ଡିଅର ପାର୍କରେ ବଢିଲା ହରିଣ ସଂଖ୍ୟା, ଡମପଡା- ଚନ୍ଦକା ଅଭୟାରଣ୍ୟକୁ ହେବେ ସ୍ଥାନାନ୍ତର

ମହାନଦୀ କୂଳର ଏହି ସ୍ଥାନରେ ୧୯୮୧ ମସିହାରେ ସ୍ଥାପିତ ହୋଇଥିଲା ଏହି ଡିୟର ପାର୍କ । ମାତ୍ର ଛଅଟି ହରିଣଙ୍କୁ ନେଇ ଆରମ୍ଭ ହୋଇଥିଲା ଏହି ପାର୍କ । ସମୁଦାୟ ଅଢେଇ ଏକର ଜମି ପରିମିତ ଏହି ପାର୍କର ଶୋଭା ବର୍ଦ୍ଧନ କରୁଛନ୍ତି ଏବେ ଶହ ଶହ ହରିଣ । ତେବେ ଏବେ ଆରମ୍ଭ ହୋଇଯାଇଛି ଏମାନଙ୍କର ସ୍ଥାନାନ୍ତର ପ୍ରକ୍ରିୟା । କାରଣ ଏଠାରେ ଥିବା ଯାଗା ହରିଣ ମାନଙ୍କ ପାଇଁ ପର୍ଯ୍ୟାପ୍ତ ନୁହେଁ ।

କୌତୁକିଆ ହରିଣ ଛୁଆ ଗୋଡ ଟେକିକି ହୋଇଛି ଠିଆ । ଏ ହେଉଛି କଟକ ତୁଳସୀପୁର ମଧୂସୁଦନ ନଗର ଠାରେ ଥିବା ଡିଅର ପାର୍କର ଦୃଶ୍ୟ । ମହାନଦୀ କୂଳର ଏହି ସ୍ଥାନରେ ୧୯୮୧ ମସିହାରେ ସ୍ଥାପିତ ହୋଇଥିଲା ଏହି ଡିୟର ପାର୍କ । ମାତ୍ର ଛଅଟି ହରିଣଙ୍କୁ ନେଇ ଆରମ୍ଭ ହୋଇଥିଲା ଏହି ପାର୍କ । ସମୁଦାୟ ଅଢେଇ ଏକର ଜମି ପରିମିତ ଏହି ପାର୍କର ଶୋଭା ବର୍ଦ୍ଧନ କରୁଛନ୍ତି ଏବେ ଶହ ଶହ ହରିଣ । ପୁରୁଷ, ମହିଳା ଓ ଛୋଟ ହରିଣ ଶାବକ ରହିଛନ୍ତି ଏହି ପାର୍କରେ । ତେବେ ଏବେ ଆରମ୍ଭ ହୋଇଯାଇଛି ଏମାନଙ୍କର ସ୍ଥାନାନ୍ତର ପ୍ରକ୍ରିୟା । କାରଣ ଏଠାରେ ଥିବା ଯାଗା ହରିଣ ମାନଙ୍କ ପାଇଁ ପର୍ଯ୍ୟାପ୍ତ ନୁହେଁ ।

ସେଣ୍ଟ୍ରାଲ୍ ଜୁ ଅଥରିଟି ଅଫ୍ ଇଣ୍ଡିଆଙ୍କ ଗାଇଡଲାଇନ ଅନୁଯାୟୀ ଗୋଟିଏ ଏକର ଜମିରେ ୫ ଟିରୁ ୬ ଟି ହରିଣଙ୍କୁ ରଖାଯିବାର ନିୟମ ରହିଥିବା ବେଳେ, ଏଠାରେ ହରିଣ ରହିଛନ୍ତି ଅନେକ ଗୁଣ ଅଧିକ ସଂଖ୍ୟାରେ । ତା ସାଙ୍ଗକୁ ହରିଣମାନଙ୍କ ପାଇଁ ଯଥେଷ୍ଟ ପରିମାଣରେ ଗଛଲତାର ଗ୍ରୀନ୍ କଭର ମଧ୍ୟ ନାହିଁ । ସେଥିପାଇଁ ଡମପଡା-ଚନ୍ଦକା ଅଭୟାରଣ୍ୟର ଆମ୍ବିଲୋଠାରେ ହରିଣଙ୍କ ପାଇଁ ଦୁଇଟି ସ୍ୱତନ୍ତ୍ର କରିଡର ପ୍ରସ୍ତୁତ କରାଯାଇଛି । ଏହି ହରିଣ ପାର୍କଟି କେବଳ କଟକ ସହରର ଶୋଭା ମଣ୍ଡନ କରୁ ନ ଥିଲା, ବେଶ ଆନନ୍ଦ ଆଣିଦେଉଥିଲା ଛୋଟ ଛୋଟ ପିଲାଙ୍କ ମନରେ । ସହରାଞ୍ଚଳରେ ବସବାସ କରି ମଧ୍ୟ ଏତେ ସଂଖ୍ୟାରେ ଜଙ୍ଗଲ ଜନ୍ତୁ ଦେଖିବାର ସୁଯୋଗ ପାଇ ପାରୁ ଥିଲେ ପିଲାଠାରୁ ବଡ଼ ପର୍ଯ୍ୟନ୍ତ ।

