ଦେଇପାରିବେ। ଗତ ୧୯ ତାରିଖରେ ସ୍ୱତନ୍ତ୍ର ରିଲିଫ କମିଶନର ଜାରି କରିଥିବା ଗାଇଡଲାଇନରେ ଏହି ନିର୍ଦ୍ଦେଶ ଥିଲା। ରାଜଧାନାରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ଏଭଳି ନିୟମର ଆବଶ୍ୟକତା ଥିଲା ବୋଲି କହିଛନ୍ତି ହୋଟେଲ ଓ ରେଷ୍ଟୁରାଣ୍ଟ ବ୍ୟବସାୟୀ ଦେବୁ ପଟ୍ଟନାୟକ।

କରୋନା ଆରମ୍ଭ ହେବା ଠାରୁ ହୋଟେଲ ଓ ରେଷ୍ଟୁରାଣ୍ଟ କ୍ଷତିରେ ଚାଲିଛି। ଏଣୁ ଜୀବନ ସହ ଜୀବିକାକୁ ଗୁରୁତ୍ୱ ଦେଇ ସଂକ୍ରମଣ କମିବା ପରେ ୫୦ ପ୍ରତିଶତ ଗ୍ରାହକରେ ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିବାକୁ ସରକାର ଅନୁମତି ଦେବାକୁ ସରକାର ଚିନ୍ତା କରନ୍ତୁ ବୋଲି ସେ କହିଛନ୍ତି। କେବଳ ଭୁବନେଶ୍ୱରରେ ହଜାରେରୁ ଅଧିକ ହୋଟେଲ ଓ ରେଷ୍ଟୁରାଣ୍ଟ ରହିଛି। ବହୁ ଲୋକ ଏହା ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଛନ୍ତି ବୋଲି ସେ କହିଛନ୍ତି।