କୋଭିଡ୍ ପାଇଁ ହାଇ ଆଲର୍ଟରେ ରାଜ୍ୟ ସରକାର, କାଲି ବସିବ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

କେନ୍ୟୁଜ୍(ବ୍ୟୁରୋ):  ଚୀନରେ ଅଣାୟତ୍ତ କୋଭିଡ଼। ଭୟଙ୍କର ପରିସ୍ଥିତି ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କୋଭିଡ ପାଇଁ ଆଲର୍ଟରେ ରାଜ୍ୟ ସରକାର । ଆସନ୍ତାକାଲି ବସିବ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟ ସରକାର କିଛି ବଡ଼ ନିଷ୍ପତି ନେଇପାରନ୍ତି । ଅନ୍ୟପଟେ ଚୀନ ଭାରିଆଣ୍ଟକୁ ନେଇ ଆତଙ୍କିତ ହେବାର ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଅନ୍ୟ ଦେଶରେ ବଢୁଛି କିନ୍ତୁ ଆମର ସେଭଳି ସ୍ଥିତି ନାହିଁ। କିନ୍ତୁ ଭବିଷ୍ୟତରେ ଆମର ବଢ଼ିବ ନାହିଁ ବୋଲି କହି ହେବନି । ଲକଡ଼ାଉନ ଓ ସଟଡ଼ାଉନରୁ ବର୍ତ୍ତିବାକୁ ହେଲେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାକୁ ହେବ। ଭାରତରେ ଲୋକଙ୍କ ହାର୍ଡ ଇମ୍ୟୁନିଟି ଭଲ ଅଛି। ତେଣୁ ବେଶୀ ଆତଙ୍କିତ ନ ହୋଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ଆଗକୁ ବଡ଼ ଦିନ ଓ ନୂଆ ବର୍ଷ । ଏହାସହ ଜାନୁଆରୀ ୧୩ରୁ ହକି ବିଶ୍ୱକପ । ଏଭଳି ସମୟରେ ରାଜ୍ୟ ସରକାରଙ୍କୁ ସ୍ୱାସ୍ଥ୍ୟ ବିଭାଗର ସୁପାରିସ ଉପରେ ନଜର ରହିଛି । କୋଭିଡ କଟକଣା ନେଇ ଯେଉଁ ଫାଇନ ବ୍ୟବସ୍ଥା ରହିଥିଲା ସେ ନେଇ ମଧ୍ୟ ନିଷ୍ପତ୍ତି ହୋଇପାରେ । ସ୍ୱାସ୍ଥ୍ୟ ବିଭାଗ ସହ RMRC, ILS, ବିଭିନ୍ନ ମେଡ଼ିକାଲ୍‌ କଲେଜ କର୍ତ୍ତୃପକ୍ଷ ବୈଠକରେ ସାମିଲ ହେବେ। ଚୀନରେ ବ୍ୟାପୁଛି ବୋଲି ଭାରତରେ ଏହା ବ୍ୟାପିବ ବୋଲି ମାନେ ନାହିଁ। ସଚେତନ ରହିବା ସହ ଅଯଥା ଗହଳି ନକରିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ବୁଷ୍ଟର ଡୋଜ ନେବାକୁ ସମସ୍ତଙ୍କୁ ଅନୁରୋଧ କରିଛି ସ୍ୱାସ୍ଥ୍ୟ ବିଭାଗ।

ସମସ୍ତେ ସତର୍କ ରହିବା ସମୟ ଆସିଛି । ଗହଳିକୁ ଗଲେ ମାସ୍କ ପିନ୍ଧନ୍ତୁ । ନିଜ ପାଇଁ ନିଜେ ସତର୍କ ହୁଅନ୍ତୁ। ଟେଷ୍ଟିଂ, ଟ୍ରାକିଂ,ଟ୍ରିଟମେଣ୍ଟ ସରକାର କରୁଛନ୍ତି । ଭାରତ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଆଗକୁ କଟକଣା ଲାଗୁ ହେବ। ଏବେ ରାଜ୍ୟରେ ପ୍ରାୟ ୬ ହଜାର ପ୍ରତ୍ୟେକ ଦିନ ଟେଷ୍ଟିଂ ହେଉଛି। ପଜିଟିଭ ସଂଖ୍ୟା ଏକ ଅଙ୍କ ଭିତରେ ରହୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.