ତେବେ ବନ୍ୟଜନ୍ତୁଙ୍କ ପାଇଁ ଉଦିଷ୍ଟ ନିୟମାବଳୀ ଅନୁଯାୟୀ ଏଠାରେ ହରିଣମାନଙ୍କ ପାଇଁ ପରିବେଶ ଅନୁକୂଳ ନ ଥିଲା । ଏକ ଲମ୍ବା ତାର ବାଡ଼ ତିଆରି କରାଯାଇ ହରିଣ ମାନଙ୍କର ସ୍ଥାନାନ୍ତର ପ୍ରକ୍ରିୟା ଆଗେଇ ଚାଲିଛି । ତାର ବାଡ଼ଟି ସଂଯୋଗ ହୋଇଛି ରେଶକ୍ୟୁ ଭ୍ୟାନ ସହିତ । ଏଠାରୁ ୪୦ ପାଖାପାଖି ହରିଣ ଗଲେଣି ଚନ୍ଦକା ଜଙ୍ଗଲ ଭିତରକୁ । ନନ୍ଦନକାନନରୁ ଆସିଥିବା ଏକ ବିଶେଷଜ୍ଞ ଟିମ, କଟକ ସିଟି ବନଖଣ୍ଡ ଓ ଚନ୍ଦକା-ଡମପଡା ବନଖଣ୍ଡ ଅଧିକାରିମାନେ ଲାଗିଛନ୍ତି ସ୍ଥାନାନ୍ତର କାମରେ । ସ୍ଥାନାନ୍ତର କରିବା ସମୟରେ ପାର୍କର କେୟାର ଟେକରମାନଙ୍କର ଆଖି ଜକେଇ ଯାଉଥିଲା ଦୁଃଖରେ । ଦଶନ୍ଧି ଦଶନ୍ଧି ଧରି ଏକ ନିବିଡ଼ ସମ୍ପର୍କ ଗଢି ଉଠି ଥିଲା ହରିଣମାନଙ୍କ ସହ, ନିଜ ପରିବାର ପରି ।

କାହାର ବି ମନ ଭଲ ନାହିଁ । ନା କେୟାର ଟେକରମାନଙ୍କର ନା ସହରବାସୀଙ୍କର । କାରଣ ଚାଲିଯିବେ ହରିଣ । ସହରବାସୀ ମଧ୍ୟ ବେଶ ଦୁଃଖୀ ଏହି ପ୍ରକ୍ରିୟାକୁ ନେଇ । ପ୍ରାକୃତିକ ଜଙ୍ଗଲି ପରିବେଶ ଭିତରେ ବଢ଼ିବେ ହରିଣ ଏ କଥାକୁ ସହରବାସୀ ମନ ଦୁଖ ଥିଲେ ସୁଦ୍ଧା ସ୍ୱାଗତ ମଧ୍ୟ କରିଛନ୍ତି । ୧୯୮୧ ମସିହାରେ ଥିଲେ ପାଞ୍ଚ ଛଟି ହରିଣ । ଧୀରେ ଧୀରେ ସଂଖ୍ୟା ବଢିଥିଲା । ୧୯୯୯ ମହାବାତ୍ୟା ମଧ୍ୟ ନେଇ ଥିଲା କିଛି ହରିଣଙ୍କ ଜୀବନ । ଏବେ ଏହି ସଂଖ୍ୟା ତିନି ଶହ ଆଡ଼କୁ ମୁହାଇଁଲାଣି । ପ୍ରାକୃତିକ ପରିବେଶ ଭିତରେ ଏହି ସଂଖ୍ୟା ଆହୁରି ଆଗକୁ ଯିବ ବୋଲି ଆଶା । ସ୍ଥାନାନ୍ତର ପରେ ବୁଲା ବୁଲି ଓ ଖେଳ କୁଦ ପାଇଁ ପ୍ରକୃଷ୍ଟ ଜାଗା ପାଇବେ ହରିଣମାନେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.