ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳି ପାଲଟିଛି ପ୍ରାଥମିକ ବିଦ୍ୟାଳୟ, ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ

ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗେଇଦେବା ପାଇଁ ସରକାର ପ୍ରାଥମିକ ବିଦ୍ୟାଳୟଗୁଡିକୁ ରୂପାନ୍ତରିକରଣରେ ସାମିଲ କରି ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ କରୁଛନ୍ତି । ହେଲେ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଚଲାନପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି । ସ୍କୁଲର ପାଚେରୀ ଓ ମୂଖ୍ୟ ଫାଟକରେ ଗେଟ ନଥିବାରୁ ସ୍କୁଲଟି ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳି ସାଜିଛି ।

ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗେଇଦେବା ପାଇଁ ସରକାର ପ୍ରାଥମିକ ବିଦ୍ୟାଳୟଗୁଡିକୁ ରୂପାନ୍ତରିକରଣରେ ସାମିଲ କରି ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ କରୁଛନ୍ତି । ହେଲେ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଚଲାନପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି । ସ୍କୁଲର ପାଚେରୀ ଓ ମୂଖ୍ୟ ଫାଟକରେ ଗେଟ ନଥିବାରୁ ସ୍କୁଲଟି ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳି ସାଜିଛି । ମଦୁଆମାନେ ସ୍କୁଲରେ ମଦପିଇ ମଦବୋତଲ କାଚଭାଙ୍ଗି ଓ ଇଟାପଥର ଶ୍ରେଣୀ ଗୃହ ଭିତରେ ବାରମ୍ୱାର ଫୋପାଡୁଛନ୍ତି । ଯାହାଫଳରେ ଛାତ୍ରଛାତ୍ରୀମାନେ ଖରା ଓ ବର୍ଷାରେ ସ୍କୁଲ ବାରଣ୍ଡାରେ ପାଠ ପଢିବାକୁ ବାଧ୍ୟ ହୋଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏଭଳି ବିପଦ ଶଙ୍କୁଳ ଅବସ୍ଥାରେ ଛାତ୍ରଛାତ୍ରୀମାନେ ସ୍କୁଲ ବାରଣ୍ଡାରେ ପାଠପଢୁଥିବା ବେଳେ ଏହି ସ୍କୁଲର ସମସ୍ୟା ପ୍ରତି ପ୍ରଶାସନର ତିଳେ ହେଲେ ନଜର ନାହିଁ । ନୂଆପଡା ଜିଲ୍ଲା ଦେଇଯାଇଥିବା ୩୫୩ ଜାତୀୟରାଜପଥକୁ ଲାଗି ରହିଛି ଖଡିଆଳ ବ୍ଲକ ଚଲାନପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଚଲାନପଡା ଗାଁ ଏକ ପଛୁଆବର୍ଗ ଓ ଅଦିବାସୀ ବହୁଳ ଗାଁ ହୋଇଥିବା ବେଳେ ଏଠାରେ ଶିକ୍ଷାହାର ଅତିକମ ରହିଛି । ଏଠାରେ ଗତ ୧୯୬୩ ମସିହାରେ ଚଲାନପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ୧ ରୁ ୫ ଶ୍ରେଣୀକୁ ନେଇ ସ୍କୁଲ ଆରମ୍ଭ ହୋଇଥିଲା ।

ବର୍ତ୍ତମାନ ଶିକ୍ଷାବିଭାଗ ତରଫରୁ ଏହି ସ୍କୁଲକୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ପ୍ରଦାନ କରିବା ସହିତ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏଁ ପାଠ ପଢା ଅରମ୍ଭ ହୋଇଛି । ଏଠାରେ ୩ଟି ଶ୍ରେଣୀରେ ୭୦ଜଣ ଛାତ୍ରଛାତ୍ରୀ ପାଠପଢୁଥିବା ବେଳେ ଶିକ୍ଷା ବିଭାଗ ତରଫରୁ କେବଳ ୩ଜଣ ମହିଳା ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି । ସ୍କୁଲ ଶ୍ରେଣୀ ଗୃହ ଛାତର ଲୁହା ଛଡ ଦେଖାଯାଉଥିବା ବେଳେ ସାମାନ୍ୟ ବର୍ଷା ହେଲେ ଛାତରୁ ପାଣି ଗଳିବା ସହ ଅନେକ ସମୟରେ ଛାତ୍ରଛାତ୍ରୀ ଉପରେ ଛାତରୁ ସିମେଣ୍ଟ ଗୁଣ୍ଡ ମଧ୍ୟ ପଡୁଛି ।

