ଫେଲର ପ୍ରଶ୍ନ ଉଠୁନି! ଦଶମ ପରୀକ୍ଷାରେ ଉତ୍ତର ବତେଇ ଦେଉଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ: ଭିଡିଓ ଭାଇରଲ

ଯଦି ଏ ଭାଇରଲ ଭିଡିଓରେ ସତ୍ୟତା ରହିଛି ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଲା ପରୀକ୍ଷା ସେଣ୍ଟରକୁ ମୋବାଇଲ ଗଲା କେମିତି? କିଏ ଏ ଦୃଶ୍ୟକୁ ଉତ୍ତୋଳନ କରିଛି? କାଗଜ ଟିଏ ଧରି ଉତ୍ତର ଡାକୁଥିବା ଶିକ୍ଷୟତ୍ରୀ ଜଣକ ହେଉଛନ୍ତି ସସ୍ମିତା ଦାଶ।

ନବରଙ୍ଗପୁର(କେନ୍ୟୁଜ୍): ଫେଲର ପ୍ରଶ୍ନ ଉଠୁନି ଆମେ ଯାହା ଦେଉଛୁ ସେ ଉତ୍ତର ଲେଖ କହି ପରକ୍ଷାର୍ଥୀ ଉତ୍ତର ଡାକୁଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ। ଏଭଳି ଶୃଙ୍ଖଳିତ ଢଙ୍ଗରେ ଦଶମ ଶ୍ରେଣୀ ପରୀକ୍ଷା ଚାଲିଥିବାର ଦୃଶ୍ୟ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ଏ ଭାଇରଲ ଭିଡିଓ ହେଉଛି ବଡ଼ ମସି ଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର। ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଲାଗୁଛି ଇଏ ଚଳିତ ବର୍ଷ ପରୀକ୍ଷାର ଦୃଶ୍ୟ। ଜିଲ୍ଲା ଶିକ୍ଷା ବିଭାଗର ଅପାରଗତାର ଇଏ ହେଉଛି ତୃତୀୟ ଘଟଣା।

ବିବାଦ ଏବେ ଜିଲ୍ଲା ଶିକ୍ଷା ବିଭାଗର ପିଛା ଛାଡୁନାହିଁ।  ପ୍ରଥମେ ପରୀକ୍ଷାରେ ୯୭୩ ଜଣ ପରୀକ୍ଷାର୍ଥୀ ପରୀକ୍ଷାରେ ଅନୁପସ୍ଥିତ ରହି ସାରା ରାଜ୍ୟରେ ରେକର୍ଡ ସୃଷ୍ଟି କରିଥିଲା ଜିଲ୍ଲା ଶିକ୍ଷା ବିଭାଗ। ଦ୍ଵିତୀୟରେ ବିକ୍ରମପୁର ହାଇ ସ୍କୁଲରେ ହିନ୍ଦୀ ପ୍ରଶ୍ନପତ୍ର ଏବଂ ସଂସ୍କୃତର ଉତ୍ତର ଲିକ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା।  ତାର ତଦନ୍ତ ଆଜି ପର୍ଯ୍ୟନ୍ତ ସରି ନଥିବା ବେଳେ ଏବେ ପୁଣି ଆଉ ଏକ ବିବାଦ ଜିଲ୍ଲା ଶିକ୍ଷା ବିଭାଗକୁ ଲଜ୍ଜିତ କରିଛି।

ଯଦି ଏ ଭାଇରଲ ଭିଡିଓରେ ସତ୍ୟତା ରହିଛି ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଲା ପରୀକ୍ଷା ସେଣ୍ଟରକୁ ମୋବାଇଲ ଗଲା କେମିତି? କିଏ ଏ ଦୃଶ୍ୟକୁ ଉତ୍ତୋଳନ କରିଛି? କାଗଜ ଟିଏ ଧରି ଉତ୍ତର ଡାକୁଥିବା ଶିକ୍ଷୟତ୍ରୀ ଜଣକ ହେଉଛନ୍ତି ସସ୍ମିତା ଦାଶ। ଏ ଅଭିଯୋଗ ନେଇ ଆମେ ତାଙ୍କ ପାଖକୁ ଚେଷ୍ଟା କରିବା ଭିତରେ ସେ କେଉଁ ଆଡେ ଖସି ଚାଲି ଯାଇଥିଲେ। ଏ ସମସ୍ତ ଅଭିଯୋଗ ବିଷୟରେ ଆମେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହିତ ଯୋଗାଯୋଗ କରିବାରୁ ଭିଡିଓର ସତ୍ୟତାକୁ ସ୍ୱୀକାର କରିଛନ୍ତି କିନ୍ତୁ କେଉଁ ଦିନ ର ପରୀକ୍ଷା ତାହା ତଦନ୍ତ ପରେ ଜଣା ପଡିବ ବୋଲି ମତ ରଖିଛନ୍ତି। ଏ ଖବର ପ୍ରଚାରିତ ହେବା ପରେ ଜିଲ୍ଲା ଶିକ୍ଷା ବିଭାଗର ଅପାରଗତାକୁ ସାଧାରଣରେ ଦାୟୀ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.