ଚଳିତ ବର୍ଷ ବିନା ଭକ୍ତରେ ହେବ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, ସାମିଲ ହେବେନି ଶ୍ରଦ୍ଧାଳୁ

କେନ୍ୟୁଜ୍(ବ୍ୟୁରୋ):  ଚଳିତ ବର୍ଷ ବିନା ଭକ୍ତରେ ହେବ ରୁକୁଣା ରଥଯାତ୍ରା । ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରାରେ ସାମିଲ ହେବେନି ଶ୍ରଦ୍ଧାଳୁ । କୋଭିଡ କଟକଣା ଭିତରେ ପାଳନ ହେବ ରଥଯାତ୍ରା । ଏନେଇ BMC ପକ୍ଷରୁ ଗାଇଡଲାଇନ୍‌ ଜାରି କରାଯାଇଛି। ରଥଯାତ୍ରା ପୂର୍ବରୁ ସେବାୟତଙ୍କ RT-PCR ଟେଷ୍ଟ କରାଯିବ। ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍‌ ଆସିବ କେବଳ ସେହି ସେବାୟତ ହିଁ ରଥଯାତ୍ରାରେ ଭାଗ ନେଇପାରିବେ । ମାସ୍କ ଓ ସାମାଜିକ ଦୂରତା ନିୟମ ମାନି ରଥଯାତ୍ରାରେ ସାମିଲ ହେବେ । ସେବାୟତଙ୍କ ସ୍କ୍ରିନିଂ ଓ ସାନିଟାଇଜେସନ୍‌ ନେଇ ଲିଙ୍ଗରାଜ ମନ୍ଦିର ପ୍ରଶାସନ ସୁନିଶ୍ଚିତ କରିବେ। ରଥ ସାନିଟାଇଜ୍‌ ପାଇଁ BMCକୁ ସହଯୋଗ କରିବ ମନ୍ଦିର ପ୍ରଶାସନ।

ରଥଯାତ୍ରା ସମୟରେ ଦୋକାନ ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଯାଇଛି। ରଥଯାତ୍ରା ପୂର୍ବଦିନ ରଥ ପ୍ରତିଷ୍ଠା କରାଯିବ । ରଥ ପ୍ରତିଷ୍ଠା ପାଇଁ କଟକଣା ଭିତରେ ମୁକ୍ତେଶ୍ୱର ମନ୍ଦିର ମରୀଚି କୁଣ୍ଡରୁ ପାଣି ଅଣାଯିବ । ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସମସ୍ତ ନିଯୋଗର ସଂପାଦକ ଓ ସଭାପତି, ଲିଙ୍ଗରାଜ ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନର ଅଧିକାରୀ ଉପସ୍ଥିତ ଥିଲେ । ଆସନ୍ତା ୨୦ ତାରିଖରେ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। ଗତବର୍ଷ ରୁକୁଣା ରଥ ନିର୍ମାଣ ହୋଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ କରୋନା ପାଇଁ ରଥଯାତ୍ରାକୁ ବନ୍ଦ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.