ଅପହରଣକାରୀଙ୍କୁ ନେଇ ସୃଷ୍ଟି ହୋଇଛି କୋକୁଆ ଭୟ, ସ୍କୁଲ ଯିବାକୁ ଭୟ କରୁଛନ୍ତି ଛାତ୍ରଛାତ୍ରୀ

ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳ ଦିନକୁ ଦିନ ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ବେଳେ ଏବେ ଅପହରଣକାରୀଙ୍କୁ ନେଇ ସୃଷ୍ଟି ହୋଇଛି କୋକୁଆ ଭୟ । ପୋଲିସ ପାଇଁ ଏହା ଚ୍ୟାଲେଞ୍ଜ ହୋଇଥିବା ବେଳେ ଦୁଇଜଣ ସନ୍ଦିଗ୍ଧକୁ ପୋଲିସ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରାଯାଇଛି ।

ଯାଜପୁର (କେନ୍ୟୁଜ): ଅପହରଣକାରୀଙ୍କ ଟାର୍ଗେଟରେ ବର୍ତ୍ତମାନ ସ୍କୁଲ ଛାତ୍ରଛାତ୍ରୀ । ସ୍କୁଲ ଯିବାକୁ ଭୟ କରୁଛନ୍ତି ପିଲା । ସ୍କୁଲରୁ ଫେରିବା ବାଟରେ ଛାତ୍ରଛାତ୍ରୀଙ୍କୁ ଅପହରଣ କରିବା ପାଇଁ ଛକି ରହୁଛନ୍ତି କିଛି ଦୁବୃର୍ତ୍ତ । ବିଭିନ୍ନ ପ୍ରକାର ଖାଦ୍ୟ ଖୁଆଇବାର ଲୋଭ ଦେଖାଇ ପିଲାଙ୍କୁ ଅପହରଣ କରିବା ପାଇଁ ଚଳାଇଛନ୍ତି ଉଦ୍ୟମ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳ ଦିନକୁ ଦିନ ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ବେଳେ ଏବେ ଅପହରଣକାରୀଙ୍କୁ ନେଇ ସୃଷ୍ଟି ହୋଇଛି କୋକୁଆ ଭୟ । ପୋଲିସ ପାଇଁ ଏହା ଚ୍ୟାଲେଞ୍ଜ ହୋଇଥିବା ବେଳେ ଦୁଇଜଣ ସନ୍ଦିଗ୍ଧକୁ ପୋଲିସ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରାଯାଇଛି ।

ଧର୍ମଶାଳା ଥାନାର ଜାରକା ଓ ଆଖପାଖ ଅଞ୍ଚଳରେ କିଛି ଦିନ ହେବ ପିଲାଚୋର ଓ ଅପହରଣକାରୀଙ୍କୁ ନେଇ ଭୟ ସୃଷ୍ଟି ହୋଇଛି । ଗତ ୬ ତାରିଖ ଦିନ ଜାରକା ଷ୍ଟାଡିୟମ ରାସ୍ତାରେ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟର ଛାତ୍ର ଓଁ ସାଇ ପ୍ରସାଦକୁ ଅପହରଣ କରିବାରେ ବିଫଳ ହୋଇଥିଲେ ଅପହରଣକାରୀ । ୧୦ତାରିଖ ଦିନ ଜାମୁବଣୀଆ ଅଞ୍ଚଳର ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ସୂର୍ଯ୍ୟଅଂଶୁ ବାରିକ ସ୍କୁଲରୁ ଫେରୁଥିବା ସମୟରେ ବାଇକରେ ଆସିଥିବା ଦୁଇଜଣ ଦୁବୃର୍ତ୍ତ କୁରକୁରେ ଲୋଭ ଦେଖାଇ ଡାକିଥିଲେ । କିନ୍ତୁ ସେଠାରୁ ସେ କୌଣସି ପ୍ରକାରେ ଖସି ଆସିଥିଲା। ସେହିପରି ନିକଟରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ । ଛାତ୍ରୀ ଜଣଙ୍କ ସ୍କୁଲ ଯିବା ସମୟରେ ୩ ଜଣ ଅଜ୍ଞାତ ଯୁବକ ମୁଣ୍ଡକୁ ଆଘାତ କରିବାରୁ ସେ ଚେତାଶୂନ୍ୟ ହୋଇପଡିଥିଲେ। ତେବେ ଅପହରଣ କାରୀମାନେ ଛାତ୍ରୀଙ୍କୁ ନେବାରେ ବିଫଳ ହୋଇଥିଲେ । ଛାତ୍ରୀ ଜଣଙ୍କ ଏବେ କଟକ ଡାକ୍ତରଖାନାରେ ଚିକିତ୍ସିତ ହେଉଛିନ୍ତି ।

ଗତ ୫ଦିନ ମଧ୍ୟରେ ଦୁଇ ଜଣ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ ପଣ୍ଡ ହେବା ଘଟଣାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଗ୍ରାମବାସୀଙ୍କ ଦ୍ବାରା କାବୁ ହୋଇଥିବା ଦୁଇଜଣ ସନ୍ଦିଗ୍ଧଙ୍କୁ ପୋଲିସ ଥାନାରେ ଅଟକ ରଖାଯାଇଛି । ଦୁଇଜଣ ସନ୍ଦିଗ୍ଧ ଯୁବକ ଥାନା ଅଧିନ କାନପୁର ଛକରେ କିଛି ଛାତ୍ରୀଙ୍କୁ ଅଟକାଇ ହଇରାଣ ହରକତ କରୁଥିବା ସମୟରେ ସ୍ଥାନୀୟ ଲୋକଙ୍କ ଦ୍ୱାରା କାବୁ ହୋଇଥିଲେ। ପରେ ପୋଲିସ ଉଦ୍ଧାର କରି ଦୁହିଁଙ୍କୁ ଥାନାରେ ଅଟକ ରଖିଛି । ଦୁହେଁ ସ୍ଥାନୀୟ ଅଞ୍ଚଳର ନାବାଳକ ହୋଇଥିବା ବେଳେ ପୂର୍ବ ଘଟଣାରେ ଏମାନଙ୍କର ସମ୍ପୃକ୍ତି ଅଛି କି ନାହିଁ ସେନେଇ ପୋଲିସ ତଦନ୍ତ ଜାରି ରଖିଥିବା କହିଛନ୍ତି ଯାଜପୁରରୋଡ଼ ଏସଡିପିଓ ।

ଧର୍ମଶାଳା ଅଞ୍ଚଳରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବଢ଼ୁଥିବା ବେଳେ ପୋଲିସ ପ୍ରକୃତ ଅପରାଧୀଙ୍କୁ ଗିରଫ କରିବା ସହ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ଦାବି ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.