୩ ବର୍ଷର ପୁଅକୁ ବିଷ ଦେଇ ମାରିଲା ସାବତ ବାପା, ଥାନାରେ ଅଭିଯୋଗ କଲା ମା’
ସୈତାନ୍ ସ୍ୱାମୀ ଶିଶୁକୁ ରାସ୍ତାରୁ ହଟାଇବା ସକାଶେ କାଶ ଔଷଧ ଦେବା ବାହାନାରେ ବିଷ ଆଣି ଦେଇଥିଲେ। ସେହି ବିଷକୁ ଔଷଧ ଭାବି ମା' ତାକୁ ପିଆଇ ଦେଇଥିଲେ।

ନବରଙ୍ଗପୁର (କେନ୍ୟୁଜ): ୩ ବର୍ଷର ଶିଶୁ ପୁତ୍ରକୁ ବିଷ ଦେଇ ମାରିଲା ସାବତ ବାପା। ଏ ନେଇ ନବରଙ୍ଗପୁର ଜିଲ୍ଲାର କୁନ୍ଦେଇ ଥାନାରେ ଅଭିଯୋଗ କରିଛି ମା’।
ସୂଚନା ଅନୁଯାୟୀ, ଗତକାଲି ପୁଅର କାଶ ହେବାରୁ ଗାୟତ୍ରୀ ଗଣ୍ଡ ତାକୁ କାଶ ଔଷଧ ଦେବା ପାଇଁ ସ୍ୱାମୀ ବିଶ୍ୱନାଥ ଗଣ୍ଡଙ୍କୁ କହିଥିଲେ। କିନ୍ତୁ ସୈତାନ୍ ସ୍ୱାମୀ ଶିଶୁକୁ ରାସ୍ତାରୁ ହଟାଇବା ସକାଶେ କାଶ ଔଷଧ ଦେବା ବାହାନାରେ ବିଷ ଆଣି ଦେଇଥିଲେ। ସେହି ବିଷକୁ ଔଷଧ ଭାବି ମା’ ତାକୁ ପିଆଇ ଦେଇଥିଲେ। ପରେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାକୁ ସ୍ଥାନୀୟ ଆଶା କର୍ମୀଙ୍କ ସାହାଯ୍ଯରେ ହାତଭରଣ୍ଡି ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ପହଞ୍ଚିବା ବେଳକୁ ଶିଶୁଟିର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଶିଶୁର ମା’ଙ୍କ ଅଭିଯୋଗ ପରେ ସ୍ୱାମୀଙ୍କୁ ଗିରଫ କରାଯାଇଛି।
ପ୍ରକାଶ ଯୋଗ୍ୟ, ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଜଡ଼ାପାରା (କଲୋନୀ) ର ସ୍ୱର୍ଗତ ଭଜନାଥ ଗଣ୍ଡଙ୍କ ବଡ଼ ଝିଅ ଗାୟତ୍ରୀ ଗଣ୍ଡ କିଛି ବର୍ଷ ପୂର୍ବେ କସକଙ୍ଗା ପଂଚାୟତ ଅନ୍ତର୍ଗତ ଭଈଁଷାଡିହିର ପରମେଶ ଗଣ୍ଡଙ୍କୁ ଭଲ ପାଉଥିଲେ। ବିବାହ ପୂର୍ବରୁ ସେମାନଙ୍କ ଏକ ପୁତ୍ର ଜନ୍ମ ହୋଇଥିଲା। ଏ ନେଇ ଗାଁରେ ମିଟିଂ ହୋଇଥିଲା ଓ ଉଭୟେ ଅଲଗା ହୋଇ ଯାଇଥିଲେ l ସେହି ଦିନ ଠାରୁ ଗାୟତ୍ରୀ ନିଜ ପୁଅ ସହିତ ଘରେ ରହି ଆସୁଥିଲା l ପରେ ଗତ ୩ ମାସ ପୂର୍ବେ ଗଞ୍ଜପାରା ପଂଚାୟତ ଅନ୍ତର୍ଗତ ଆମାବେଡା ଗ୍ରାମର ବିଶ୍ୱନାଥ ଗଣ୍ଡଙ୍କୁ ଗାୟତ୍ରୀ ପ୍ରେମ ବିବାହ କରିଥିଲେ। ଏବେ ବିଶ୍ୱନାଥ ସ୍ତ୍ରୀର ପ୍ରଥମ ସନ୍ତାନକୁ ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି।
ତେବେ ଶିଶୁପୁତ୍ରର ଶବ ବ୍ଯବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।