ଜାଣିଛନ୍ତି ! ନବ ଦାସଙ୍କ ହତ୍ୟା ପଛରେ ଏହି ୫ କାରଣ ଥାଇପାରେ

କେନ୍ୟୁଜ୍(ବ୍ୟୁରୋ): ଧରାପଡ଼ିଛି ହତ୍ୟାକାରୀ। ଦୋଷ ବି ସ୍ୱୀକାର କରିଛି । କିନ୍ତୁ ଜଣାପଡ଼ିନି ହତ୍ୟାର ପ୍ରକୃତ କାରଣ। କାହିଁକି ଏତେ ବଡ଼ କାଣ୍ଡ ଭିଆଇଲେ ଗୋପାଳ ଦାସ । ଖାକିରେ ଥାଇ ମନ୍ତ୍ରୀଙ୍କୁ ଗୁଳିମାଡ଼ ଘଟଣା ସାରା ରାଜ୍ୟକୁ ସ୍ତବ୍‌ଧ କରିଛି। ନବ ଦାସଙ୍କୁ ହତ୍ୟା କରିଥିବା ନେଇ କ୍ରାଇମବ୍ରାଞ୍ଚ ଆଗରେ ସ୍ୱୀକାର କରିଛି ଗୋପାଳ। କିନ୍ତୁ ଏହା ପଛର କାରଣ ଏବେବି ଅସ୍ପଷ୍ଟ ରହିଛି। ଗୋପାଳର ବୟାନକୁ ମଧ୍ୟ ତର୍ଜମା କରୁଛି ତଦନ୍ତକାରୀ ଦଳ। ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିବା ଭଳି ଚରମ ପଦକ୍ଷେପ ନେବା ପଛରେ ମୁଖ୍ୟତଃ ପାଞ୍ଚଟି କାରଣ ଥାଇପାରେ ବୋଲି ଆଶଙ୍କା କରାଯାଉଛି।

ନବ ଦାସଙ୍କ ସହ ଥିଲା କି ଗୋପାଳଙ୍କ କିଛି ବ୍ୟକ୍ତିଗତ ଶତ୍ରୁତା? ଜଣେ ମନ୍ତ୍ରୀଙ୍କ ସହ ଜଣେ ପୋଲିସ ଏଏସଆଇଙ୍କ କି ବ୍ୟକ୍ତିଗତ ସଂପର୍କ ରହିପାରେ? କେଉଁ କାରଣରୁ ନବଙ୍କ ଉପରେ ଆକ୍ରୋଶ ରଖିଥିଲା ଗୋପାଳ? ଗୋପାଳକୁ ଆକ୍ରୋଶ ଓ ଅପମାନଜନକ ବ୍ୟବହାର ହୋଇଥିଲା କି ? ଯାହାର ପ୍ରତିଶୋଧ କରିବାକୁ ଯୋଜନା କରିଥିଲା କିଲର ଏଏସଆଇ । ଗାନ୍ଧିଛକ ଫାଣ୍ଡି ପାଖରେ ହୋଟେଲ ଖୋଲିଥିଲେ ଗୋପାଳଙ୍କ ବଡ଼ ଭାଇ ସତ୍ୟନାରାୟଣ। ବଡ଼ଭାଇଙ୍କ ହୋଟେଲକୁ ନେଇ କୌଣସି ସମସ୍ୟା ଉପୁଜିଥିଲା କି? ୧୨ବର୍ଷରୁ ଅଧିକ ସମୟ ଧରି ବ୍ରଜରାଜନଗରରେ ଚାକିରିରେ ଥିଲେ ଗୋପାଳ।

