ସନ୍ଦେହ ଜନକ ଅବସ୍ଥାରେ ମିଳିଲା ମା’ ପୁଅଙ୍କ ମୃତଦେହ, ରହସ୍ୟ ଖୋଜୁଛି ପୋଲିସ୍‌

କେମିତି ମା’ ଓ ଶିଶୁ ପୁତ୍ରର ମୃତ୍ୟୁ ହେଲା ସେ ବିଷୟରେ କାହାକୁ କିଛିି ବି ଜଣାନାହିଁ । ରାତିରେ ଶୋଇଥିଲେ ମା’ ପୁଅ କିନ୍ତୁ ସକାଳୁ ମିଳିଲା ଦୁଇ ଜଣଙ୍କ ମୃତଦେହ । ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଚୁଡ଼ିଆଲାଞ୍ଜି ଗାଁରେ ଦେଖିବାକୁ ମିଳିଛି ।

ଗଞ୍ଜାମ (କେନ୍ୟୁଜ୍‌) :ଘର ଭିତରୁ ଦୁଇଟି ମୃତଦେହ ଉଦ୍ଧାର କରିଛି ପୋଲିସ୍‌ । ମା’ ସହ ପର ପାରିକୁ ଚାଲିଯାଇଛି ଛଅ ବର୍ଷର ଶିଶୁ । କେମିତି ମା’ ଓ ଶିଶୁ ପୁତ୍ରର ମୃତ୍ୟୁ ହେଲା ସେ ବିଷୟରେ କାହାକୁ କିଛିି ବି ଜଣାନାହିଁ । ରାତିରେ ଶୋଇଥିଲେ ମା’ ପୁଅ କିନ୍ତୁ ସକାଳୁ ମିଳିଲା ଦୁଇ ଜଣଙ୍କ ମୃତଦେହ । ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଚୁଡ଼ିଆଲାଞ୍ଜି ଗାଁରେ ଦେଖିବାକୁ ମିଳିଛି । ମାଁ ପୁଅର ମୃତଦେହକୁ ଘର ଭିତରୁ ଉଦ୍ଧାର କରିଛି ପୋଲିସ l ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ତେବେ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ମିଳିବା ଯୋଗୁଁ ମୃତଦେହ ବ୍ୟବଛେଦ ପାଇଁ ପଠାଯାଇଛି । ବର୍ତ୍ତମାନ ତଦନ୍ତ ପ୍ରକ୍ରିୟା ଜୋରଦାର ଚାଲିଛି । ତେବେ ସ୍ୱାମୀ ନଥିବା ବେଳେ ସ୍ତ୍ରୀ ଓ ଛଅ ବର୍ଷ ଶିଶୁର କିପରି ମୃତ୍ୟୁ ଘଟିଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଚୁଡ଼ିଆଲାଞ୍ଜି ଗାଁର ଡି ଫକୀରଙ୍କ ବଡ଼ ପୁଅ ମୋହନ । ମୋହନ କାମ ଧନ୍ଦା ପାଇଁ ଦୁବାଇରେ ରହୁଥିବା ବେଳେ ସ୍ତ୍ରୀ ଓ ପୁଅ ଘରେ ରହୁଥିଲେ । ମୋହନଙ୍କ ୨୫ ବର୍ଷିୟା ସ୍ତ୍ରୀ ଦାଲି ନିଲାବେଣି ତାଙ୍କ ପୁଅ ଦାଲି ରିତିକ୍ ଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ମୋହନଙ୍କ ବାପା ଫକୀର ପଡିଶାରେ ରୁହନ୍ତି । ତେବେ ଆଜି ସକାଳୁ ମୋହନଙ୍କ ମା’ କବାଟ ବାଡେଇଥିଲେ କିନ୍ତୁ ମୋହନଙ୍କ ସ୍ତ୍ରୀ କବାଟ ଖୋଲିନଥିଲେ । ମୋହନଙ୍କ ବାପା ମା’ ଭୟ ପାଇ ଗାଁ ଲୋକଙ୍କୁ ଜଣାଇଥିଲେ । ଏହାପରେ ପୋଲିସକୁ ଖବର ଦିଆଯାଇଥିଲା ଏବଂ ଘଟଣାସ୍ଥଳରେ ଜରଡ଼ା ଥାନା ଅଧିକାରୀ ଟୁନା ସାମଲ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।
ପୋଲିସ ତଦନ୍ତ କରିବା ସହ ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ଆସି ତଦନ୍ତ କରିଛି । ଅପରାହ୍ନରେ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର FMTକୁ ପଠାଯାଇଥିଲା । ଏଭଳି ଘଟଣା ଦେଖିବା ପରେ ଆତ୍ମୀୟ ସ୍ୱଜନଙ୍କ କାନ୍ଦ ବୋବାଳିରେ ଫାଟିପଡିଥିଲା ସମଗ୍ର ଗାଁ । ଗାଁ ଲୋକଙ୍କ କହିବା ଅନୁସାରେ ଏଭଳି ଘଟଣା ପୂର୍ବରୁ କେବେ ଘଟିନଥିଲା । ତେଣୁ ଉପଯୁକ୍ତ ତଦନ୍ତ କରିବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

ଏହି ଘଟଣାକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ଏବଂ ପାରିପାର୍ଶ୍ଵିକ ତଦନ୍ତ ଜାରି ରହିଛି । ମୃତ ମହିଳାଙ୍କ ବେକରେ କ୍ଷତ ଚିହ୍ନ ରହିଥିବାରୁ ମହିଳାଙ୍କ ଜୀବନ ନିଆଯାଇଥିବା ଅନୁମାନ କରାଯାଉଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ କାରଣ ଜଣାପଡିବ । ତେବେ ଏ ପରିବାରକୁ ଉଚିତ୍‌ ନ୍ୟାୟ ମିଳୁ ତାହା ହିଁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.