ଏଭଳି ପରିସ୍ଥିରେ ବିପଦ ଶଙ୍କୁଳ ଅବସ୍ଥାରେ ସ୍କୁଲ ବାରଣ୍ଡାରେ ପାଠପଢୁଥିବା ଛାତ୍ରଛାତ୍ରୀ ତଥା ଅଭିଭାବକମାନେ ଅଭିଯୋଗ କରିଛନ୍ତି । ସେହିଭଳି ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ଭଲ ପରିଶ୍ରାଗାର ନଥିବା ବେଳେ ସାଇକେଲ ଷ୍ଟାଣ୍ଡ ମଧ୍ୟ ନାହିଁ । ଏପରିକି ସ୍କୁଲର ଛାତ୍ରଛାତ୍ରୀମାନେ ନଲକୂଅର ଲୈାହଯୁକ୍ତ ପାଣି ପିଇବାକୁ ବାଧ୍ୟ ହେଉଥିବା ବେଳେ ଡାଇନିଙ୍ଗ ହଲ ଅଭାବରୁ ଛାତ୍ରଛାତ୍ରୀମାନେ ଖୋଲା ଆକାଶ ତଳେ ବସି ମଧ୍ୟାହ୍ନ ଭୋଜନ କରିବାକୁ ବାଧ୍ୟ ହେଉଛନ୍ତି । କହିବାକୁ ଗଲେ ବର୍ତ୍ତମାନ ଏଠାରେ ଶୈକ୍ଷିକ ବ୍ୟବସ୍ଥା ଏକ ପ୍ରକାରର ବିପର୍ଯ୍ୟସ୍ତ ହୋଇପଡିଛି । ଯାହାଫଳରେ ଛାତ୍ରଛାତ୍ରୀମାନେ ପାଠପଢା ସମେତ ବିଭିନ୍ନ ମୈାଳିକ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି ।

ଏନେଇ ଚଲାନପଡା ସ୍କୁଲ ପରିଚାଳନା କମିଟିର ସଦସ୍ୟ ଓ ଅବିଭାବକ ଜିଲ୍ଲା ପ୍ରଶାସନଠାରୁ ନେଇ ରାଜ୍ୟ ଶିକ୍ଷା ବିଭାଗକୁ ବାରମ୍ୱାର ଲିଖିତ ଅଭିଯୋଗ ଜଣେଇ ଆସୁଛନ୍ତି । ହେଲେ ଚଲାନପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ୟା ପ୍ରତି ପ୍ରଶାସନ ଏଯାଏଁ ଦୃଷ୍ଟି ଦେଉନଥିବାରୁ ଛାତ୍ରଛାତ୍ରୀ ତଥା ଅବିଭାବକ ମହଳରେ ତୀବ୍ର ଅସନ୍ତୋଷ ଦେଖାଦେଛି । ଆଗକୁ ସମସ୍ୟାର ସମାଧାନ ନକଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ ତଥା ଅବିଭାବକ । ଅପରପକ୍ଷେ, ଚଲାନପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲାଗିରହିଥିବା ବିଭିନ୍ନ ସମସ୍ୟା ସମ୍ୱନ୍ଧରେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ସମସ୍ୟାର ସମାଧାନ କରାଯିବ ବୋଲି ଖଡିଆଳ ବ୍ଲକ ଶିକ୍ଷାଧିକାରୀ ପ୍ରତିଶୃତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.