ପରିବେଶ ସୁରକ୍ଷାର ନିଆରା ନିଶା: ଜଙ୍ଗଲ ରକ୍ଷା ପାଇଁ ପ୍ରତିଦିନ ବାଉଁଶ ଭେଳାରେ ଡ୍ୟାମ୍ ପାରି ହୁଅନ୍ତି ଏହି ଗାଁର ଲୋକେ

ଅନୁଗୁଳ: ଗୋଟେ ପଟେ ଗାଁ ଅନ୍ୟପଟେ ଜଙ୍ଗଲ, ମଝିରେ ଡେରେଜାଙ୍ଗ ଡ୍ୟାମ। କିନ୍ତୁ ଗାଁ ଲୋକଙ୍କୁ ଏମିତି ଜଙ୍ଗଲ ଚିନ୍ତା ଘାରିଛି ଯେ ପ୍ରତିଦିନ ଡେଉଁଛନ୍ତି ଡ୍ୟାମ ଓ ଜଗୁଛନ୍ତି ଜଙ୍ଗଲ।ଏହି ଘଟଣା ଦିନେ କି ଦୁଇ ଦିନର ନୁହେଁ ପ୍ରାୟ ଦୁଇ ଦଶନ୍ଧି ଧରି ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ କୁଲେଇ ଗ୍ରାମବାସୀ ଏପରି କରୁଛନ୍ତି। ପ୍ରଦୂଷଣ ରୋକିବା ଓ ପରିବେଶ ସନ୍ତୁଳନ ରକ୍ଷା କରିବା ଦିଗରେ ବୃକ୍ଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରତିଦିନ ଶିଳ୍ପ କାରଖାନା, କୋଠା, ରାସ୍ତା ନିର୍ମାଣ ଯୋଗୁଁ ଶହ ଶହ ଗଛ ବଳି ପଡୁଥିବା ବେଳେ ଜଙ୍ଗଲ ସୁରକ୍ଷା ପାଇଁ କୁଲେଇ ଗ୍ରାମବାସୀଙ୍କ ଏକତା ଏବେ ଉଦାହରଣ ସୃଷ୍ଟି କରିଛି। ପ୍ରାୟ ୨୦ ବର୍ଷ ହେଲା ଜଙ୍ଗଲ ସୁରକ୍ଷା ପାଇଁ ଗ୍ରାମବାସୀ ଡଙ୍ଗାରେ ଡ୍ୟାମ ପାରି ହୋଇ ଘଞ୍ଚ ଜଙ୍ଗଲ ସୃଷ୍ଟି କରିପାରିଛନ୍ତି।

anugul

ବଅଁରପାଳ ବ୍ଲକ ତୁବେ ପଞ୍ଚାୟତରେ ରହିଛି କୁଲେଇ ଗ୍ରାମ। ଗାଁରେ ପ୍ରାୟ ୭୫ଟି ପରିବାର ରହୁଛନ୍ତି ଓ ସମସ୍ତେ ଚାଷ ଉପରେ ନିର୍ଭରଶୀଳ। ତେବେ ସେମାନେ ଜଙ୍ଗଲ, ଗଛ, ପତ୍ରର ମୂଲ୍ୟ ଭଲ ଭାବରେ ବୁଝିଛନ୍ତି। ଜଙ୍ଗଲ ଜଗିବା ପାଇଁ ଗାଁରେ ଏକତା ସୃଷ୍ଟି ହୋଇଛି। ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ପ୍ରାୟ ୨୦ବର୍ଷ ହେଲା ପ୍ରତିଦିନ ଗ୍ରାମର ଦୁଇଜଣ ଲେଖାଏଁ ବ୍ୟକ୍ତି ଡେରେଜାଙ୍ଗ ଡ୍ୟାମର ଗୋଟିଏ ପାର୍ଶ୍ଵ ପାରି ହୋଇ ଜଙ୍ଗଲ ମଧ୍ୟକୁ ଯାଇଥାନ୍ତି। ଜଙ୍ଗଲ ଜଗିବା କାରଣରୁ ମୋଟ ୫୯ ଏକର ଜଙ୍ଗଲ ଏବେ ସବୁଜିମାରେ ପରିଣତ ହୋଇଛି। ଏହି ଘଞ୍ଚ ଜଙ୍ଗଲ ପୂର୍ବରୁ ଟାଙ୍ଗରା ହୋଇ ରହିଥିବା ବେଳେ ୨୦ବର୍ଷ ମଧ୍ୟରେ ଏହା ମୂଲ୍ୟବାନ ବୃକ୍ଷଲତାରେ ଭର୍ତ୍ତି ହୋଇ ରହିଛି। ଏହି ଜଙ୍ଗଲ ମଧ୍ୟରେ ଏବେ ଶାଳ, ଅସନ, ବାହାଡ଼ା, ଅଁଳା, ଶିଶୁ, ଗମ୍ଭାରୀ, ଭେରୁ ଭଳି ଅନେକ ମୂଲ୍ୟବାନ ଗଛ ରହିଛି। ଜଙ୍ଗଲ ସୁରକ୍ଷା କାରଣରୁ ଏଠାରେ କୁଟୁରା, ବାରହା, ଠେକୁଆ, ହରିଣ ଓ ଅନେକ ସରୀସୃପ ଜାତୀୟ ପ୍ରାଣୀ ନିର୍ଭୟରେ ବିଚରଣ କରୁଛନ୍ତି।

anugul2

ଅନୁଗୁଳ ବନାଞ୍ଚଳ କୁଲେଇ ଗ୍ରାମର ଥିବା ୫୯ ଏକର ଜମିରେ ଜଙ୍ଗଲର ରକ୍ଷଣାବେକ୍ଷଣ କରିବା ପାଇଁ ଗାଁରେ ମା ଗ୍ରାମେଶ୍ୱରୀ ବନ ସୁରକ୍ଷା ସମିତି ଗଠନ କରାଯାଇଛି। ଗ୍ରୀଷ୍ମ ଦିନ ଆସିଲେ ସାଧାରଣତଃ ଜଙ୍ଗଲରେ ନିଆଁ ଲାଗିଥାଏ। କିନ୍ତୁ କୁଲେଇ ଗ୍ରାମବାସୀ ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ତତ୍ପର ହୋଇଉଠନ୍ତି। ଅନ୍ୟପଟେ ଏହି ବନ ସୁରକ୍ଷା ସମିତିକୁ କୌଣସି ସରକାରୀ ଯୋଜନାରେ ବନ ବିଭାଗ ଏପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ କରିନାହିଁ। ଉକ୍ତ ବନ ସୁରକ୍ଷା ସମିତିକୁ ସରକାରୀ ଯୋଜନାରେ ସାମିଲ କରାଗଲେ ସେମାନେ ଅଧିକ ଉତ୍ସାହିତ ହୋଇପାରନ୍ତେ ବୋଲି ଗ୍ରାମବାସୀ ମତ ଦେଇଛନ୍ତି।

FOREST-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.