ନିଜ ଜିଲ୍ଲା ଗଞ୍ଜାମକୁ ବଦଳି ପାଇଁ ଅନୁରୋଧ କରିବା ପରେ ତାଙ୍କ ମନରେ କ୍ଷୋଭ ଆସିଥିଲା କି? ନା ନିଜ ସଂପର୍କୀୟଙ୍କୁ ଚାକିରି ପାଇଁ ଥିଲା କୌଣସି ରାଗ? ହତ୍ୟା ପାଇଁ ବଦଳି ଓ ସଂପର୍କୀୟଙ୍କୁ ଚାକିରି ପ୍ରସଙ୍ଗ କ୍ରାଇମବ୍ରାଞ୍ଚକୁ କହିଥିଲା ବେଳେ ଏହାକୁ ବିଶ୍ୱାସକୁ ନେଇନି ତଦନ୍ତକାରୀ ଦଳ। ଜେରା ବେଳେ ଗୋପାଳ ହତ୍ୟାକାଣ୍ଡର କାରଣ ନେଇ ବିଭ୍ରାନ୍ତିକର ବୟାନ ଦେଉଥିବା ଜଣାପଡ଼ିଛି।

ଘଟଣା ଦିନ ନବ ଦାସଙ୍କ ଗସ୍ତ ବେଳେ ଟ୍ରାଫିକ ଦାୟିତ୍ୱରେ ଥିଲେ ଗାନ୍ଧିଛକ ଫାଣ୍ଡି ଏଏସଆଇ ଗୋପାଳ ଦାସ। ଦାୟିତ୍ୱରେ ଥିବାରୁ ଗସ୍ତର ସବୁ ତଥ୍ୟ ପାଖରେ ଥିଲା। ନବ ଦାସ ସେଠାରେ ପହଞ୍ଚିବା ପରେ ଲୋକ ତାଙ୍କୁ ସମ୍ବର୍ଦ୍ଧନା ଦେବାକୁ ଏକତ୍ରିତ ହୋଇଥିଲେ। ଏହାର ମଉକା ଉଠାଇଥିଲା କିଲର ଏଏସଆଇ। ଅତି ନିକଟରୁ ଗୁଳିମାରି ନବ ଦାସଙ୍କୁ ହତ୍ୟା କରିବାକୁ ସକ୍ଷମ ହୋଇଥିଲା। ହତ୍ୟାକାଣ୍ଡ ପୂରା ଯୋଜନାବଦ୍ଧ ଥିଲା । ତେବେ ଏଥିପାଇଁ ସେ ପ୍ରାୟ ମାସକ ଆଗରୁ ପ୍ଲାନ କରିଥିବା ଜଣାପଡ଼ିଛି। କେମିତି ହତ୍ୟା କରିବ କେବଳ ସୁଯୋଗ ଅପେକ୍ଷାରେ ଖୋଜୁଥିଲା। ଏଥିପାଇଁ ଡ୍ରାଏ ରନ କରିଥିଲା । ସେ ପୂର୍ବରୁ ଝାରସୁଗୁଡ଼ାରେ ନବଙ୍କ ବାସଭବନକୁ ଯାଇଥିଲା କି ନାହିଁ ସେଠାକାର ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ତଦନ୍ତକାରୀ ଟିମ ।

 ଜାନୁଆରୀ ୩୦ ତାରିଖରେ ନବ ଦାସ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବ୍ରଜରାଜନଗର ଯାଇବେଳେ ତାଙ୍କୁ ଗୁଳି ମାରି ହତ୍ୟା କରିଥିଲା ଗୋପାଳ ଦାସ। ସଙ୍କଟାପନ୍ନ ଅବସ୍ଥାରେ ନବଙ୍କୁ ଭୁବନେଶ୍ୱର ଏୟାର ଲିଫ୍‌ଟ କରାଯାଇଥିଲା। କିନ୍ତୁ ଅତ୍ୟଧିକ ରକ୍ତସ୍ରାବ କାରଣରୁ ତାଙ୍କର ଦେହାନ୍ତ ହୋଇଥିଲା। ହତ୍ୟା କରିଥିବା ନେଇ ଗୋପାଳ ମାନିଥିଲେ ମଧ୍ୟ ପ୍ରଶ୍ନବାଚୀ ରହିଛି ହତ୍ୟାର କାରଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.