ପାରିବାରିକ କଳହ ନେଲା ଉଗ୍ର ରୂପ: ପୁଅର ଟାଙ୍ଗିଆ ଚୋଟରେ ଗଲା ବାପାର ଜୀବନ

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ପେଜପାଣି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ହୋଇଛି। ମୃତକ ହେଲେ ସେହି ଗ୍ରାମର ଦୁର୍ମୁନ ଶବର l ପାରିବାରିକ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି l ପୋଲିସର ସୂଚନା ଅନୁଯାୟୀ, ଦୁର୍ମୁନ ଶବରଙ୍କ ପ୍ରଥମ ସ୍ତ୍ରୀ ଲୁହୁରି ଶବର ଏବଂ ତାଙ୍କ ୨ ଝିଅ ୩ ପୁଅକୁ ନେଇ ରହୁଥିଲେଦୁଇ ଝିଅ ବିବାହ କରିସାରିଛନ୍ତି l ତେବେ ୨୦୧୬ ମସିହାରେ ଦୁର୍ମୁନ ଦ୍ବିତୀୟ ବିବାହ କରିଥିଲେ । ତାଙ୍କର ଏକ ୩ ବର୍ଷର ପୁଅ ରହିଛି l ଦ୍ବିତୀୟ ବିବାହ କରି ଦୁର୍ମୁନ ସ୍ତ୍ରୀ ପୁଷ୍ପାଞ୍ଜଳି ଶବର ସହ ପେଜପାଣି ଗ୍ରାମରେ ପ୍ରଥମ ସ୍ତ୍ରୀଙ୍କ ଘର ସମ୍ମୁଖରେ ହିଁ ରହୁଥିଲେ। ଫଳରେ ଅନେକ ସମୟରେ ଦୁଇ ପରିବାର ମଧ୍ୟରେ କଳି ଝଗଡା ଲାଗିରହୁଥିଲା।

ରବିବାର ବିଲରେ ହଳ କରିବାକୁ ନେଇ ଝଗଡା ହେବାସହ ଦୁର୍ମୁନ ପ୍ରଥମ ସ୍ତ୍ରୀ ଲୁହୁରିଙ୍କୁ ମାଡ଼ ମାରିଥିଲେ l ସନ୍ଧ୍ୟାରେ ପୁଅ ଘରକୁ ଆସିବା ପରେ ଲୁହୁରି ବାପା ମାଡ଼ ମାରିବା କଥା ତାଙ୍କୁ କହିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ବଡ ପୁଅ କେପ୍ପାଶ ଶବର ଏକ ଟାଙ୍ଗିଆ ଦ୍ୱାରା ବାପାଙ୍କ ମୁଣ୍ଡ ଏବଂ ବେକକୁ ଚୋଟ ପକାଇଥିଲା । ଘଟଣା ସ୍ଥଳରେ ଦୁର୍ମୁନଙ୍କ ମୃତ୍ୟୁ ହୋଇଯାଇଥିଲା l

ଏନେଇ ଦ୍ଵିତୀୟ ସ୍ତ୍ରୀ ପୁଷ୍ପାଞ୍ଜଳି ଏତଲା ଦେବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଏବଂ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି l ମୃତଦେହ ବ୍ୟବଛେଦ ପାଇଁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ପଠାଯାଇଛି l ଅନ୍ୟପଟେ ହତ୍ୟାକାରୀ ପୁଅ ଚନ୍ଦ୍ରଗିରି ଫାଣ୍ଡିରେ ଆତ୍ମସମର୍ପଣ କରିବା ପରେ ତାକୁ ଗିରଫ କରାଯାଇଛି l ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.