ଏ ମେଡିକାଲରୁ ସେ ମେଡିକାଲ; ଶେଷରେ ମରିଗଲା ମୋ ପୁଅ, ଏଠି ଦାୟୀ କିଏ ?

କଟକ : ଏ ମା’ର କାନ୍ଦ ଆଉ ତାର କଥା ଜଣାଇଦେଉଛି ଏହି ମାର କେତେ ଦୁଃଖ। ଜୀବନ ବଞ୍ଚାଇବେ ସେ, ମାରିବେ ସେଇ ଡାକ୍ତର। ପରିବାର ଲୋକଙ୍‌କ ଅଭିଯୋଗ ହେଉଛି ଚିନ୍ମୟକୁ ଠିକଣା ସମୟରେ ଚିକିତ୍ସା ମିଳିଲା ନାହିଁ, ତେଣୁ ସେ ମରିଗଲା। କଟକ ଜିଲ୍ଲା ମାହାଙ୍ଗାର ଭଦ୍ରେଶ୍ୱର ଅଞ୍ଚଳର। ଏଇ ଗାଁର ପ୍ରବୋଧ ସାମଲଙ୍କ ପୁଅ ଚିନ୍ମୟ ୧୦ମ ଶ୍ରେଣୀ ଛାତ୍ର। ହଠାତ ତାର ପେଟରେ ଯନ୍ତ୍ରଣା ହେଲା। ଧୀରେ ଧୀରେ ତାହା ବଢ଼ିବାକୁ ଲାଗିଲା ।

ଏଇ ଲକ୍‌ଡାଉନ୍‌ରେ ବହୁ କଷ୍ଟରେ ପରିବାର ଲୋକେ ପୁଅକୁ ନେଇ ପ୍ରଥମେ ନିଶ୍ଚିନ୍ତକୋଇଲି ପୁଣି କଟକ ଏସ୍‌ସିବି ଆଉ ପରେ ଅନ୍ୟ ଘରୋଇ ହସପିଟାଲରେ ବୁଲି ବୁଲି ନିରାଶ ହେଲେ । ଯେତେ ନେହୁରା ହେଲେ ବି କେହି ଶୁଣିଲେନି । କରୋନା ରୋଗୀ କହି ଫେରାଇ ଦେଲେ । ମନା କରିଦେଲେ ।

ଶେଷରେ ପୁଅକୁ ଫେରାଇ ଆଣିଲେ ମାହାଙ୍ଗା ସରକାରୀ ହସପିଟାଲକୁ। ସେଠାରେ ବି ଥିଲା ସମାନ ଅବସ୍ଥା। ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ୧୦୮ ଆମ୍ବୁଲାନ୍ସ ଡକାଇ ଯନ୍ତ୍ରଣାରେ ଛଟପଟ ହେଉଥିବା ଚିନ୍ମୟକୁ କଟକ ପଠାଇ ଦେଲେ। ହେଲେ ଭଗବାନ ବୋଧହୁଏ ଆଉ ଚିନ୍ମୟର କଷ୍ଟ ଦେଖି ପାରିଲେ ନାହିଁ। ସେଇ ଆମ୍ବୁଲାନ୍ସ ଭିତରେ ଚାଲିଗଲା ଜୀବନ।

ଏଇ ଘଟଣା ଖୁବ୍‌ ଆଘାତ ଦେଇଛି ପରିବାର ଲୋକଙ୍କୁ। ଗଭୀର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଚିନ୍ମୟର ବାପା ମା ଏବଂ ସମ୍ପର୍କୀୟ। କାରଣ ପ୍ରବୋଧ ଓ ଲକ୍ଷ୍ମୀପ୍ରିୟାଙ୍କର ଏକମାତ୍ର ପୁଅ ଥିଲା ଚିନ୍ମୟ। ସେମାନେ ପୁଅର ମୃତ୍ୟୁ ପାଇଁ ଚିକିତ୍ସାରେ ବିଳମ୍ବକୁ ଦାୟୀ କରୁଛନ୍ତି। ହେଲେ ଦାୟୀ ଯିଏ ସିଏ କଣ ଦଣ୍ଡ ପାଇବ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.